Unknown

ଚିନ୍ତା

ଶ୍ରୀମତୀ ଅପର୍ଣ୍ଣା ଦେବୀ

 

ଉତ୍ସର୍ଗ ପତ୍ର

ପରମମାନନୀୟା ଉଦାରହୃଦୟା ଜାତୀୟ ଗୌରବବତ୍ସଳା

ସାହିତ୍ୟସୁମନପ୍ରିୟା ମାତୃକଳ୍ପା ମହନୀୟା

ଶ୍ରୀମତୀ ନରସିଂହପୁରାଧୀଶ୍ୱରୀ

ମହୋଦୟା

ଶ୍ରୀକରକମଳେଷୁ

ଦୁଶ୍ଚିନ୍ତା-ଅନଳେ

ଶନି କୋପଫଳେ

ନିପୀଡ଼ିତ ହୋଇ

ଯେମନ୍ତ ପ୍ରବଳେ

‘ଚିନ୍ତା’ ଚିନ୍ତାଭାରେ

ବ୍ୟାକୁଳ ଅନ୍ତର

‘ଚିନ୍ତା’ ‘ଚିନ୍ତା’ ଭଜି

ପ୍ରାଗ୍‌ଜ୍ୟୋତିଷେଶ୍ୱର

 

 

 

 

ଆଶ୍ରା ଲଭି ସୌତି-

ପୁର ଉପବନେ

ହୃତ ଧନ ପାଇ

ରାଜାଙ୍କ ଯତନେ

କୃତଜ୍ଞତା ପୁଷ୍ପା-

ଞ୍ଜଳି ଶ୍ରୀପୟରେ

ନୃପଙ୍କର ଅର୍ପି-

ଥିଲେ ଭକ୍ତିଭରେ

 

 

 

 

ସେହିମତି ଦୁର-

ଦୃଷ୍ଟ କୋପଫଳେ

ଦହି ହୋଇ ନିତି

ଦରିଦ୍ରତାନଳେ

ନାନା ଦୁଶ୍ଚିନ୍ତାରେ

ବ୍ୟାକୁଳ ଅନ୍ତର

ଭାରତୀ-କାନନେ

ଭ୍ରମି ନିରନ୍ତର

 

 

 

 

ରୂପଗନ୍ଧହୀନ

ଏ ‘ଚିନ୍ତା’-ସୁମନ

କରିଅଛି ବହୁ

ଯତନେ ଚୟନ

ବଡ଼ ଆଶା ମୋର

ଶ୍ରୀକର-କମଳେ

ଅରପିବି ବୋଲି

କଳପନା ଚଳେ;

 

 

 

 

ଦୂର ନୀଳାଚଳୁଁ

ଆସିଅଛି ଧାଇଁ

କେତେ ପଥଶ୍ରମ

ନିର୍ଯ୍ୟାତନା ପାଇ

ଅୟି ଗୋ କନିକା-

କ୍ଷୀରାବ୍‌ଧି-ସମ୍ଭୂତା

କମଳବାସିନୀ

ରୂପିଣୀ ଶ୍ରୀଯୁକ୍ତା

ଚିରାଶ୍ରିତା ଲେଖିକା

----------

 

ମୁଖବନ୍ଧ

ଯେଉଁ କାବ୍ୟଖଣ୍ଡିର ମୁଖବନ୍ଧ ଲେଖିବାପାଇଁ ମୁଁ ଅନୁରୁଦ୍ଧ ହୋଇଅଛି, ଶ୍ରୀମତୀ ଅପର୍ଣ୍ଣା ଦେବୀ ତାହାର ରଚୟିତ୍ରୀ । ଅପର୍ଣ୍ଣା ଦେବୀ ସାହିତ୍ୟକ୍ଷେତ୍ରରେ ସୁପରିଚିତା ନ ହେଲେହେଁ ବର୍ତ୍ତମାନ ଏକାନ୍ତ ଅପରିଚିତା ନୁହନ୍ତି । ତତ୍‌ପ୍ରଣୀତ ‘ଇନ୍ଦୁମତୀ’ କାବ୍ୟଖଣ୍ଡି ଉତ୍କଳ-ସାହିତ୍ୟ-ସେବୀମାନଙ୍କ ନିକଟରେ ଯଥେଷ୍ଟ ସମାଦର ଲାଭ କରିଅଛି । ଏପରି ଅବସ୍ଥାରେ ତାଙ୍କ ଜୀବନବୃତ୍ତାନ୍ତ ସମ୍ବନ୍ଧରେ ଦୁଇ ଚାରି କଥା ଲେଖିବା ଏଠାରେ ଅସଙ୍ଗତ ହେବ ନାହିଁ ।

 

ପୁରୀ ଜିଲ୍ଲାର ଅନ୍ତର୍ଗତ ବୀରବଳଭଦ୍ରପୁର ନାମକ ଶାସନ ଅପର୍ଣ୍ଣାଙ୍କର ଜନ୍ମସ୍ଥାନ । ବର୍ତ୍ତମାନ ତାହାଙ୍କର ବୟସ ପ୍ରାୟ ୩୩ ହେବ । ଷଷ୍ଠ ବର୍ଷ ବୟସରେ ହରେକୃଷ୍ଣପୁର ଶାସନରେ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତେଣୁ ତାଙ୍କର ଶିକ୍ଷାଦୀକ୍ଷା ଗ୍ରାମ ପାଠଶାଳାରେହିଁ ପର୍ଯ୍ୟବସିତ । ସେ ବାଲ୍ୟକାଳରେ ପ୍ରାଥମିକ ବିଦ୍ୟାଳୟରେ କୃତିତ୍ୱ ଦେଖାଇଥିବାରୁ ଗୋଟିଏ ବୃତ୍ତି ପାଇଥିଲେ; କିନ୍ତୁ ଦାରୁଣ ଅବରୋଧ-ପ୍ରଥା ତାଙ୍କର ଉଚ୍ଚଶିକ୍ଷା ଲାଭରେ ସର୍ବଥା ପ୍ରତିକୂଳ ହୋଇଥିଲା । ପିତୃକୁଳ ତଥା ସ୍ୱାମୀକୁଳର ଆର୍ଥିକ ଦୁରବସ୍ଥା ମଧ୍ୟ ତାଙ୍କର ସ୍ୱାଭାବିକ ଶିକ୍ଷା-ପ୍ରବୃତ୍ତି-ପଥରେ ଅନ୍ୟତର ଅନ୍ତରାୟ । ତାଙ୍କର ସ୍ୱାମୀ କଟକ ନର୍ମାଲ ବିଦ୍ୟାଳୟର ତୃତୀୟ ବାର୍ଷିକ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ବର୍ତ୍ତମାନ ପୁରୀ ସହରର ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଏହି ଭାବରେ ସେ ଗତ କେତେକ ବର୍ଷ ହେଲା ସ୍ୱାମୀଙ୍କ ସଙ୍ଗେ ପୁରୀରେ ଅବସ୍ଥାନ କରୁଅଛନ୍ତି ଓ ଦୈନନ୍ଦିନ ଗୃହକର୍ମ କରିସାରି ଅତ୍ୟଳ୍ପ ଅବସର କାଳରେ ସାହିତ୍ୟ ଆଲୋଚନାରେ ଆପଣାକୁ ନିୟୋଜିତ କରୁଅଛନ୍ତି ।

 

ତେଣୁ ଜଣାଯାଉଅଛି, ଅପର୍ଣ୍ଣାଙ୍କର ସାହିତ୍ୟପ୍ରୀତି ଜନ୍ମାନ୍ତରୀଣ ସଂସ୍କାରର ପରିଣତି । ପ୍ରାଚୀନ କବି ଉପେନ୍ଦ୍ର ଭଞ୍ଜ ଓ ନବ୍ୟଯୁଗର ଶ୍ରେଷ୍ଠ କବି ରାଧାନାଥଙ୍କ କାବ୍ୟାବଳି ତାଙ୍କର କବିତା ଲେଖିବାର ଆଦର୍ଶ, କିନ୍ତୁ ଯୁଗୋଚିତ ରୁଚିର ଅନୁବର୍ତ୍ତନରେ ସେ ରାଧାନାଥଙ୍କୁ ଆଦର୍ଶରୂପେ ଗ୍ରହଣ କରି ତାଙ୍କ ପ୍ରଦର୍ଶିତ ପନ୍ଥା ଅନୁସରଣପୂର୍ବକ ସ୍ୱକୀୟ ଚିନ୍ତାଶକ୍ତିର ତଥା ମୌଳିକ ରଚନାସୌଷ୍ଠବର ମାଧୁରୀ ପ୍ରଦର୍ଶନର ଉପଯୁକ୍ତ ଅବସର ପାଇଅଛନ୍ତି । ପୃଥିବୀର ବଡ଼ ବଡ଼ କବି ମଧ୍ୟ ଏହି ଭାବରେ ନିଜ ନିଜ କାବ୍ୟ କବିତାର ମୌଳିକତା ପ୍ରଦର୍ଶନ କରି ଯାଇଅଛନ୍ତି । ପ୍ରକୃତରେ ଚିନ୍ତାର ମୌଳିକତା ରଚନାର ବିଚ୍ଛିତ୍ତିବିଶେଷ ଉପରେ ନିର୍ଭର କରେ । ଅନ୍ୟର ଅନୁସରଣ ସଙ୍ଗେ ତାହାର ସମ୍ବନ୍ଧ ନ ଥାଏ । ଅନ୍ୟଥା ପୃଥିବୀର କୌଣସି କବିଙ୍କର ରଚନାକୁ ମୌଳିକ ବୋଲି କୁହାଯିବ ନାହିଁ । ସଂସ୍କୃତରେ ଗୋଟିଏ କଥା ଅଛି, ‘‘ବାଣୋଚ୍ଛିଷ୍ଟ ମିଦଂ ଜଗତ୍‌’’ ଏ ସଂସାରଟା ବାଣଙ୍କର ଅଇଁଠା ଅର୍ଥାତ୍ ପରବର୍ତ୍ତୀ କବିମାନେ ପ୍ରାୟଶଃ ଏପରି ଗୋଟିଏ ସୁଦ୍ଧା କଳ୍ପନା ଦେଖାଇ ନାହାନ୍ତି, ଯାହା ମହାକବି ବାଣ ତତ୍‌ପ୍ରଣୀତ ‘କାଦମ୍ବରୀ ମହାଗ୍ରନ୍ଥରେ ପ୍ରଦର୍ଶନ କରି ନାହାନ୍ତି ।

 

ସାଧାରଣତଃ କାବ୍ୟ-ଲେଖକମାନେ ଯେପରି ପୌରାଣିକ ବା ଐତିହାସିକ ବ୍ୟକ୍ତିବିଶେଷକୁ ବର୍ଣ୍ଣନୀୟ କାବ୍ୟର ଉପଜୀବ୍ୟ ବିଷୟରୂପେ ଗ୍ରହଣ କରିଥାଆନ୍ତି, ଆମ୍ଭମାନଙ୍କ କବି ଅପର୍ଣ୍ଣା ସେହିପରି ପୁରାଣବିଶ୍ରୁତକୀର୍ତ୍ତି ମହାରାଜ ଶ୍ରୀବତ୍ସଙ୍କର ସାଧ୍ୱୀ ଧର୍ମପତ୍ନୀ ‘ଚିନ୍ତା’ଙ୍କୁ ଅବଲମ୍ବନ କରି ଏହି କାବ୍ୟଖଣ୍ଡି ରଚନା କରିଅଛନ୍ତି । ଶଂସିତ କାବ୍ୟଖଣ୍ଡି ୯ ଗୋଟି ସର୍ଗରେ ବିଭକ୍ତ । ମହାରାଜ ଶ୍ରୀବତ୍ସଙ୍କର ଆଲୋକସାମାନ୍ୟ ଗୁଣାବଳୀ, ଚିନ୍ତାଙ୍କର ପତିପରାୟଣତା ବର୍ଣ୍ଣନା କରିସାରି ଲେଖିକା ପ୍ରଥମ ସର୍ଗରେ ଶନି ଓ ଲକ୍ଷ୍ମୀଙ୍କର ବିବାଦ-ପ୍ରସଙ୍ଗ ଅତି କୌଶଳରେ ଉପସ୍ଥାପିତ କରିଅଛନ୍ତି । ଏ ସର୍ଗରେ ପ୍ରଦତ୍ତ ହୋଇଥିବା ଗୋଟିଏ ପ୍ରଭାତ ବର୍ଣ୍ଣନା ଏଡ଼େ ହୃଦୟସ୍ପର୍ଶୀ ଯେ ଥରେ ପଢ଼ିଲେ ବାରମ୍ବାର ପଢ଼ିବାକୁ ପ୍ରବୃତ୍ତି ହୁଏ । ଦ୍ୱିତୀୟ ସର୍ଗରେ ଶନିଦୃଷ୍ଟିରେ ଶ୍ରୀବତ୍ସଙ୍କର ରାଜଶ୍ରୀଭ୍ରଂଶ ଓ ଚିନ୍ତାଙ୍କ ସଙ୍ଗେ ବନଗମନର ବର୍ଣ୍ଣନା ଏପରି କାରୁଣ୍ୟବ୍ୟଞ୍ଜକ ହୋଇ ଅଛି ଯେ ପଢ଼ିଲେ ହୃଦୟ କରୁଣରସରେ ଆପ୍ଲୁତ ହୋଇଉଠେ । ପରବର୍ତ୍ତୀ ସର୍ଗମାନଙ୍କରେ ମଧ୍ୟ ସେହି କାରୁଣ୍ୟର ଚିତ୍ର ଆହୁରି ପରିଷ୍ଫୁଟ ହୋଇ ଉଠିଅଛି । ଭାରତୀୟ ପୁରାଣର ଅନ୍ୟାନ୍ୟ ଚିତ୍ର ପରି ଏ ଚିତ୍ରଟି ମଧ୍ୟ ମିଳନାନ୍ତକ । ଶେଷରେ ଭଦ୍ରା ଓ ଶ୍ରୀବତ୍ସଙ୍କ ସଙ୍ଗେ ଚିନ୍ତାଙ୍କର ମିଳନବର୍ଣ୍ଣନା ମଧ୍ୟ ବଡ଼ ଚିତ୍ତାକର୍ଷକ ହୋଇଅଛି । ଅବଶିଷ୍ଟାଂଶର ବର୍ଣ୍ଣନା ସମ୍ପର୍କରେ ଏଠାରେ ମୋଟାମୋଟି ଏତିକି କହିଲେ ଯଥେଷ୍ଟ ହେବ ଯେ, କାବ୍ୟର ପ୍ରତିପଦରେ ନାରୀକବିଙ୍କର ସ୍ୱାଧୀନଚିତ୍ତତା, ସ୍ୱାଧୀନ ଚିନ୍ତାଶୀଳତା ଓ ପ୍ରତିଭାର ବିଶିଷ୍ଟତା ଉଜ୍ଜ୍ୱଳଭାବରେ ଫୁଟି ଉଠିଅଛି ।

 

ପ୍ରଥମରୁ ପାଠକ ଦେଖିବେ ଯେ, ଲେଖିକା ଏହି କରୁଣ-ରସପୂର୍ଣ୍ଣ ଆଖ୍ୟାୟିକାଟିକୁ ତାଙ୍କ କାବ୍ୟର ବିଷୟରୂପେ ନିର୍ବାଚନ କରି ସ୍ୱୀୟ ନାରୀଜନୋଚିତ କୋମଳ ହୃଦୟବତ୍ତାର ଯଥେଷ୍ଟ ପରିଚୟ ଦେଇଅଛନ୍ତି । ଦ୍ୱିତୀୟରେ ସତୀଶିରୋମଣି ଚିନ୍ତାଙ୍କର ପାତିବ୍ରତ୍ୟର ଯେଉଁ ସମୁଜ୍ଜ୍ୱଳ ଚିତ୍ର ତାଙ୍କର ସ୍ୱଭାବସୁଲଭ ତୂଳିକା ସାହାଯ୍ୟରେ ଅଙ୍କିତ ହୋଇଅଛି, ତାହା ଯେକୌଣସି ଉଚ୍ଚଶିକ୍ଷାପ୍ରାପ୍ତ ସ୍ତ୍ରୀଜନ ପକ୍ଷରେ ମଧ୍ୟ ପରମ ଗୌରବର ବିଷୟ ବୋଲି ବିବେଚିତ ହୁଅନ୍ତା । ଅବଶ୍ୟ ପୁରାଣରେ ଚିନ୍ତା ଶ୍ରୀବତ୍ସଙ୍କର ଯେଉଁ ଚିତ୍ର ପ୍ରଦତ୍ତ ହୋଇଅଛି, ସେ ତାହାର ବିଚିତ୍ରତା ସମ୍ପାଦନ କରି ଚରିତ୍ରଚିତ୍ରଣର ଅନ୍ୟ ବୈଶିଷ୍ଟ୍ୟ ପ୍ରଦର୍ଶନର ଅବସର ପାଇ ନାହାନ୍ତି, ତଥାପି ତାଙ୍କର ବର୍ଣ୍ଣନାର ମାଧୁରୀ, ଅଳଙ୍କାରବିନ୍ୟାସରେ ନିପୁଣତା ଓ ସମୀଚୀନ ଶବ୍ଦ ପ୍ରୟୋଗରେ ଅସାଧାରଣ ଶକ୍ତିମତ୍ତା ଦ୍ୱାରା କାବ୍ୟଟି ଗୋଟିଏ ମୌଳିକ ଚିତ୍ର ପରି ପ୍ରତିଭାତ ହୁଏ । ସ୍ଥୂଳରେ କହିବାକୁ ଗଲେ ତାଙ୍କର ଏହି କାବ୍ୟଖଣ୍ଡି ଗୋଟିଏ ମନୋହର ଚିତ୍ରପେଟିକା । ପାଠକ ସେହି ପେଟିକାର ପ୍ରତ୍ୟେକ ସ୍ତରରେ ବିଭିନ୍ନ ରଙ୍ଗରେ ରଞ୍ଜିତ ନୂଆ ନୂଆ ଚିତ୍ରମାନ ଦେଖି ବିମୁଗ୍‌ଧ ହେବେ, ଏଥିରେ ମୋର ସନ୍ଦେହ ନାହିଁ ।

 

ଏ ସଂସାରରେ ମାନବ ଯେତେ ସରଳ ଓ ସାଧୁ ହେଉ ପଛକେ ଦୁର୍ଦୈବପ୍ରଭାବରେ ଯେ ବେଳେ ବେଳେ ଘୋର ଦୁଃଖ ଅନୁଭବ କରେ, ଏହାହିଁ ଏହି ପୌରାଣିକ ଚିତ୍ରଟିର ଲକ୍ଷ୍ୟ । ଆମ୍ଭମାନଙ୍କ କବି ଏହି ପରିଣାମ ପ୍ରତି ଦୃଷ୍ଟି ରଖି ସର୍ବତ୍ର ବିପଦରେ ଶ୍ରୀବତ୍ସଙ୍କର ଧୈର୍ଯ୍ୟଶୀଳତା ଓ ଚିନ୍ତାଙ୍କର ଅସାଧାରଣ ପାତିବ୍ରତ୍ୟର ଚିତ୍ର ଅଙ୍କିତ କରି କାବ୍ୟପାଠର ଉଦ୍ଦେଶ୍ୟ ପ୍ରତିପାଦନରେ ସର୍ବଥା ଯତ୍ନବତୀ ହୋଇଅଛନ୍ତି । ଆଜିକାଲି ଅତି ଅଳ୍ପ ପୁରୁଷକବି ମଧ୍ୟ ସ୍ୱ ସ୍ୱ କାବ୍ୟ କବିତାର ଏଭଳି ଉଦ୍ଦେଶ୍ୟ ପ୍ରତିପାଦନରେ ସମର୍ଥ ।

 

ଏ କାବ୍ୟ ଖଣ୍ଡିକରେ ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ଏହାର କୌଣସି ପଦରେ ମଧ୍ୟ ପୂର୍ଣ୍ଣମିତ୍ରାକ୍ଷରର ବିଧି ଲଙ୍ଘନ କରାଯାଇ ନାହିଁ । ଏହା ଲେଖିକାଙ୍କର ସ୍ୱାଭାବିକ କବିତ୍ୱ ଶକ୍ତିର ଗୋଟିଏ ସମୁଜ୍ଜ୍ୱଳ ନିଦର୍ଶନ । କାବ୍ୟପାଠରେ ଜଣାଯାଏ, ସତେ ଯେପରି ଏହି ପୂର୍ଣ୍ଣମିତ୍ରାକ୍ଷର ମିଳାଇବା କବିଙ୍କୁ ଆଦୌ ଚେଷ୍ଟା କରିବାକୁ ପଡ଼ି ନାହିଁ । ଏହା ଯେ କୌଣସି ସୁକବିଙ୍କ ପକ୍ଷରେ ମଧ୍ୟ ଗୌରବର ବିଷୟ ଓ ଗଭୀର ଶବ୍ଦାର୍ଥ ଜ୍ଞାନର ପରିଚାୟକ । ତାଙ୍କର ଭାଷା ସର୍ବତ୍ର ସରଳ, ମଧୁର, ଚିତ୍ତାକର୍ଷକ ଓ ହୃଦୟଗ୍ରାହୀ । ସ୍ଥାନେ ସ୍ଥାନେ ବ୍ୟାକରଣଗତ କେତେଗୋଟି ପ୍ରମାଦ ରହି ଯାଇଅଛି ସତ୍ୟ, କିନ୍ତୁ ଏ ଦୋଷରୁ ଅନେକ ବଡ଼ ବଡ଼ କବି ମଧ୍ୟ ଅବ୍ୟାହିତ ପାଇ ନାହାନ୍ତି ।

 

ପ୍ରକୃତରେ ଏହି କାବ୍ୟ ଖଣ୍ଡି ପାଠ କରି ମୋର ମନେ ହେଲା, ଉତ୍କଳରେ ନବଯୁଗର ଆବିର୍ଭାବ ହୋଇଅଛି । ଯେଉଁ ଦେଶରେ ନାରୀମାନେ ଏଭଳି କାବ୍ୟ ଲେଖିବାରେ କ୍ଷମ, ସେ ଦେଶରେ ସାହିତ୍ୟ ଯେ ଅବିଳମ୍ବରେ ଶ୍ରୀସମ୍ପନ୍ନ ହୋଇ ଉଠିବ, ଏଥିରେ ସନ୍ଦେହ ନାହିଁ । ମୋର ଆଶା, ଉତ୍କଳର ସାହିତ୍ୟିକ ଓ ଧନିକବୃନ୍ଦ ଦେଶର ନାରୀପ୍ରତିଭା-ବିକାଶରେ ସହାୟତା କରି ଜାତିର ଗୌରବ ବୃଦ୍ଧି କରିବେ ।

ମହର୍ଷି ମନୁ ସ୍ପଷ୍ଟାକ୍ଷରରେ କହିଅଛନ୍ତି-

‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ।’’

 

କଟକ,

 

ବାହୁଡ଼ା ଦଶମୀ

 

୨୪।୭।୩୧

ଶ୍ରୀ କୁଳମଣି ଦାଶ

 

ଭୂମିକା

ଉତ୍କଳର ଅନ୍ୟତମ ନବୀନ ନାରୀକବି ଶ୍ରୀମତୀ ଅପର୍ଣ୍ଣା ଦେବୀ ଏତତ୍‌ପୂର୍ବରୁ ସ୍ୱପ୍ରଣୀତ ‘ଇନ୍ଦୁମତୀ’ କାବ୍ୟ ଏବଂ ‘କବିତାଞ୍ଜଳି’ର ପୀୟୂଷପ୍ରବାହରେ ଉତ୍କଳକୁ ପ୍ଳାବିତ କରି ସର୍ବତ୍ର ପରିଚିତ ହୋଇଅଛନ୍ତି । ଲଙ୍କାରେ ହରିଶବ୍ଦ ତୁଲ୍ୟ ଆଜି ଉତ୍କଳରେ ‘ନାରୀକବି’ ଶବ୍ଦ ଯୋଗେ ମନରେ ଯୁଗପତ୍ ଆନନ୍ଦ ଏବଂ ବିସ୍ମୟ ଉଦିତ ହେବା ସଙ୍ଗେ ସଙ୍ଗେ ପ୍ରାଣରେ ଆଶା ଏବଂ ଉତ୍ସାହର ସ୍ପନ୍ଦନ ହେଉଅଛି । ସର୍ବାଙ୍ଗୀନ-ସମ୍ପଦ-ସଦ୍ଭାବ ଏବଂ ଧାରାବାହିକ ଉଚ୍ଚଶିକ୍ଷା-ସୌକର୍ଯ୍ୟରୁ ସର୍ବଥା ବଞ୍ଚିତା, ଅଭାବର ତୀବ୍ର ଯନ୍ତ୍ରଣାରେ ନିଷ୍ପେଷିତା ଏବଂ ସାମାଜିକ ନିୟମାନୁସାରେ ଅନ୍ତଃପୁରନିବନ୍ଧା ହୋଇ ସୁଦ୍ଧା ସେ ଉତ୍କଳ-ସାହିତ୍ୟ-ଭଣ୍ଡାରକୁ ଯେଉଁ ଅମୂଲ୍ୟ ରତ୍ନମାନ ଦାନ କରିଅଛନ୍ତି ଏବଂ ଦାନ କରୁଅଛନ୍ତି, ତହିଁର କାରଣ ଯେ ତାହାଙ୍କର ଈଶ୍ୱରପ୍ରଦତ୍ତ ସ୍ୱତନ୍ତ୍ର କବିପ୍ରତିଭା, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । କବିତ୍ଵ ଉପାର୍ଜନ ନିମନ୍ତେ କେବଳ ସେହି ଅମୋଘ ପ୍ରତିଭା ଆବଶ୍ୟକ । ଆଧୁନିକ ବିଦ୍ୟାଳୟ ଶିକ୍ଷା କିମ୍ବା ବିଶାଳ ଧନରାଶି ଅଭାବରେ ସୁଦ୍ଧା କବିତ୍ଵ ପ୍ରତିପତ୍ତି ଲାଭ କରାଯାଇ ପାରେ, ଏହା ଶ୍ରୀମତୀ ଅପର୍ଣ୍ଣାଙ୍କ କୃତିତ୍ୱରୁ ସ୍ପଷ୍ଟ ପ୍ରତୀତ ହେଉଅଛି । ଆମ୍ଭମାନଙ୍କର ଶ୍ରଦ୍ଧେୟା ଶ୍ରୀମତୀ ଅପର୍ଣ୍ଣା ଦେବୀ ତପସ୍ୱିନୀ ତୁଲ୍ୟ ଏକାଗ୍ରତା ରଖି ବହୁ ଗଦ୍ୟାତ୍ମକ ଓ ପଦ୍ୟାତ୍ମକ କାବ୍ୟ ପ୍ରଣୟନ କରିଅଛନ୍ତି । ସେଥିମଧ୍ୟରୁ ଅନେକ ଅଦ୍ୟାପି ଅପ୍ରକାଶିତ । ସୌଭାଗ୍ୟବଶତଃ ବର୍ତ୍ତମାନ ତଦୀୟ ‘ଚିନ୍ତା’ କାବ୍ୟ ପ୍ରକାଶିତ ହେବାର ସୁଯୋଗ ଉପସ୍ଥିତ ହେବାରୁ ମୁଁ ତହିଁର ଭୂମିକା ଲିଖନ ନିମନ୍ତେ ଅନୁରୁଦ୍ଧ ହୋଇ ନିଜକୁ ସୌଭାଗ୍ୟବାନ୍ ମନେ କରୁଅଛି । କାରଣ ଏତତ୍ କାବ୍ୟ ବର୍ଣ୍ଣିତ ବିଷୟ ପୁରାତନ, ପ୍ରସିଦ୍ଧ ଏବଂ ପବିତ୍ର ମହାଭାରତୀୟ; ତାହା ପୁଣି ଅସାମାନ୍ୟ ନାରୀକବିଙ୍କର ଦିବ୍ୟ ତୂଳିରେ ସୁଚିତ୍ରିତ ।

 

ଚିନ୍ତାକାବ୍ୟ ନଅଗୋଟି ସର୍ଗରେ ସମ୍ପୂର୍ଣ୍ଣ ଏବଂ ପ୍ରତ୍ୟେକ ସର୍ଗ ମନୋହର ଛନ୍ଦରେ ନିବନ୍ଧ-। କାବ୍ୟର ପଲ୍ଲବନ ନିମନ୍ତେ ମାର୍ଜିତ ରୀତିରେ ପରମ୍ପରାକ୍ରମେ ବିନ୍ୟସ୍ତ ବିଷୟମାନ ଯେପରି ଚିତ୍ତାକର୍ଷକ, ଶଂସିତ ବିଷୟମାନଙ୍କର ବିଶଦୀକରଣ ମଧ୍ୟ ତଦ୍ରୂପ ମର୍ମବୋଧକ । ବିଶେଷତଃ ଏହା ପାଠ କଲେ ବୋଧହୁଏ-କାବ୍ୟଟି ଯେପରି କବିତାଉତ୍ସରୁ ନିର୍ଗତ ଏବଂ ଶ୍ଳୋକପରମ୍ପରା ଯେପରି ଭାବତରଙ୍ଗରେ ତରଙ୍ଗିତ । ଏଥିରେ କବି ହେବାର କୃତ୍ରିମତା ନାହିଁ, ଅଛି କେବଳ ନିସର୍ଗ କବିସାମର୍ଥ୍ୟ । ପୁଣି କାବ୍ୟଟିରେ କବିଙ୍କର ଆନ୍ତରିକତାର ବିକାଶ ହେତୁ ତାହା ପ୍ରତ୍ୟେକ ପାଠକ ପକ୍ଷରେ ଆଦରଣୀୟ ଅଟେ । ସରଳ ମଧୁର ଅଥଚ ଅବିମିଶ୍ରିତ ଶବ୍ଦଯୋଜନା ଯୋଗୁଁ ଏହି କାବ୍ୟ ଯେ ଉତ୍କଳ ସାହିତ୍ୟରେ ଉପାଦେୟ, ଏହା କହିବା ମଧ୍ୟ ବାହୁଲ୍ୟ । ଅବଶ୍ୟ କାବ୍ୟ ମଧ୍ୟରେ ଯେ କୁତ୍ରାପି ବ୍ୟାକରଣାଦି ଦୋଷ ନାହିଁ, ତାହା ଅସ୍ୱୀକାର କରାଯାଇ ନ ପାରେ । କିନ୍ତୁ ‘‘ନିମଜ୍ଜତୀନ୍ଦୋଃ କିରଣେଷ୍ୱିବାଙ୍କଃ’’ ଏହି ଆଦର୍ଶରେ ବା ମହାଜନୋକ୍ତିରେ ଏହା ଦୂଷଣୀୟ ନୁହେ, ବରଂ ଶ୍ରଦ୍ଧେୟ ।

 

ଚିତ୍ରସେନ ଦୁହିତା ଚିନ୍ତା ଏହାର ପ୍ରଧାନ ନାୟିକା । ସୁତରାଂ ତଦୀୟ ନାମାନୁସାରେ କାବ୍ୟର ନାମ ‘ଚିନ୍ତା’ । ପରସ୍ପର ବିବାଦଗ୍ରସ୍ତ ଶ୍ରୀ ଏବଂ ଶନିଙ୍କର ଶ୍ରେଷ୍ଠତା ମୀମାଂସାରେ ଚିନ୍ତାପତି ପ୍ରାଗ୍‌ଜ୍ୟୋତିଷେଶ୍ୱର ଶ୍ରୀବତ୍ସ ନ୍ୟାୟତଃ ଶନିଙ୍କର ହୀନତା ନିର୍ଦ୍ଦେଶ କରିବାରେ ତାଙ୍କର କୋପଭାଗୀ ହୋଇ ଯେଉଁସବୁ ଦୁର୍ବିପାକ ଭୋଗ କଲେ, ସେ ସମସ୍ତ କାବ୍ୟ ସମୂଳ ବିଷୟ ହେଲେହେଁ ଚିନ୍ତାଙ୍କର ଅସାଧାରଣ ସତୀତ୍ୱ ଏଥିରେ ପ୍ରତିପାଦ୍ୟ ବିଷୟ ଅଟେ । ବର୍ଣ୍ଣିତ ବିଷୟ କେତେକାଂଶରେ ନଳଦମୟନ୍ତୀ ଚରିତର ଅନୁରୂପ । କଳିକୋପରେ ସପତ୍ନୀକ ନଳ ଯେପରି ରାଜ୍ୟଭ୍ରଷ୍ଟ ହୋଇ ବନମଧ୍ୟରେ ନାନା ଦୁର୍ବିପାକରେ ପଡ଼ି ଶେଷକୁ ଅନାହାର ପର୍ଯ୍ୟନ୍ତ ସହ୍ୟ କରି ପତ୍ନୀଙ୍କଠାରୁ ବିଚ୍ଛିନ୍ନ ହେବାକୁ ବାଧ୍ୟ ହୋଇଥିଲେ, ଏଥିରେ ଶନିକୋପରେ ତାହାହିଁ ହେଲା । କିନ୍ତୁ ଦମୟନ୍ତୀ ଯେପରି ବିଚ୍ଛେଦ ପରେ ପିତୃଗୃହର ଆଶ୍ରୟ ଲାଭକରି ସତୀତ୍ଵ ରକ୍ଷାନିମନ୍ତେ ସୁବିଧା ଲାଭ କରି ପାରିଥିଲେ, ଚିନ୍ତାଙ୍କର ବିଚ୍ଛେଦଜୀବନରେ ତାହା ହୋଇ ନ ଥିଲା; ସୁତରାଂ ଚିନ୍ତା ଅପହୃତା ହୋଇ ସତୀତ୍ଵରକ୍ଷା ବିଷୟରେ ଆଶଙ୍କିତା ହେବାରୁ ନିଜର ବିରୂପତା ସମ୍ପାଦନ କରିବାକୁ ବାଧ୍ୟ ହୋଇଥିଲେ । ପୁଣି ଚିନ୍ତାଚରିତରେ ବିଶେଷତ୍ଵ ଏହି ଯେ-ରାଜା ଶ୍ରୀବତ୍ସ ଘଟନାଚକ୍ରରେ ପଡ଼ି ଅବଶ୍ୟ ଚିନ୍ତାଲାଭ ନିମନ୍ତେ ବାହୁଦେବଙ୍କ କନ୍ୟା ଭଦ୍ରାବତୀଙ୍କୁ ଦ୍ୱିତୀୟ ଦାରରୂପେ ଗ୍ରହଣ କରିଥିଲେହେଁ ମିଳନାନ୍ତେ ଚିନ୍ତାଙ୍କର ପତିଙ୍କ ପ୍ରତି ତିଳେମାତ୍ର ତ୍ରୁଟି ଘଟି ନ ଥିଲା କିମ୍ବା ସପତ୍ନୀ ଭଦ୍ରାବତୀଙ୍କ ପ୍ରତି ଅଣୁମାତ୍ର ଅସୂୟା ଦେଖାଯାଇ ନ ଥିଲା; ବରଂ ସତୀ ଚିନ୍ତା ନିଜର ଏକାଗ୍ରତାରୁ କ୍ଷଣକାଳ ନିମନ୍ତେ ବିଚ୍ୟୁତ ନ ହୋଇ ପତିଙ୍କୁ ଦେବତାରୂପେ ସେବା କରିବା ସଙ୍ଗେ ସଙ୍ଗେ ସପତ୍ନୀଙ୍କୁ ମଧ୍ୟ ଭଗ୍ନୀତୁଲ୍ୟ ସ୍ନେହ କରୁଥିଲେ । ସାଧାରଣ ମାନବଚରିତ୍ରରେ ଏପରି ଉଦାହରଣ ଯେ ଏକାନ୍ତ ଦୁଷ୍ପ୍ରାପ୍ୟ ଏବଂ ସାଧ୍ୱୀଶିରୋମଣି ଚିନ୍ତାଚରିତ ଯେ ଜଗତରେ ସର୍ବଥା ଆଦର୍ଶସ୍ଥାନୀୟ, ଏଥିରେ ମତଭେଦ ବା କଣ ଅଛି ?

 

ସୁଖର ବିଷୟ, ଶ୍ରୀମତୀ ଅପର୍ଣ୍ଣା ଦେବୀଙ୍କ କବିତାମାନଙ୍କ ଉପରେ ଉତ୍କଳୀୟ ରାଜନ୍ୟବୃନ୍ଦଙ୍କର ଅନୁଗ୍ରହ ଦୃଷ୍ଟି ପଡ଼ିଅଛି; ସୁତରାଂ ତତ୍‌ପ୍ରଣୀତ କାବ୍ୟ କବିତାମାନଙ୍କର ମୁଦ୍ରଣ ବିଷୟରେ ନୈରାଶ୍ୟ ଜନ୍ମୁ ନାହିଁ । ଗୁଣଗ୍ରାହିଣୀ ମାନନୀୟା ଶ୍ରୀମତୀ କେନ୍ଦୁଝରାଧୀଶ୍ୱରୀ ମହୋଦୟାଙ୍କ ସମ୍ପୂର୍ଣ୍ଣ ଆନୁକୂଲ୍ୟରେ ‘ଇନ୍ଦୁମତୀ’ର ପ୍ରଥମ ପ୍ରକାଶ ହୋଇ ଯାଇଅଛି । ପୁନଶ୍ଚ ନିକଟ ଭବିଷ୍ୟତରେ ନାରୀକବିଙ୍କର ‘ଦଶକୁମାରଚରିତ’ ଓ ‘ଦଶକୁମାରୀଚରିତ’ ନାମକ ଗଦ୍ୟକାବ୍ୟଦ୍ୱୟ ମାନନୀୟ ଅଷ୍ଟମଲ୍ଲିକରାଜଦମ୍ପତିଙ୍କ ସମ୍ପୂର୍ଣ୍ଣ ଆନୁକୂଲ୍ୟରେ ପ୍ରକାଶିତ ହେବାର ଆଶା ପ୍ରୋକ୍ତ ଅଷ୍ଟମଲ୍ଲିକାଧୀଶ୍ୱରୀ ମହୋଦୟାଙ୍କ ବରବାଣୀରେ ବିଶଦ ହୋଇ ଯାଇଅଛି ।

 

ବର୍ତ୍ତମାନ ମାନନୀୟା ବିଦୂଷୀ ଶ୍ରୀମତୀ ନରସିଂହପୁରାଧୀଶ୍ୱରୀ ମହୋଦୟା ଚିନ୍ତାନାୟିକାର ପତିବ୍ରତ୍ୟରେ ମୁଗ୍‌ଧ ହୋଇ ତହିଁର ପ୍ରକାଶ ନିମନ୍ତେ ସମସ୍ତ ବ୍ୟୟଭାର ବହନ କରି ଜନମୁଖରେ ପ୍ରଚାରିତ ସ୍ୱକୀୟ ପାତିବ୍ରତ୍ୟ ଏବଂ ବିଦ୍ୟାନୁରାଗର ଜ୍ୱଳନ୍ତ ନିଦର୍ଶନ ପ୍ରଦର୍ଶନ କରିବା ଦ୍ୱାରା ପ୍ରଣେତ୍ରା ଏବଂ ପାଠକପାଠିକାମାନଙ୍କର ଅଶେଷ ଧନ୍ୟବାଦର ପାତ୍ରୀ ହୋଇଅଛନ୍ତି-

 

ଚିନ୍ତା କାବ୍ୟ ପ୍ରକାଶିତ ହେବ, ଅବଶ୍ୟ ସୌଭାଗ୍ୟର ବିଷୟ, କିନ୍ତୁ କେବଳ ପ୍ରକାଶରେ ଯେ ପ୍ରଣେତ୍ରୀ ତଥା ପ୍ରକାଶୟିତ୍ରୀ ଚରିତାର୍ଥ ହେବେ ବା କାବ୍ୟର ସାର୍ଥକତା ସମ୍ପାଦିତ ହେବ, ଏମନ୍ତ ନୁହେ । ପାଠ୍ୟ, ପୁରସ୍କାର, ଉପହାର ପ୍ରଭୃତିରୂପେ ଏହି ଚିନ୍ତା ପୁସ୍ତିକାର ବହୁଳ ବ୍ୟବହାର ହେଲେ କାବ୍ୟ ପ୍ରଣୟନ ତଥା କାବ୍ୟ ପ୍ରକାଶର ସାର୍ଥକତା ସମ୍ପାଦିତ ହେବ ଏବଂ ତଦ୍ଦ୍ୱାରା ପ୍ରଣେତ୍ରୀ ନବ ନବ ଗ୍ରନ୍ଥପ୍ରଣୟନରେ ପ୍ରୋତ୍ସାହିତ ହେବେ । ଇତି ।

 

ତା ୨୦ । ୮ । ୩୧

 

ପୁରୀ

ଶ୍ରୀ ଜଗନ୍ନାଥ ରଥ କାବ୍ୟତୀର୍ଥ

 

ଉପହାର

----------

 

ପ୍ରଥମ ସର୍ଗ

ରାଗ-ରାମକେରୀ

ପରମ ଧାର୍ମିକ ଶ୍ରୀବତ୍ସ

ପ୍ରାଗ୍‌ଜ୍ୟୋତିଷ ନୃମଣି,

ପାଳନ୍ତି ସ୍ୱରାଜ୍ୟ ପରଜା

ପୁତ୍ର ପରାଏ ମଣି ।

 

ଦାନେ ଦାନବୀର ନୃପତି

ସର୍ବ ଶାସ୍ତ୍ରେ ଗୀଷ୍ପତି

ସତତ ଶରଣରକ୍ଷଣ

ଦୁଷ୍ଟଦଳନବ୍ରତୀ ।

 

ସହଧରମିଣୀ ତାଙ୍କର

ଚିତ୍ରସେନ ଦୁହିତା

ସାଧ୍ୱୀ ପତିବ୍ରତା ସୁନ୍ଦରୀ

ନାରୀ-ରତନ ଚିନ୍ତା ।

 

ଏକପ୍ରାଣ ରାଜଦମ୍ପତି

ଭିନ୍ନ ମାତ୍ରକ କାୟା

ଖଟିଥାନ୍ତି ସତୀ ପତିଙ୍କି

ଯଥା କାୟାକୁ ଛାୟା ।

ସର୍ବଗୁଣସିନ୍ଧୁ ଶ୍ରୀବତ୍ସ

ଚିନ୍ତା-ରାଣୀ ଜାହ୍ନବୀ

ଶ୍ରୀବତ୍ସ-ପ୍ରଶାନ୍ତହୃଦୟା-

କାଶେ କଳା ଐନ୍ଦବୀ ।

କଳ୍ପତରୁବର ଶ୍ରୀବତ୍ସ

ଚିନ୍ତା ପ୍ରେମ-ବଲ୍ଲରୀ

ନରପତି ପୁଣ୍ୟ ଅଙ୍କରେ

ପ୍ରୀତି ଚିନ୍ତା ସୁନ୍ଦରୀ ।

ସ୍ୱାମିସେବା ବ୍ରତ ନିୟମ

ଅଭ୍ୟାଗତ ପୂଜନ

ଦାନେ ଧ୍ୟାନେ ଦେବ ଅର୍ଚ୍ଚନେ

ଯାପେ ଚିନ୍ତା ଜୀବନ ।

ଏକାନ୍ତ ଈଶ୍ୱରଭକତି

ବେନି ପରାଣୀଙ୍କର

କରିଥାନ୍ତି ସବୁ କରମେ

ବିଭୁପଦେ ନିର୍ଭର ।

 

ରାଜରାଣୀ ପୁଣ୍ୟପ୍ରଭାରେ

ସୁଖୀ ସକଳ ପ୍ରଜା

ବସୁମତୀ ବ୍ୟାପି ଉଡ଼ଇ

ତାଙ୍କ କୀରତି ଧ୍ୱଜା ।

 

ବିଶ୍ୱପତିଙ୍କର ଏ ବିଶ୍ୱ-

ଲୀଳା ନଶ୍ୱର ଜାଣି

ତଦ୍‌ଗତ ହୃଦୟେ ଯାପନ୍ତି

ଦିନ ନରେନ୍ଦ୍ର-ରାଣୀ ।

 

ଦିନେ ଯଥାରୀତି ତଇଳ

ମର୍ଦ୍ଦନାନ୍ତେ ଭୂପତି,

ଲୀଳାସରେ ସ୍ନାନ ସକାଶେ

ବିଜେ କରୁଁ ତଡ଼ତି,

 

ଆଚମ୍ବିତେ ଆସି ପୁରତେ

ଉଭା ହେଲେ ତାଙ୍କର

କ୍ଷୀରୋଦକୁମାରୀ କମଳା,

ଶନି ରବିକୁମର ।

 

 

ଶୁଦ୍ଧ ଜମ୍ବୁନଦ-ଗଉରୀ

ନାରାୟଣମୋହିନୀ,

ପାଶେ ଉଭା ଛାୟାନନ୍ଦନ

ନୀଳ ଜୀମୂତ ଜିଣି ।

 

ସଘନ ବିଦ୍ୟୁତ ବ୍ୟାପିଲା

କିବା ମହୀମଣ୍ଡଳେ ?

ହେମ ମରକତ ପ୍ରଭାରେ

ଚଉଦିଗ ଉଜ୍ଜ୍ୱଳେ ।

 

ଦେଖି ସମମ୍ଭ୍ରମେ ଶ୍ରୀବତ୍ସ

ଦିବ୍ୟ ଭକତିଭରେ

ପ୍ରଣମି ଅଦୂରେ ରହିଲେ

କୃତ ଅଞ୍ଜଳି କରେ ।

 

ପୁଚ୍ଛିଲେ ବିନୟ ମଧୁର

ଭାଷେ ନୃପତିଳକ

‘‘କି ଲାଗି ଆଗତ ତ୍ରୈଲୋକ୍ୟ-

ମାତଃ ! ଗ୍ରହନାୟକ?’’

 

 

ଉତ୍ତରିଲେ ସ୍ମିତ ଆନନେ

ଦେବ ସୂର୍ଯ୍ୟକୁମର

‘‘ଆସିଅଛୁଁ ତବ ସକାଶେ *

ପ୍ରାଗ୍‌ଜ୍ୟୋତିଷ ଈଶ୍ୱର

* ପାଶେ

 

ତୁମ୍ଭେ ନ୍ୟାୟବାନ ଧାର୍ମିକ

ବିଚକ୍ଷଣ ନୃପତି

କର ଏକ ଦ୍ୱନ୍ଦ୍ୱକଥାର

ସୁମୀମାଂସା ସମ୍ପ୍ରତି ।

 

ମୁହିଁ ଗ୍ରହାଧିପ ଶଉରି

ଏ ଯେ କମଳାଳୟା

ଆମ୍ଭ ବେନି ମଧ୍ୟେ ଶ୍ରେଷ୍ଠ କେ

କହ କରି ସୁଦୟା ।’’

 

ଶନିଙ୍କ ବଚନ ଅଶନି-

ଘୋଷେ ହୋଇ ବିରସ

ଭାଳିଲେ ନରେଶ, ନିଶ୍ଚୟ

ଶେଷ ହେଲା ସର୍ବସ୍ୱ ।

 

ଶନୈଶ୍ଚରେ ଶ୍ରେଷ୍ଠ କହିଲେ

ରୁଷ୍ଟ ହେବେ କମଳା

କରିବେ ପଥର କାଙ୍ଗାଳ

ସ୍ୱଭାବେ ସେ ଚଞ୍ଚଳା ।

 

କମଳାଙ୍କୁ ଶ୍ରେଷ୍ଠ କହିଲେ

କୋପ ହେବେ ଶଉରି

ରଖି ନ ପାରିବେ ସେ କୋପୁଁ

ବ୍ରହ୍ମା ଶଙ୍କର ହରି ।

 

ଏ ବିଧି ବିବିଧ ଚିନ୍ତାରେ

ଚିନ୍ତାପ୍ରାଣବଲ୍ଲଭ,

ବୋଇଲେ, ‘‘ଏ ତତ୍ତ୍ୱ ମୀମାଂସା

ଶୀଘ୍ର ନୋହେ ସମ୍ଭବ ।

 

ସମୟ-ସାପେକ୍ଷ ଅଟେ ଏ

ପ୍ରଶ୍ନ ସମସ୍ୟା ଘୋର

କାଲି ପ୍ରାତେ ବ୍ୟକ୍ତ କରିବି

ଯାହା ବକ୍ତବ୍ୟ ମୋର ।’’

 

 

‘‘ଆଛା ହେଉ’’ ବୋଲି କମଳା

ଶନି ହେଲେ ଅନ୍ତର

ସ୍ନାନ ଲାଗି ନୃପ ସଚିନ୍ତ

ହୃଦେ ଗମିଲେ ସର ।

 

ସ୍ନାନାନ୍ତେ ଶୁଦ୍ଧାନ୍ତେ ମହିଷୀ

ପାଶେ ସବୁ ବୃତ୍ତାନ୍ତ

ବିବରି, ବିଷାଦେ ରହିଲେ

ପ୍ରାଗ୍‌ଜ୍ୟୋତିଷର ନାଥ ।

 

ଶୁଣି ସେ ବିଷମ ସମସ୍ୟା

ରାଣୀ ବିଷଣ୍ଣ ମନ

ବିଷାଦ-ବାରିଦ ଢାଙ୍କିଲା

ଚାରୁ ଚନ୍ଦ୍ରବଦନ ।

 

ଥର ଥର ହୋଇ ଥରିଲା

ଅଙ୍ଗ ସ୍ୱର୍ଣ୍ଣବଲ୍ଲରୀ

ଦର ଦର ଧାରେ ପଡ଼ିଲା

ନେତ୍ରୁ ଲୋତକ ଝରି ।

 

 

ପୀବର ଉତ୍ତୁଙ୍ଗ ବକ୍ଷୋଜ-

ଚୁମ୍ବୀ ହୀରକହାର

ଘନ ଘନ ଶ୍ୱାସେ କମ୍ପିତ

ହେଲା ବାରକୁ ବାର ।

 

ଗଦଗଦ ଭାଷେ ଭାଷିଲେ

ସତୀ କାତରକଣ୍ଠେ,

‘‘କେ ଜାଣେ ବିହି କି ଲିହିଛି

ଆମ୍ଭ ଲଲାଟପଟେ ।

 

ଅମରେ ଅମରେ ବିବାଦ

ତହିଁ ମଧ୍ୟସ୍ଥ ନର

ନୁହଇ ଏ ଶୁଭ ଲକ୍ଷଣ

କେବେ ପରାଣେଶ୍ୱର ।’’

 

ପ୍ରେୟସୀ-ବତ୍ସଳ ନୃପତି

ପ୍ରିୟା କାତରବାଣୀ

ଶ୍ରବଣେ ମଧୁରେ କହନ୍ତି,

‘‘ଚିନ୍ତା ନ କର ରାଣି !’’

 

 

ବିଭୁଙ୍କ ଇଚ୍ଛାଟି ଅବଶ୍ୟ

ପ୍ରିୟେ ହେବ ପୂରଣ

ବୃଥା ଚିନ୍ତା କରି ତହିଁରେ

ଆଉ କିବା କାରଣ ?

 

ଦୁଃଖ ସୁଖ ବେନି ମଧ୍ୟରୁ

ଯେବେ ଦେବେ ସେ ଯାହା

ସାଦରେ ସାନନ୍ଦେ ମସ୍ତକ

ପାତି ନେବାକୁ ତାହା,

 

ଦିଅନ୍ତୁ ଆମ୍ଭଙ୍କୁ ଶକତି

ଏହି ମାତ୍ର ପ୍ରାର୍ଥନା

ନ କରେ ଶ୍ରୀବତ୍ସ ତଦ୍ଭିନ୍ନ

ଆଉ ଆନ କାମନା ।’’

 

ଧୈର୍ଯ୍ୟଶୀଳା ଚିନ୍ତା ଧଇର୍ଯ୍ୟ-

ବଳେ ସଂଯମି ମନ

ଯଥାବିଧି ନିତ୍ୟକୃତ୍ୟରେ

କଲେ ଦିନ ଯାପନ ।

 

 

ଭ୍ରମିଲା ଭୂପତି ମାନସ

ଭୀମ ଚିନ୍ତା-ତରଙ୍ଗେ

ସଚିନ୍ତିତେ ନିଶି ଯାପିଲେ

ଚିନ୍ତା ମହିଷୀ ସଙ୍ଗେ ।

 

ନ ଦିଶୁ ଉଜ୍ଜ୍ୱଳ ଅରୁଣୋ-

ଦୟେ ପ୍ରାଚୀ ସରଣୀ

ନ ଆସୁଁ ମହୀକି ଓହ୍ଲାଇ

ଉଷା ଫୁଲ୍ଲବରଣୀ ।

 

ନ ଲୁଚୁଁ ପେଚକ-କୀଚକ-

କୁଞ୍ଜେ ବାୟସଭୟେ

ନ ମୁଞ୍ଚୁଁ ପ୍ରକୃତି ସୁନୀଳ

ବେଶ ଭାନୁ ଉଦୟେ,

 

ନ ଫିଟୁଁ କମଳକଳିକା

ବାଳାରୁଣାଲିଙ୍ଗନେ

ନ ଲୋଟୁଁ ସେ ଫୁଲ ରସିକ

ଭୃଙ୍ଗରାଜ ଚରଣେ

 

 

ନ ବୁଡ଼ୁ ପ୍ରଭାତୀ ତାରକା-

ପ୍ରଭା ନୀଳ ଗଗନେ

ନ ଉଡ଼ୁଁ ଅମ୍ବରେ ଭରତ

ସୁମଧୁର କୂଜନେ

 

ନ କରୁଁ ପ୍ରଭାତ ବିଜୟ-

ବାର୍ତ୍ତା କାକ ପ୍ରଚାର

ନ ହରୁଁ ସରଘା ସୁମନ-

ପୁଞ୍ଜୁ ସୁମନସାର;

 

ତେଜି ତଳ୍ପ ରାଏ ଉଠିଲେ

ଇଷ୍ଟ ନାମ ସୁମରି

ସ୍ନାନ ଦେବ-ଅରଚନାଦି

ନିତ୍ୟକର୍ମ ଆଚରି ।

 

ବିଜେ କଲେ ସଭାସଦନେ

ପାତ୍ର ଅମାତ୍ୟ ସହ

ଝଟକେ ବାଳାର୍କ କିରଣେ

ତେଜପୁଞ୍ଜ ବିଗ୍ରହ ।

 

 

ରାଜଦଣ୍ଡ ଚଣ୍ଡପ୍ରଭାରେ

ଦକ୍ଷ କରେ ରାଜିତ

ବିଲମ୍ୱିତ ସ୍କନ୍ଧଦେଶରେ

ସ୍ୱର୍ଣ୍ଣ ଯଜ୍ଞୋପବୀତ

 

ଶାନ୍ତ ମହୋଜ୍ଜ୍ୱଳ ନିର୍ମ୍ମଳ

ନୃପ ଶ୍ରୀମୁଖ-ଶଶୀ

ବିଷଣ୍ଣ ବାରିଦେ ଢାଙ୍କିଛି

ଚିନ୍ତା ମହତୀ ମସୀ ।

 

କରି, ସୁମନ୍ତ୍ରଣା ମନ୍ତ୍ରୀଙ୍କ

ତୁଲେ ନୃପଶେଖର

ବିନା ବାକ୍ୟେ ହେବ ମୀମାଂସା

ଯଥା ଦେବଦ୍ୱନ୍ଦ୍ୱର,

 

ତାହାର ଆଶ୍ଚର୍ଯ୍ୟ ଉପାୟ

କରି ଉଦଭାବନ

ଅଣାଇ ସୁବର୍ଣ୍ଣ ରଜତ

ବେନି ସିଂହଆସନ

 

 

ଯତନେ ବିବିଧ ରତନେ

କରାଇ ତା ମଣ୍ଡନ

ରାଜସିଂହାସନ ଉଭୟ

ପାର୍ଶ୍ୱେ କଲେ ସ୍ଥାପନ ।

 

ଦିବ୍ୟ ସିଂହାସନ ସୁଚାରୁ

କାରୁକାର୍ଯ୍ୟଖଚିତ

ଦେଖି ସଭ୍ୟ ସହ ଶ୍ରୀବତ୍ସ

ହେଲେ ପରମ ପ୍ରୀତ ।

 

ଦେଖୁଁ ଦେଖୁଁ ସ୍ୱର୍ଗୁ ଆସିଲେ

ଶ୍ରୀୟା ଛାୟାକୁମର

ଜ୍ୟୋତିର୍ମୟ ଦିବ୍ୟ ପ୍ରଭାରେ

ସଭା କରି ଭାସ୍ୱର ।

 

ଦକ୍ଷେ ସ୍ୱର୍ଣ୍ଣାସନେ ବସିଲେ

ଲକ୍ଷ୍ମୀ ସ୍ୱର୍ଣ୍ଣବରଣୀ

ବାମେ ବିଜେ ରୌପ୍ୟ ଆସନେ

ଗ୍ରହନାୟକ ଶନି ।

 

 

ତେଜି ସିଂହାସନ ନୃପତି

କୃତାଞ୍ଜଳିପୁଟରେ

ଯଥାବିଧି ପୂଜା ଆଚରି

ବେନିଙ୍କର ପୟରେ,

 

କରି କୋରକିତ ଶ୍ରୀକର

ଉଭା ହେଲେ ସମକ୍ଷେ

ମଜ୍ଜିଲା ମାନସ-ମାତଙ୍ଗ

ଗୁରୁ ଆଶଙ୍କା-ପଙ୍କେ ।

 

ପ୍ରତିସମ୍ଭାଷଣ ନରେଶେ

କରି ରବିନନ୍ଦନ

ପୁଚ୍ଛିଲେ, ‘କେ ଆମ୍ଭ ବେନିରୁ

ଶ୍ରେଷ୍ଠ କହ ରାଜନ ।’

 

ଉତ୍ତରିଲେ ନୃପ ସସ୍ମିତେ

ସକୁଣ୍ଠିତେ ସଭୟେ

‘‘କିସ ମୁଁ ଅଧିକ କହିବି

ଆଉ ଏହି ବିଷୟେ ?

 

 

ଆସନ ସ୍ୱରୂପ ଜଗତେ

ଶ୍ରେଷ୍ଠତ୍ୱର ପ୍ରମାଣ

ବାମେ ସାଧାରଣ ବସଇ

ବାମେତରେ ପ୍ରଧାନ ।’’

 

ନୃପତି ବଚନେ ନିଜକୁ

ଅପମାନିତ ମଣି

ହେଲେ ପ୍ରଜ୍ଜ୍ୱଳିତମୂରତି

କୋପ ପ୍ରଚଣ୍ଡେ ଶନି

 

ସ୍ଫୁରିଲା ଅରୁଣ ନୟନୁ

ଅଗ୍ନିସ୍ଫୁଲିଙ୍ଗମାନ

ଘୂରିଲା ସେ ପୁଣି ବିକଟେ

କାଳଚକ୍ର ସମାନ

 

ଥରିଲା ସକ୍ରୋଧେ ସହସା

ନୀଳଜୀମୂତ ତନୁ

ଝରିଲା କି ତପ୍ତ ତାମ୍ରର

ପ୍ରଭା କଳା ବଦନୁଁ ?

 

 

ବହିଲା ତପତ ଅନିଳ-

ପ୍ରଭ ମୁହୁଃ ନିଶ୍ୱାସ

ଦହିଲା କି ନୃପପରାଣେ

ଉପୁଜାଇ ତରାସ ।

 

ନୃପେ ପ୍ରତିଶୋଧ ଦେବାକୁ

କରି ଦାରୁଣ ପଣ

ମ୍ଳାନମୁଖେ ସ୍ୱୀୟ କକ୍ଷକୁ

ଶନି କଲେ ଗମନ ।

 

ଶନିରୀତି ଦେଖି ଭାଳନ୍ତି

ରାଏ ଭୟବିହ୍ୱଳେ

‘‘ପଡ଼ିଲି ଏଥର ନିଶ୍ଚୟ

ଶନି-କୋପ-ଅନଳେ ।’’

 

କମଳସମ୍ଭବା କମଳା

ମୁଖ-କମଳ ଫୁଲ୍ଲ

ରାଜ-ସୁବିଚାରେ ହୋଇଲା

ମହାହରଷୋତ୍‌ଫୁଲ୍ଲ ।

 

 

ହୋଇ ମହାତୁଷ୍ଟ ବୋଇଲେ

ନୃପେ ସମ୍ୱୋଧି ମାତ

‘‘ସତ୍ୟ ସତ୍ୟ ତୁମ୍ଭେ ପରମ

ନ୍ୟାୟବାନ ନୃନାଥ ।

 

ହୋଇ ମହାପ୍ରୀତ ଦେଉଛି

ବର କର ଗ୍ରହଣ

ମୋ ପ୍ରିୟନିବାସ ସତତ

ହେବ ତବ ସଦନ ।’’

 

ବର ଦେଇ ଦେବୀ ଗମିଲେ

ବଇକୁଣ୍ଠ ଭୁବନ

ମାତ୍ର ହେଲା ରାଜ-ହୃଦୟ

ବେଳୁ ବେଳ ବିଷଣ୍ଣ ।

 

ନାହିଁ ସେହି ଦିନୁ ସୁତାଏ

ଶାନ୍ତି ନୃପ-ମାନସେ

ପ୍ରାଣ ରାଜଭୋଗେ ଆମୋଦେ

ରାଜକାର୍ଯ୍ୟେ ନ ରସେ ।

 

 

ଚିତା ପରି ଚିନ୍ତା-ଅନଳ

ଦହେ ଦିବସ ନିଶି,

କରନ୍ତି ପ୍ରବୋଧ ବହୁତ-

ରୂପେ ଚିନ୍ତା ମହିଷୀ ।

 

ମାତ୍ର ସେ ଲଳିତ ମଧୁର

ମୃଦୁ ମଞ୍ଜୁଳ ବାଣୀ

ତିଳେ ହେଲେ ନୃପ-ହୃଦୟେ

ଶାନ୍ତି ନ ଦିଏ ଆଣି ।

 

ନାନା ଦୁର୍ଭାବନା ହୃଦୟ-

ରାଜ୍ୟେ କଲା ବସତି

ଦିନୁ ଦିନୁ କ୍ଷୀଣ ହୋଇଲା

ମନୋହର ମୂରତି ।

 

ଶନୈଶ୍ଚର କୋପ ସରଜି

ଭୂପ-ଭାଗ୍ୟ-ଗଗନେ

ଭୀଷଣ ଦୁର୍ଯୋଗ-ବତାସ

ସହବାସେ ପ୍ରଚ୍ଛନ୍ନେ

 

 

ବିପଦ-ବଜ୍ରାଗ୍ନି-ସନ୍ତାପ-

ତାପ ବରଷା ସହ

ନରପତି ଛିଦ୍ର ସନ୍ଧାନେ

ଦେଲେ ନିରତେ ଲୟ

---------

 

ଦ୍ୱିତୀୟ ସର୍ଗ

ରାଗ-କଳହଂସକେଦାର

ବଢ଼ଇ ନରପତି

ଚିନ୍ତା-ଅନଳ

ଲୋଡ଼ଇ ଶନି ତାଙ୍କ

ଛିଦ୍ର କେବଳ

ଖଳର ରୀତି ସିନା

ଛିଦ୍ରାନ୍ୱେଷଣ

ମକ୍ଷିକା ଲୋଡ଼େ ଯଥା

ସୁସ୍କାଙ୍ଗେ ବ୍ରଣ

 

 

 

 

ଦଇବେ କରୁଁ ଦିନେ

ଶ୍ରୀବତ୍ସ ସ୍ନାନ

ଅଦ୍ଭୁତେ ଆସି ଏକ

କୃଷ୍ଣାଙ୍ଗ ଶ୍ୱାନ;

କଲା ଶ୍ରୀଅଙ୍ଗଧୌତ-

ଜଳ ଲେହନ

ତା’ ଦେଖି ମହାଭୀତ

ହେଲେ ରାଜନ

 

 

 

 

ଆକ୍ରମିଲେ ଶଉରି

ଏ ଛିଦ୍ର ପାଇ

ହେଲେ ଶ୍ରୀଭଷ୍ଟ ପ୍ରାଗ-

ଜ୍ୟୋତିଷ-ସାଈଁ

ହୋଇଲା ବୁଦ୍ଧି ହ୍ରାସ

ଦିନକୁ ଦିନ

ସସାଗରାଧିପତି

ହୋଇଲେ ଦୀନ

 

 

 

 

ବିନା ଭୂକମ୍ପେ ପଡ଼େ

ଭୂତଳେ ଟଳି

ମେଢ଼ ମଣ୍ଡପ ଚନ୍ଦ୍ର-

ଶାଳା ଦେହଳି

ସିଂହଦ୍ୱାର ଅଟ୍ଟାଳି

ନାଟମନ୍ଦିର

ସରମ୍ୟ ହଂସପୁର

ଦୁର୍ଗ ପ୍ରାଚୀର;

ପଡ଼ିଲା ହସ୍ତିଶାଳ

ମାଡ଼ି ମେଦିନୀ

କରି ଧ୍ୱଂସ ଅସଂଖ୍ୟ

କରୀ-କରିଣୀ

ଅସଂଖ୍ୟ ମେଷ ଅଶ୍ୱ

ଉଷ୍ଟ୍ର ଗୋକୁଳ

ହୋଇଲେ କ୍ରମେ କ୍ରମେ

ସର୍ବେ ନିର୍ମୂଳ

ଶିଳ୍ପୀ କଳ୍ପନାତୀତ

ରାଜ-ଭବନ

ଏକେ ଏକେ ସକଳ

ହୋଇ ଭଗନ;

ହୋଇଲା ପରିଣତ

ଶିଳାସ୍ତୂପରେ

ଦୁର୍ଦ୍ଧର୍ଷ ଗ୍ରହ-ଈଶ

ଶନିକୋପରେ

ଅଦ୍ଭୁତେ କେଉଁ ସ୍ଥାନ

ଦହେ ଅନଳ

ଦିଶଇ ଦିବା ବିଭା-

ବରୀ-ଧୂମଳ

ଅକସ୍ମାତ ହୁଅଇ

ଉଲ୍‌କା ପତନ

ଶୁଭେ ବିକଟେ କାଳ

ପେଚକସ୍ୱନ

ଆଚମ୍ୱିତେ ରୁଧିର-

ଧାର ବରଷେ

ନକ୍ଷତ୍ରରାଜି ବିରା-

ଜନ୍ତି ଦିବସେ

ଭୀମ ପୁଚ୍ଛକୁ ଟେକି

ଗଗନପଟେ

ଧୂମଳତନୁ ଧୂମ-

କେତୁ ପ୍ରକଟେ

 

 

 

 

ଭସ୍ମ ହୋଇଲା ଶସ୍ୟ-

ସ୍ୱର୍ଣ୍ଣଭଣ୍ଡାର

ଧ୍ୱଂସ ହୋଇଲା ଶ୍ୟାମ-

ଶିରୀ ଧରାର

ହାହାକାରେ ଚୌଦିଗ

ହୋଇଲା ପୂର୍ଣ୍ଣ

ହେଲେ ପରଜାକୁଳ

ସମ୍ୱଳଶୂନ୍ୟ

 

 

 

 

ଉଠିଲା ପୂରେ ପୂରେ

କ୍ରନ୍ଦନରୋଳ

ହେଲା ଶ୍ରୀବତ୍ସ ନୃପ

ଚିତ୍ତ ବିଲୋଳ*

ନଗରେ ତିନିଦିନ

କରି ଭ୍ରମଣ

କଲେ ସ୍ୱଚକ୍ଷେ ସବୁ

ପର୍ଯ୍ୟବେକ୍ଷଣ

*କମ୍ପମାନ

 

 

 

 

ଟଳିଲା ଟାଣପଣ

ଫାଟିଲା ବକ୍ଷ

ହୋଇଲେ ହତବୁଦ୍ଧି

ଚିନ୍ତା-ନାୟକ

ବିଷମ ବିଭୀଷିକା-

ସଙ୍କୁଳାର୍ଣ୍ଣବେ

ବିଭ୍ରମି ଚିତ୍ତ ଥୟ

ନ ହେଲା ଲବେ

 

 

 

 

ପରାଣ ଈଶ୍ୱରଙ୍କୁ

ଦେଖି ବ୍ୟାକୁଳ

ହୋଇଲା ପତିପ୍ରାଣା-

ପ୍ରାଣ ଆକୁଳ

ପରଜାପୁଞ୍ଜଦୁଃଖ

ଦେଖି କାତରେ

ମଜ୍ଜିଲେ ଚିନ୍ତା ରାଣୀ

ଚିନ୍ତା-ସାଗରେ

 

 

 

 

ଦେଖି ସପତ୍ନୀ ବସୁ-

ମତୀ ଦୁର୍ଦ୍ଦଶା

ସଜ ସରୋଜ-ମୁଖୀ

ହୋଇ ବିବଶା,

ମୁଞ୍ଚନ୍ତି ଦିବାନିଶି

ଲୋତକଧାର

ମୁଞ୍ଚି ବାରିଜେକ୍ଷଣା

ନିଦ୍ରା ଆହାର

 

 

 

 

ଶୀର୍ଣ୍ଣ, ସୁନ୍ଦର ତନୁ

ଦିନକୁ ଦିନ

ଶଣ-ସୁମନକାନ୍ତି

ହେଲା ମଳିନ

ପ୍ରେୟସୀ କାତରତା

ହେଲା ନୃପତି-

ଚିନ୍ତା-ଅନଳେ ପୂର୍ଣ୍ଣ

ଆହୁତି ମତି

 

 

 

 

କହନ୍ତି ରାଏ, ‘‘ଚିନ୍ତା !

ଚିନ୍ତା ନ କର

ଧୀରେ ! ବିପତ୍ତିକାଳେ

ଧଇର୍ଯ୍ୟ ଧର

ଜନ୍ମିଲେ ମୃତ୍ୟୁ କେବେ

ନୋହେ ଖଣ୍ଡନ

ବୃଥା ବ୍ୟାକୁଳ ନୁହ

ପରାଣଧନ

 

 

 

 

କରମଫଳ ପ୍ରାଣୀ

କରଇ ଭୋଗ

ଦଇବୀ ମାୟା ଦିଏ

କା’ ସହ ଯୋଗ ?

କରି ପାରିବ କିଏ

ସେ ମାୟା ଆନ ?

ଫଳବିଧତା * ସ୍ୱୟଂ

ଶ୍ରୀ ଭଗବାନ !

*ବିଧାତା-ବିଧାନକର୍ତ୍ତା

 

 

 

 

ଇଚ୍ଛାମୟଙ୍କ ଇଚ୍ଛା

ଅଟଇ ଯାହା

କାହାର ବଳେ ହେବ

ଅନ୍ୟଥା ତାହା ?

ତାଙ୍କ ପୟରେ ମୋର

ସବୁ ନିର୍ଭର

ଶକତିବିହୀନ ମୁଁ

କର୍ତ୍ତା ଈଶ୍ୱର

 

 

 

 

ସମ୍ୱରି ଗର୍ଭେ ଭୀମ

ବଜ୍ର ଅନଳ

ବରଷେ ବାରିବାହ

ଯେସନେ ଜଳ

ଦେଖି ତାପିତ ଧରା

ତାପ ଯାତନା

ତଥା ଦିଅନ୍ତି ନୃପ

ପ୍ରିୟେ ସାନ୍ତ୍ୱନା

 

 

 

 

ମଲେ ଅସଂଖ୍ୟ ନର-

ନାରୀ ଦହନେ

କେତେ ବା ଅନାହାରେ

ଭିତ୍ତି ପତନେ;

କେତେ ବା ହୋଇ ଅସ୍ଥି-

ପଞ୍ଜର ସାର

ରହିଲେ ମାତ୍ର ମଣି

ପରାଣେ ଭାର

 

 

 

 

ହୁଅଇ ଦିନୁ ଦିନ

ଘୋର ଉତ୍ପାତ

ଦେଖି ସକଳ ପ୍ରଜା

ହୋଇ ଭୟାର୍ତ୍ତ;

କରନ୍ତି ଆର୍ତ୍ତନାଦ

ସିଂହ ଦୁଆରେ

ସେ ନାଦ କ୍ରୂରେ ନୃପ

ହୃଦ ବିଦାରେ

 

 

 

 

ଶନି-ମାୟାରେ ତାଙ୍କ

ଚିତ୍ତ ଚଞ୍ଚଳ

ପ୍ରଜା ଆରତି-ବାତେ

ହୋଇ ପ୍ରବଳ

ଉଡ଼ିଲା ଧୈର୍ଯ୍ୟମେରୁ

ତୁଳା ପରାୟେ

ବୁଡ଼ିଲେ ନଇରାଶ୍ୟ-

ସାଗରେ ରାୟେ !

 

 

 

 

ପ୍ରଜାବତ୍ସଳ ଦେଖି

ପରଜା ଦୁଃଖ

ଭାଷନ୍ତି ରାଣୀପାଶେ

ହୋଇ ବିମୁଖ-

‘‘ନାହିଁ ପ୍ରେୟସୀ ! ପ୍ରତି-

ଉପାୟ ଆଉ

ପ୍ରବଳେ ଗ୍ରହରାଜ

ସାଧିଲା ଦାଉ

 

 

 

 

ମୋ ଦୋଷୁଁ ରାଜ୍ୟ ପ୍ରଜା

ହୁଅନ୍ତି କ୍ଷୟ

ମୋ ପକ୍ଷେ ରାଜ୍ୟତ୍ୟାଗ

ଶ୍ରେୟଃ ନିଶ୍ଚୟ

ନାହିଁ ଆୟତ୍ତେ ଚିନ୍ତା,

ଚିତ୍ତ ମୋହର

ଜାଣୁଛି ଏହି ଇଚ୍ଛା

ଇଚ୍ଛାମୟର

 

 

 

 

ମୋର ଆଦେଶ ଏବେ

କରି ଗ୍ରହଣ

ପିତୃ-ଆଳୟେ ପ୍ରିୟେ,

କର ଗମନ

ବିଭୁକୃପାରେ ଗ୍ରହ

ହେଲେ ଖଣ୍ଡନ

ହୋଇବ ତୁମ୍ଭ ସଙ୍ଗେ

ପୁନର୍ମିଳନ ।’’

 

 

 

 

 

 

 

 

ନୃପ-ପୀୟୂଷ-ବାଣୀ

କୁଳିଶୁଁ ଟାଣ

ହୋଇ ଭେଦିଲା ଚିନ୍ତା

ମହିଷୀ ପ୍ରାଣ

କମ୍ପି ଉଠିଲା ତନୁ-

ବିଦ୍ୟୁଲ୍ଲତିକା

କଞ୍ଜ-ସୁନ୍ଦର-ମୁଖ

ପଡ଼ିଲା ଫିକା

 

 

 

 

ହେଲା ହୃଦୟ ଉତ୍କ-

ଳିକା ଆକୁଳ

ତିନ୍ତିଲା ନେତ୍ରନୀରେ

ରତ୍ନ ଦୁକୂଳ

ବୋଇଲେ ଗଦଗଦ

ଭାଷେ ସୁନ୍ଦରୀ

କର-କମଳେ ପତି-

ପୟର ଧରି;-

 

 

 

 

‘‘ଚରଣ-ଦାସୀକି ଏ

କଠୋରାଦେଶ

ଦିଅନ୍ତୁ ନାହିଁ ଦୟା-

ମୟ ପ୍ରାଣେଶ !

ଯେ ପଥେ ଗତି ସସା-

ଗରାଧିପତି

ରଚିବେ ତହିଁ ତାଙ୍କ

ଦାସୀର ଗତି

 

 

 

 

ଭ୍ରମିବ ତୁମ୍ଭେ ଦେଶେ

ଦେଶେ ନିରାଶେ

ଯିବି ମୁଁ ପିତୃଗୃହେ

କି ସୁଖ ଆଶେ ?

ଚିନ୍ତାକୁ ଦେଲେ ଏହି

ଦାରୁଣ ଚିନ୍ତା

ହେବ କି ମହାରାଜ !

ତୁମ୍ଭେ ଅଚିନ୍ତା ?

 

 

 

 

 

 

 

 

ସେବିବି ସଙ୍ଗେ ସଙ୍ଗେ

ଥାଇ ଶ୍ରୀପଦ

ଶ୍ରୀପଦସେବା ମୋର

ସର୍ବ ସମ୍ପଦ

ଦୁଃଖ ସମୟେ ଥିବି

ତବ ନିକଟେ

ସମଭାଗିନୀ ହୋଇ

ସର୍ବ ସଂକଟେ

 

 

 

 

ସହଚାରିଣୀ ସହ-

ଧରମିଣୀ

କରିବାକୁ କୁଣ୍ଠିତ

ନାଥ, କାହିଁକି ?

ସଦୟେ ସଙ୍ଗେ ଘେନି

ଗମନ୍ତୁ ଏବେ

ମୋ ଯୋଗୁଁ ନ ଭୋଗିବେ

ବିପତ୍ତି କେବେ

 

 

 

 

ଏକସୂତ୍ରେ ଗ୍ରଥିତ

ନିବିଡ଼ ଛନ୍ଦେ

ଦମ୍ପତି ପ୍ରାଣ, ନାଥ !

ଦୈବନିର୍ବନ୍ଧେ

ପରସ୍ପରୁ ଅନ୍ତର

ସେ ଜାୟା ଧବ

ହୋଇଲେ ଶୁଭ ଶାନ୍ତି

ନୋହେ ସମ୍ଭବ

 

 

 

 

ପ୍ରାଣ-ପ୍ରେୟସୀ ପ୍ରାଣ-

କାତର କଥା

ଦେଲା ଶ୍ରୀବତ୍ସପ୍ରାଣେ

ବିଷମ ବ୍ୟଥା

ବୋଇଲେ ଧୀରେ ତେଜି

ଦୀର୍ଘ ନିଶ୍ୱାସ-

‘‘ମୋ ତୁଲେ ଗଲେ ହେବ

ବହୁ ଆୟାସ

 

 

 

 

 

 

 

 

ବିଳାସ ଲୀଳୋଦ୍ୟାନେ

ହୋଇ ଲାଳିତା

ଆବାଲ୍ୟୁ ବଢ଼ିଅଛ

ସୋହାଗେ ଚିନ୍ତା !

ଦୁର୍ବିଷହ ବିପଦ-

ସଙ୍କୁଳ ପଥେ

କେମନ୍ତେ ଯିବ ପ୍ରିୟେ !

ନ ଲାଗେ ପ୍ରତେ

 

 

 

 

କେସନେ ସୁକୁମାର

ପରାଣେ ସହି

ପାରିବ ପଥକଷ୍ଟ

ପରାଣସହି

ଭ୍ରମିବି ମୁହିଁ ଭୀମ

ଭାଗ୍ୟ-ଆବର୍ତ୍ତେ

ଭ୍ରମି ପାରିବ କି ଗୋ,

ମୋର ସଙ୍ଗତେ ?

 

 

 

 

ନିତାନ୍ତ ଯିବା ଇଚ୍ଛା

ଯେବେ ତୁମ୍ଭର

ଧନ ରତନ କିଛି

ସଂଗ୍ରହ କର

ସକଳ ଆଭରଣ

ସର୍ବାଙ୍ଗୁ କାଢ଼ି

ପ୍ରିୟେ ! ଗଣ୍ଠିଲା ଏକ

ବାନ୍ଧ ସଜାଡ଼ି

 

 

 

 

ପାଥେୟରୂପେ ତାହା

ନେଇ ସଙ୍ଗରେ

ତେଜିବା ଏହି ପୁରୀ

ଆଜ ରାତ୍ରିରେ ।’’

ଶୁଣି ମହିଷୀ ସଜ

କଲେ ବହନ

ଅଳପ ଭାର ବହୁ-

ମୂଲ୍ୟ ରତନ

 

 

 

 

 

 

 

 

ହୋଇଛି ଗତ ବେନି

ଯାମ ଯାମିନୀ

କାଳ ତିମିର ଢାଙ୍କି

ଅଛି ମେଦିନୀ

ନୀରବ ସ୍ତବ୍‌ଧ ଶୂନ୍ୟ

ସକଳ ପୁର

ଦୂରେ ଛାଡ଼ନ୍ତି ରଡ଼ି

ଶିବା କୁକ୍କୁର

 

 

 

 

ସ୍ଥାପି ପାଥେୟ ରତ୍ନ

ମସ୍ତକୋପରି

ମହିଷୀ-କର କର-

କମଳେ ଧରି;

ଅନ୍ତରେ ଇଷ୍ଟନାମ

କରି ସ୍ମରଣ

ନବରୁ ବହିର୍ଗତ

ହେଲେ ରାଜନ

 

 

 

 

ଚିରପ୍ରିୟ ସୁଖର

ରମ୍ୟ ଆବାସ

ତେଜିଲେ ଚିନ୍ତାକାନ୍ତ

ହୋଇ ନିରାଶ

ପ୍ରାଣ-ପ୍ରେୟସୀ-ଚିନ୍ତା

ମହିଷୀ ତୁଲେ

ବିଷମ ବ୍ୟଥାଭରା

ପରାଣାକୁଳେ

 

 

 

 

କରୀନ୍ଦ୍ରକୁଳ-ଦର୍ପ-

ଦଳା କେଶରୀ

ଭୀଷଣ ଦାବାନଳ

ଦର୍ଶନେ ଥରି

ଚାଞ୍ଚଲ୍ୟଦୃପ୍ତ ଚଳ-

ଚିତ୍ତେ ଯେସନ

ବରଜେ ପ୍ରିୟା ସହ

ପ୍ରିୟ କାନନ

 

 

 

 

 

 

 

 

ନିବିଡ଼ ଅନ୍ଧକାରେ

ରାଜଦମ୍ପତି

ନୀଳ ଗଗନପଟେ

ତାରକାପନ୍ତି;

ନିଶିଥିନୀର ସାଇଁ

ସାଇଁ ଗର୍ଜନ

ନିଭୃତେ ଭୀତିପ୍ରଦ

ଝିଲ୍ଲୀ ନିଃସ୍ୱନ

 

 

 

 

ଶୁଦ୍ଧ ସୁବର୍ଣ୍ଣପ୍ରଭ

ନୃପତିପ୍ରଭା

ସଙ୍ଗେ ରମଣୀରତ୍ନ

ଦେବଦୁର୍ଲ୍ଲଭା;

ରତ୍ନ ପାଥେୟ ଶିରେ

ଶୁକଳ ବାସେ

ସ୍ୱର୍ଣ୍ଣ ଭୂଧରେ ହିମ-

ଶୃଙ୍ଗ କିବା ସେ !

 

 

 

 

ଘନ ଘନ ନିଶ୍ୱାସ

ବହେ ପ୍ରବଳ

ଦହଇ ମନ-ବନ

ନୈରାଶ୍ୟାନଳ

ଥକଇ ପାଦଗତି

ଥରକୁ ଥର

ରଖଇ ଧରା ଅବା

ଧରି ପୟର

 

 

 

 

କରି କୁଣ୍ଠିତେ ଥୋକେ

ପଥ ଗମନ

ପୁଣି ପଛକୁ ଫେରା-

ଇଲେ ନୟନ

ରାଜ-ପୁରୀର ଭଗ୍ନ-

ସ୍ତୂପକୁ ଚାହିଁ

ଆଉ ଆଗକୁ ପାଦ

ଚଳିଲା ନାହିଁ

 

 

 

 

 

 

 

 

ହେଲା ଅବଶ ତନୁ

ଶୋକ-ଆବେଗେ

ଆତ୍ମ-ବିସ୍ମୃତ ହୋଇ

ଭୂତଳେ ବେଗେ

ଚିତ୍ରପ୍ରତିମା ପରି

ବେନି ପରାଣୀ

ବସି ପଡ଼ିଲେ ଗଣ୍ଡେ

ନିବେଶି ପାଣି

 

 

 

 

ପ୍ରାଗ୍‌ ଜ୍ୟୋତିଷ ଈଶ୍ୱର

ଶ୍ରୀବତ୍ସଙ୍କର

ପଟ୍ଟମହିଷୀ ଚିନ୍ତା-

ଙ୍କର ଆବର,

ସେକାଳେ ପ୍ରାଣେ ହେଲା

ଯେଉଁ ଆୟାସ

ବର୍ଣ୍ଣିବା ନୁହଇ କି

ବୃଥା ପ୍ରୟାସ ?

 

 

 

 

ସକଳ ରାଜପୁର

ଲଭି ବିଲୟ

ଥିଲା ତାଙ୍କର ଏକ-

ମାତ୍ର ଆଶ୍ରୟ

ଏହି ଦୁର୍ଦ୍ଦିନେ ଯେଉଁ

ରମ୍ୟ ସଦନ

ସହସା ବଜ୍ରନାଦେ

ହେଲା ପତନ,

 

 

 

 

ଆତ୍ମବିସ୍ମୃତି ତେଜି

ସେ ଭୀମନାଦେ

ଉଠିଲେ ରାଜା ରାଣୀ

ଭୟେ ବିଷାଦେ

ଅନଳ ଅଦ୍ରିବିଶ୍ୱ-

ଧ୍ୱଂସୀ ଗର୍ଜନେ

ତ୍ରସ୍ତ ଚକିତ ଯଥା

ହୁଅନ୍ତି ଜନେ,

 

 

 

 

 

 

 

 

ପୁଣି ସେ ପରିତ୍ୟକ୍ତ

ନବର ପ୍ରତି

ବିଦଗଧ ହୃଦୟେ

ରାଜଦମ୍ପତି

ସ୍ତୋକେ ମାତ୍ରକ ଚାହିଁ

ଦୁର୍ଦୈବ କୃତେ ୧

ଶେଷ ଦୃଷ୍ଟି ପକାଇ

ଗମିଲେ ଦ୍ରୁତେ

୧ ଦୁର୍ଘଟଣା ଭୟରେ

 

 

 

 

ଏକାଳେ ଆବିର୍ଭୂତା

ହେଲେ ସମ୍ମୁଖେ

ବିଷ୍ଣୁ ବଲ୍ଲଭୀ ଲକ୍ଷ୍ମୀ

ପ୍ରସନ୍ନମୁଖେ

ଦେବାକୁ ଶାନ୍ତି ନୃପ

ଦଗ୍‌ଧ ହୃଦୟେ

ମୂର୍ତ୍ତିମତୀ କରୁଣା

କିବା ଉଦୟେ !

 

 

 

 

ଭୀତ ଚକିତ ରୂପେ

ଦେଇ ଅଭୟ

ବୋଇଲେ ଦେବୀ-‘‘ବତ୍ସ

ନ କର ଭୟ !

କର ନିର୍ଭୟେ ବନ-

ପଥେ ଗମନ

ରକ୍ଷକ ତୋର ସ୍ୱୟଂ

ମଧୁସୂଦନ

 

 

 

 

ଯେବେ ଯହିଁକି ତୁହି

କରିବୁ ଗତି

ଥିବି ଅଲକ୍ଷ୍ୟେ ଛାୟା

ପ୍ରାଏ ତୋ କତି

ଗ୍ରହଦୋଷରୁ କିଛି

ସମୟ ଦୁଃଖ

ଲଭି, ଲଭିବ ପୁଣି

ସ୍ୱରାଜ୍ୟ-ସୁଖ

 

 

 

 

କହି କମଳା ହେଲେ

ଅନ୍ତରହିତା

ଗମିଲେ ବନପଥେ

ଶ୍ରୀବତ୍ସ ଚିନ୍ତା

ଶନି କୋପରୁ କରି

ସର୍ବସ୍ୱ ସୃଷ୍ଟ ୨

ମାତ୍ର ଅଲକ୍ଷ୍ୟେ ସଙ୍ଗେ

ଗଲା ଅଦୃଷ୍ଟ

୨ ତ୍ୟକ୍ତ

 

 

 

 

ଏକେ ଦୁର୍ଗମ ଘୋର

ଦୁର୍ଭେଦ୍ୟ ବନ

ଦୁଯେ ଧରିତ୍ରୀ ଗାଢ଼

ତିମିରାଚ୍ଛନ୍ନ;

କୋଳହଳସଙ୍କୁଳ

ଦିବସୁ ମୁକ୍ତି

ଲଭି ଗମ୍ଭୀର ଶାନ୍ତି-

ମୟୀ ପ୍ରକୃତି

 

 

 

 

କରେ ଚହଳ ମାତ୍ର

ଥରକୁ ଥର

କ୍ରୂର ବିକଟ ରଡ଼ି

ଶ୍ୱାପଦଙ୍କର

ସେ ରବେ ପ୍ରତିଧ୍ୱନି

କାନନ ଘେରି

ବଜାଏ କାଳ-ରାତ୍ରି

ବିଜୟ ଭେରୀ

 

 

 

 

ଦର୍ପଣ ଭିତ୍ତିମୟ

ବଡ଼ ବଡ଼ଭୀ

ଦର୍ପେ ଝଟକେ ଯା’ର

ପ୍ରଭାକୁ ଲଭି

ସୁରଭି ସୁକୋମଳ

ଫୁଲ୍ଲ କମଳ

ଯା ଚାରୁ ଚରଣର

ଉପମାସ୍ଥଳ

 

 

 

 

ଅରବିକରସ୍ପର୍ଶ

ସେ ଦେବୀ ଚିନ୍ତା

ଲାବଣ୍ୟମୟୀ ଚିତ୍ର-

ସେନ ଦୁହିତା

କଣ୍ଟକାକୀର୍ଣ୍ଣ ଶିଳା-

କଙ୍କରମୟ

ଭୀମାରଣ୍ୟେ ଭ୍ରମନ୍ତି

ପତିଙ୍କ ସହ

 

 

 

 

କରୀନ୍ଦ୍ରଜିଣା ଗତି

ଚଞ୍ଚଳ କରି

ଗର୍ଭଭାରଅଳସୀ

ମରାଳୀ ପରି;

କରନ୍ତି ଗତି ସତୀ

ଅତି କ୍ଳେଶରେ

କଣ୍ଟକାଙ୍କୁର ଫୁଟେ

ଚାରୁ ପୟରେ

---------

 

Unknown

ତୃତୀୟ ସର୍ଗ

ରାଗ-ଆଷାଢ଼ ଶୁକ୍ଳ

ଚିନ୍ତା ସଙ୍ଗତେ ଶ୍ରୀବତ୍ସ ରାଜନ

ଘୋର ବନମାର୍ଗେ କରୁଁ ଗମନ

ଦେଖିଲେ ସମ୍ମୁଖେ ଏକ ସନ୍ଦର୍ଭ *

ନଦୀ ବହଇ ଭେଦି ବନଗର୍ଭ

ଅକଳିତ ଜଳ

କଳି ନୁହଇ ତାର କୂଳ ଥଳ ।

*ବିସ୍ତାର

 

ଦେଖି ନୃପତି ସାହସ ଉଡ଼ିଲା

ଚିନ୍ତା-ସାଗରେ ମାନସ ବୁଡ଼ିଲା;

ଅପାର ଜଳ ହୋଇବାକୁ ପାର

ଦିଶିଲା ନାହିଁ ଲବେ ପ୍ରତିକାର;

ବସି ନଦୀକୂଳେ

ରୋଦନ କଲେ ଚିନ୍ତାରାଣୀ ତୁଲେ ।

 

 

 

ଭୀଷଣ ଦାବ ଅନଳ ଉଦୟେ

କରୁଁ ଦ୍ରୁତେ ଗତି ଚକିତେ ଭୟେ

ଅକସ୍ମାତ ବ୍ୟାଧଜାଲେ ପତିତ

ପ୍ରାଣ ଆତଙ୍କେ ଛନ ଛନ ଚିତ୍ତ

କୁରଙ୍ଗ ପରାଏ

ଚାହାନ୍ତି ଚଉଦିଗେ ନରରାଏ ।

 

ଯେସନ ନିଦାଘ ଚଣ୍ଡାଂଶୁତାପେ

ଭ୍ରମି ଭୀମ ମରୁଭୂମେ ସନ୍ତାପେ

ଶୁଷ୍କକଣ୍ଠ ତାଳୁ ତୃଷିତ ପାନ୍ଥ

ଲୋଡ଼ଇ ପୟଃ ହୋଇ ଅତି ଆର୍ତ୍ତ

ତେସନ ନୃପତି

ଲୋଡ଼ନ୍ତି ତରୀ ଚାହିଁ ଚଉକତି ।

 

ସହସା ନରନାଥ ଆଶାପଥ

ଉଜ୍ଜ୍ୱଳି ଏକ ବୃଦ୍ଧ କଇବର୍ତ୍ତ;

ତରଣୀ ବାହି ତରଙ୍ଗିଣୀ ବକ୍ଷେ

କୂଳେ ଶ୍ରୀବତ୍ସ ନରେଶ ସମକ୍ଷେ

ଲଗାଇଲା ଆଣି,

ଦେଖି, ଆଶ୍ୱସ୍ତ ହେଲେ ରାଜା ରାଣୀ ।

 

ବିଲୋକି ଗଗନେ ନବ ମୁଦିରେ

ଯାଚକ ଚାତକ ପରି ଅଧୀରେ,

କହନ୍ତି ରାଏ ନାବିକକୁ ରାଇ

‘‘ସଦୟେ ପାରି କରିଦିଅ ଭାଇ !

ଦେବି ମୁଁ ନିଶ୍ଚିତ

ଯାହା ତବ ପ୍ରାପ୍ୟ ପଣ ଉଚିତ !’’

 

ଶୁଣି ଉତ୍ତର କଲା କର୍ଣ୍ଣଧାର

‘କେ ତୁମ୍ଭେ ରମଣୀ ଘେନି କାହାର,

ଏ ନିର୍ଜନ ସ୍ଥାନେ ଏତେ ରାତ୍ରରେ

ରହିଛ ବସି କେଉଁ ଉଦ୍ଦେଶ୍ୟରେ

କେଣେ ବା ଯାଉଛ,

ଏହି ଗଣ୍ଠିଲାରେ କିସ ନେଉଛ ?

 

ଦେଖି ସନ୍ଦେହ ହୁଅଇ ମୋହର

ଅନୁମାନେ ଆସେ ତୁମ୍ଭେ ତସ୍କର

କାହାର ନାରୀରତନ ଚୋରାଇ

ଅରଣ୍ୟପଥେ ଯାଉଛ ପଳାଇ,

ସତ କରି କହ

ନ ଛାଡ଼ିବି ନ ଦେଲେ ପରିଚୟ ।’

 

ବୋଇଲେ ଖେଦଗମ୍ଭୀରେ ଶ୍ରୀବତ୍ସ,

‘‘ନାବିକ ଭାଇ ! ପୂର୍ବୁଁ ଶୁଣିଅଛ

ଯେଉଁ ଶ୍ରୀବତ୍ସ ନରପତି ନାମ

ମୁଁ ଅଟେ ସେହି, କର୍ମ ହେଲା ବାମ,

ଏ ମୋର ବନିତା

ଚିତ୍ରସେନ ରାଜନନ୍ଦିନୀ ଚିନ୍ତା ।

 

ଦୈବଦୁର୍ବିପାକେ ହୋଇ ପତନ

ଭ୍ରମୁଛୁଁ ବନପଥେ ବେନି ଜନ

ବହୁତ ବେଳୁଁ ତରଙ୍ଗିଣୀତଟେ

ରହିଛୁ ବସି ବଡ଼ ଶୀତକଷ୍ଟେ

ଦୟା ବହି ଭାଇ !

ଅର ପାରିରେ ଦିଅ ପହୁଞ୍ଚାଇ ।’’

 

ଶ୍ରବଣେ ଅଳପ ହସି ବିଦ୍ରୂପେ

ପୁଣି କର୍ଣ୍ଣଧାର କହଇ ନୃପେ

‘‘ଏ କି ମହାରାଜ ! ଅଛନ୍ତି ତବ

ଅମାତ୍ୟବରଗ ବନ୍ଧୁ ବାନ୍ଧବ,

ଏ ବିପତ୍ତିକାଳେ

କି ପାଇଁ ସହାୟ ନ ହେଲେ ତିଳେ ?’’

 

ବୋଇଲେ ଭୂପ ‘‘ସେ ସକଳ କଥା

ଉଠାଇ ନ ଦିଅନ୍ତୁ ବୃଥା ବ୍ୟଥା,

ସମ୍ପଦକାଳେ ସର୍ବେ ଆପଣାର

ବିପଦେ କେହି ନୁହଇ କାହାର,

କେବଳ ସ୍ୱଧର୍ମ

ରକ୍ଷା କରେ ହୋଇ ଅଭେଦ୍ୟ ବର୍ମ ।

 

ଦେଖ ସୁପକ୍ୱ ରସାଳ ଲୋଭରେ

ପକ୍ଷୀଏ ବେଢ଼ିଥାନ୍ତି ତରୁବରେ,

ନିଶି ଦିବସ ନ ଛାଡ଼ନ୍ତି ଲେଶ

ଯାଆନ୍ତି କେଣେ ଫଳ ହେଲେ ଶେଷ,

ଭୁଲି ପୂର୍ବପ୍ରୀତି

ସ୍ୱାର୍ଥପର ସଂସାରର ଏ ରୀତି ।’’

 

ଶୁଣି ଧୀବର ହସି ମନେ ମନେ

କହେ ନୃପଙ୍କୁ ଗମ୍ଭୀର ବଚନେ

‘‘କରନ୍ତୁ ବିଲୋକନ ମହାଶୟ,

ଏ ମୋର ତରୀ ଜୀର୍ଣ୍ଣ ଅତିଶୟ

କଲେ ଆରୋହଣ

ବେନି ଜଣୁଁ ବେଶୀ ହେବ ମଗନ ।

 

ଯେବେ ତୁମ୍ଭେ ଦୁହେଁ ହୋଇବ ପାର

ଗଣ୍ଠିଲା ରଖିଥାଅ ଏହିଠାର

ପରେ ମୁଁ ଏହା ଦେବି ପାର କରି

ଏଥିରେ ଯେବେ ଆପତ୍ତି ତୁମ୍ଭରି

କହନ୍ତୁ ପ୍ରକାଶ୍ୟେ

ଗଣ୍ଠିଲା ଅଗ ରଖିଦେଇ ଆସେଁ ।’’

 

ଶୁଣି ନୃପତି କରୁଁ ସନମତି

ଗଣ୍ଠିଲା ଥୋଇ ତରୀରେ ତଡ଼ତି

ଦ୍ରୂତେ କର୍ଣ୍ଣଧାର ଦରି କ୍ଷେପଣୀ

ନଦୀଗର୍ଭକୁ ବାହିଲା ତରଣୀ

ସତୃଷ୍ଣ ନୟନେ

ସେ ପଥେ ଚାହିଁଛନ୍ତି ବେନି ଜନେ ।

 

ସହସା ଦେଖୁଁ ଦେଖୁଁ ସେ ସରିତ

ସେହି ଧୀବର ତରଣୀ ସହିତ

ରାଜା ରାଣୀଙ୍କର ପଥସମ୍ବଳ

ରତନ ଗଣ୍ଠିଲା ଆଦି ସକଳ

ହୋଇଲା ଉଭାନ

ଗଗନେ ଶକ୍ରକୋଦଣ୍ଡ ସମାନ ।

 

କହନ୍ତି ଭୂପ କରି ‘ହାୟ ! ହାୟ’ !

ଏ କିସ ହେଲା ଭୋଜବାଜି ପ୍ରାୟ

ନିଶ୍ଚୟ ଶନି ମାୟାରୂପ ଧରି

ମାୟା-ତରଙ୍ଗିଣୀ ସର୍ଜନା କରି

ଆମ୍ଭଙ୍କୁ ବଞ୍ଚନ

କରି ହରିଲା ପାଥେୟ ରତନ ।’’

 

ସ୍ୱନେତ୍ରେ ରାଣୀ ଦେଖି ଏହି ଦୃଶ୍ୟ

ଥରି ଥରି ରମ୍ଭାପତ୍ର ସଦୃଶ

କରବଲ୍ଲରୀ ଛନ୍ଦି ପତିଗଳେ

କରନ୍ତି ଗମନ ଭୟବିହ୍ଵଳେ

ବହୁ ପର୍ଯ୍ୟଟନେ

ପ୍ରବେଶ ହେଲେ ଚିତ୍ରଧ୍ୱଜ ବନେ ।

 

ସେ କାଳକୁ ପ୍ରଭାତିଛି ରଜନୀ

ପରାଚୀପୁରେ ବିଜେ ଦିନମଣି

ଝଳି ତରୁଣ ଅରୁଣକିରଣ

ଝଟକି ଦିଶନ୍ତି ଦିଗ୍‌ବଧୁଗଣ

ପାତଳ ପାଟଳ

ପାଟ ପିନ୍ଧିଲା ପରାଏ ଉଜ୍ଜ୍ୱଳ ।

 

ବିନ୍ଦୁ ବିନ୍ଦୁ ଝଡ଼ି ପଡ଼େ ଶିଶିର

ଅବା ସେ ମୁକୁତାଦାମ ନିଶିର

ପ୍ରଭାତ ସମ୍ରାଟ ଆଗମ ଦେଖି

ପଳାଇ ଯାଇଛି ଭୟେ ଉପେକ୍ଷି !

ଅବା ବିଶ୍ୱପତି

କରୁଣା-ସୁଧା ସିଞ୍ଚି ଦେଉଛନ୍ତି !

 

ଗାଇ ପ୍ରଭାତ ବିଜୟ-ଉତ୍ସବ

ଯାଆନ୍ତି ନୀଡ଼ ତେଜି ପକ୍ଷିସର୍ବ

ଅଦୂରୁ ଗୁଞ୍ଜରି ଗୁଞ୍ଜରି ଅଳି

କମଳକୁଞ୍ଜରେ କରନ୍ତି ଅଳି

ଗୁଣୁ ଗୁଣୁ ସ୍ୱରେ

କରନ୍ତି ମଧୁପାନ ମଧୁକରେ ।

 

ଖେଳଇ ପୁଷ୍ପକୁମାରୀଙ୍କ ସହ

ମଳୟାନିଳ      ପରିମଳମୟ

କାହାକୁ ବୃନ୍ତ ଉପରେ ନଚାଏ

କାହାକୁ ମହୀ ଅଙ୍କରେ ଲୋଟାଏ

କାହା ସଉରଭ

ନେଇ ଚୌଦିଗେ ପ୍ରଚାରେ ବିଭବ ।

 

କାନନଚାରୀ      ମୃଗମୃଗୀଗଣେ

ଦେଖି ନୃପେ ଭୟଚକିତ ମନେ

ପଳାଇଯାଉଁ ଅତି ତରତରେ

ପଛକୁ ଗ୍ରୀବା ଭାଙ୍ଗି ଥରେ ଥରେ

ଦେଉଥାନ୍ତି ଚାହିଁ

କବଳିତ ତୃଣାଙ୍କୁର ଚୋବାଇ ।

 

କାନନ ମଧ୍ୟେ ଦିବ୍ୟ ସରୋବର

ସ୍ଫଟିକ ପ୍ରାୟେ ଜଳ ମନୋହର

ଚୌଦିଗୁଁ ବିବିଧ କାନନ ଫୁଲ

ଫୁଟି ଦିଶଇ ଅପୂର୍ବ ମଞ୍ଜୁଳ

ଅବା ତାରାପନ୍ତି-

ମଣ୍ଡିତ ନୀଳନଭେ ତାରାପତି !

 

ଦେଖି ସେ ରମଣୀୟ ସ୍ଥାନ ଚିନ୍ତା

କହନ୍ତି କାନ୍ତେ ହୋଇ ଅତି ପ୍ରୀତା,

‘‘ସମସ୍ତ ରାତ୍ରି ପର୍ଯ୍ୟଟନେ ନାଥ !

ହୋଇଛ ତୁମ୍ଭେ ସାତିଶୟ ଶ୍ରାନ୍ତ

ଏ ସ୍ଥାନେ ବିଶ୍ରମ

ହେଉ କିଞ୍ଚିତ ଶ୍ରମ ଉପଶମ ।

 

ଆଜ ଏ ସରସୀରେ କରି ସ୍ନାନ

ତୋଳି ଏ ଅରଣ୍ୟ ସୁମନମାନ

ଏହି ବନ୍ୟଫଳ ସଂଗ୍ରହ କରି

ଏ ବିଜନ ବନେ ପରାଣ ଭରି

ପୂଜିବା ସ୍ୱଇଷ୍ଟ

ହୋଇବ ଖଣ୍ଡନ ସକଳ ରିଷ୍ଟ ।’’

 

ପ୍ରାଣପ୍ରେୟସୀ ପ୍ରୀତିପୂର୍ଣ୍ଣ କଥା

ଶ୍ରବଣେ ଭୂପ ଭୁଲି ସର୍ବ ବ୍ୟଥା

ଖୋଜି ଆଣିଲେ ଭ୍ରମି ବନେ ବନେ

କିଛି ଫଳମୂଳ ଅଳପ କ୍ଷଣେ

ତଦନ୍ତେ ସରସୀ-

ଶୀତଳ ନୀରେ ସ୍ନାନ କଲେ ପଶି ।

 

ଧରମପ୍ରାଣ      ଶ୍ରୀବତ୍ସ      ନୃପତି

ସହ ଚିନ୍ତା ସହଧର୍ମିଣୀ ସତୀ

ତୋଳି ନାନା ପୁଷ୍ପ ଆର୍ଦ୍ର ବସନେ

ସରୋବରତୀରେ      ପ୍ରସନ୍ନମନେ

ଏକାଗ୍ର ଚିତ୍ତରେ

ଇଷ୍ଟ      ପୂଜନ୍ତି ପ୍ରୀତିଭକ୍ତିଭରେ ।

 

ପରମ      ପ୍ରୀତିରେ      ପରମାନନ୍ଦ

ପୂଜି ଲଭିଲେ      ପରମ      ଆନନ୍ଦ

ଭୁଲିଗଲେ      ରାଜସୁଖ      ସମ୍ପଦ

ଭୁଲିଗଲେ      ଗତ ରାତ୍ରିବିପଦ

ଫଳ ମୂଳାଶନେ

ତୁଚ୍ଛ ରାଜଭୋଗ ମଣିଲେ ମନେ ।

କିଞ୍ଚିତ କ୍ଳାନ୍ତି ହରି ସ୍ନାନାଶନେ ।

 

ଭକ୍ତବନ୍ଧୁନାମ ସୁମରି ମନେ

ସଜାଡ଼ି ଶ୍ଳଥ କୁନ୍ତଳ ବସନ

ସାହସେ ହୃଦୟ କରି ବନ୍ଧନ

ପୁଣି କଲେ ଗତି

ନିରୁଦ୍ଦିଷ୍ଟ ଚିତ୍ତେ ରାଜଦମ୍ପତି ।

 

ବିବିଧ ଗିରି କନ୍ଦରା କାନ୍ତାରେ

ବିବିଧ ତଟିନୀ ସର କାସାରେ

ବିବିଧ ପାଦପ ବଲ୍ଲରୀଗଣେ

ବିବିଧ ବର୍ଣ୍ଣ ସୁରଭି ସୁମନେ

ବିମଣ୍ଡିତ ବନ

ବିଲୋକି ବେନି କରନ୍ତି ଗମନ ।

 

ମହେଶସମ      ମହୀଧରମାନେ

ଅଛନ୍ତି      ଅବା ମଗ୍ନ ମହାଧ୍ୟାନେ

ଝରେ କି ତାଙ୍କ ସତ୍ତ୍ୱତେଜୋରାଶି

ଝର୍ଝରେ      ନିର୍ଝରରୂପ ପ୍ରକାଶି

ଝକ ଝକ କରେ

ଝଳିତ ରୌପ୍ୟ ସରି ସୌରକରେ ।

 

ନିବିଡ଼େ ନୀରନ୍ଧ୍ରେ ତରୁବ୍ରତତୀ

ଛନ୍ଦାଛନ୍ଦି ଭାବେ ରହିଅଛନ୍ତି

ମିଶାଇ ଶିରେ ଶିର, ପତ୍ରେ ପତ୍ର
ଅନନ୍ତପଥେ ଟେକିଛନ୍ତି ଛତ୍ର

ନାହିଁ ପଥ ଲେଶ

ରବିରଶ୍ମି କରିବାକୁ ପ୍ରବେଶ ।

 

ସେହି ଅନନ୍ତ ପଲ୍ଳବସାଗରେ

ବିକ୍ଷେପି ତରଙ୍ଗ ତରଙ୍ଗ ପରେ

ବହିଯାଏ ସମୀରଣ ସଘନେ

ବଢ଼ାଇ ପତ୍ର ମର୍ମର ନିଃସ୍ୱନେ

କୁଞ୍ଜପୁଞ୍ଜେ ରଙ୍ଗେ

କ୍ରୀଡ଼ଇ କୃଷ୍ଣସାର କାନ୍ତା ସଙ୍ଗେ ।

 

ଢାଳି ଲଳିତ ମଧୁର କାକଳୀ

ଭଳି ଭଳି ବନ୍ୟ ବିହଙ୍ଗାବଳୀ

ଶାବକକୁଳେ ଘେନି ନୀଡ଼ଦୋଳେ

ଦୋହ୍ଵଥାନ୍ତି ମୃଦୁବାୟୁହିଲ୍ଲୋଳେ

ବିଲୋକି ସେ ଶୋଭା

ବସୁମତୀପତି ମାନସଲୋଭା ।

 

ସୁନୀଳ ପ୍ରଶାନ୍ତ ସାଗରଶୋଭା

କଲେହେଁ ସାଂଯାତ୍ରିକ-ମନଲୋଭା

ବାତ୍ୟାବିଘୂର୍ଣ୍ଣିତ ତରଙ୍ଗେ ତ୍ରସ୍ତ

ନ ହୁଅଇ କି ? ତଥା ବନପଥ

ସୁରମ୍ୟ ଯେତିକି

ଦୁର୍ଗମ ଶଙ୍କାସଙ୍କୁଳ ତେତିକି ।

 

ଦାମ୍ଭିକ ଦିଗ୍‌ବିଜୟୀ ବୀର ପ୍ରାୟ

ବିସ୍ଫାରିତ କରି ବିରାଟ କାୟ

ଭୀଷଣ ବିକଟ ଶ୍ୱାପଦଗଣେ

ନିର୍ଭୟେ ନିଃଶଙ୍କେ ସେ ଘୋରବନେ

କରନ୍ତି ଭ୍ରମଣ

କରି ବିକଟ ଭୈରବ ଗର୍ଜନ ।

 

ସେହି ଶ୍ୱାପଦସଙ୍କୁଳ ଗହନ

ଦେଖି ଚିନ୍ତାକାନ୍ତ ଚିନ୍ତିତ ମନ

ଅଗ୍ରସର ହେଉଁ ଅତି କାତରେ

ଅନ୍ତର୍ଯ୍ୟାମୀଙ୍କି ଡାକନ୍ତି ଅନ୍ତରେ

‘‘ଆହେ ଲକ୍ଷ୍ମୀପତି !

ସଂସାରସାର ଅଗତିର ଗତି !

 

କରି ସୁଦୟା କରୁଣାନିଧାନ,

ସକଳ ସଙ୍କଟରୁ କର ତ୍ରାଣ

ତବ ବିହୁନେ ଗତି ନାହିଁ ଅନ୍ୟ

ଭରସା କେବଳ ତବ ଚରଣ

ଶରଣ ଜନର

ଶରଣ୍ୟ ! ଶରଣାର୍ତ୍ତେ ରକ୍ଷା କର !’’

 

କାନ୍ତା ସହିତ ଅତ୍ୟନ୍ତ କାତରେ

କରୁଁ ଗମନ ନୃପ ଆରତରେ

ଏରୂପେ ଚିତ୍ତେ ଚିନ୍ତୁ ଚକ୍ରପାଣି

ହୋଇଲା ଅକସ୍ମାତ ଦୈବୀ-ବାଣୀ

ନୈରାଶ୍ୟେ ଆଶାର

ଆଶ୍ୱାସନାଭରା ଭାଷା ପ୍ରକାର ।

 

‘‘ଯେତେଦିନ ରାଏ ! ଥିବ ଅରଣ୍ୟେ

ଥିବି ତବ ସହ ତବ ରକ୍ଷଣେ’’

ଏ ଅଭୟପ୍ରଦ ମନ୍ଦ୍ର ନିଃସ୍ୱନ

ଶୁଣି ଆଶାନ୍ୱିତେ ରାଣୀ ରାଜନ

ଗମିଲେ ରଭସେ*

ନିଶ୍ଚିନ୍ତ ହୋଇ ନିର୍ଭୟ ମାନସେ ।

*ଶୀଘ୍ର

---------

 

ଚତୁର୍ଥ ସର୍ଗ

ରାଗ-ଚୋଖୀ

ପ୍ରାଗ୍‌ଜ୍ୟୋତିଷ ପୁରେଶ୍ୱର,            ଶ୍ରୀବତ୍ସ ନରେଶଙ୍କର

ଶନିମାୟାବଳେ ଚିତ୍ତ ନୋହେ ସୁସ୍ଥିର,

ନ ରହନ୍ତି କାହିଁ ଥୟେ            ଭ୍ରମନ୍ତି ସଦା ଅଥୟେ

କୁରାଳଚକ୍ର ପରାୟେ ନ ହୋଇ ସ୍ଥିର

ନିଷଧେଶ ନଳ ପରାୟେ

ନିରନ୍ତର ବ୍ୟାକୁଳିତ ହୁଅନ୍ତି ରାଏ ।

 

ରାଜ ଆଗମନ ଜାଣି            ସାଜିଛି ପ୍ରକୃତି-ରାଣୀ

ରାଜଯୋଗ୍ୟ ସୁବିଶାଳ ରମ୍ୟ ମନ୍ଦିର,

ଘେରାଇ ଚଉକତିରେ            ବଲ୍ଲରୀ ବନସ୍ପତିରେ

ନିବିଡ଼େ ଦିଗବଳୟବ୍ୟାପୀ ପ୍ରାଚୀର

ମଣ୍ଡାଇଛି ତାକୁ ଯତନେ

ବିବିଧବରଣ ମନୋରମ ସୁମନେ ।

 

 

 

 

ଊର୍ଦ୍ଧ୍ୱେ ଦିଶେ କି ମଞ୍ଜୁଳ            ଶାଣିତ ରତନଫୁଲ

ବିଖଚିତ ଚାରୁ ଚନ୍ଦ୍ରାତପ ସମାନ

ବିରଳ-ତରଳ-କାନ୍ତ-            ତାରାମଣ୍ଡିତ ପ୍ରଶାନ୍ତ-

ନୀଳନଭ ମହାଶୂନ୍ୟେ ଦୋଦୁଲ୍ୟମାନ

ଚଉଦିଗୁଁ ଗୁମ୍ବଜ ପରି

ଧରାଧରେ ଅଛନ୍ତି କି ତାହାକୁ ଧରି ?

 

ସ୍ଫଟିକ ପରି ନିର୍ମଳ                  ଢଳ ଢଳ ସୁଶୀତଳ

ନୀଳନଳବନାକୀର୍ଣ୍ଣ ବିସ୍ତୀର୍ଣ୍ଣ ସର

ଦିଶେ ଇନ୍ଦ୍ରନୀଳମଣି-            ବାଡ଼େ ନିବାଡ଼େ ମଣ୍ଡଣି

ବିଶାଳ ଦର୍ପଣ ପ୍ରାୟେ କି ମନୋହର !

ନବ ଦୂର୍ବାଦଳନିକର

କୋମଳ ତୂଳାତଳପ ଅବା ତାଙ୍କର ।

 

ପ୍ରଭାତେ ପ୍ରାଚୀ ତରୁଣୀ            ପ୍ରଦୋଷେ ରାଣୀ ବାରୁଣୀ

ଅରୁଣ-ରତନଥାଳୀ ଯତନେ ଧରି

କରନ୍ତି କି ନୀରାଜନା ?            ଦିଅନ୍ତି କି ଦ୍ୱିଜାଙ୍ଗନା

ହୁଳହୁଳି ଚଉଦିଗୁଁ ବେଷ୍ଟନ କରି ?

କରନ୍ତି କି ଶୁଭାଶୀର୍ବାଦ

ଦ୍ୱିଜେ; ବାୟେ କି ନିର୍ଝର ମଙ୍ଗଳ ବାଦ୍ୟ ?

 

ଶିଖଣ୍ଡରତନରାଜି                  ଭାନୁ କରଶାଣେ ମାଜି

କରନ୍ତି କି ନୃତ୍ୟ ବହି ତୋଳି ବରହୀ !

ପଞ୍ଚମେ ସଙ୍ଗୀତ ଗାଏ            ଅବା ବ୍ରୀଡ଼ାବତୀ ପ୍ରାଏ

ପରଭୃତବଧୂ ଚୂତ-ନି କୁଞ୍ଜେ ରହି !

ବୈତାଳିକରୂପେ ଖଟନ୍ତି

କିବା କୁକ୍କୁଟ, ଡାହୁକ, କଜ୍ଜ୍ୱଳପତ୍ରୀ !

 

ବହି ଆଣି ସରସୀର            ବାରିଶୀକର ସମୀର

ବିକଚ କୁସୁମନିଚୟରୁ ପରାଗ

ଗନ୍ଧକାରିକା ପରାୟେ            ନୃପତି ଦମ୍ପତି କାୟେ

ବୋଳି ଦେଉଥାଏ ଅବା ବହି ସରାଗ !

ଢାଳନ୍ତି କି ଭକତିଭରେ

ପୁଷ୍ପାଲଟ ତରୁଲତା ଭୂପ ଉପରେ !

 

ମଧୁପାନେ ଉନମତ୍ତ-            ମଧୁପ ହୋଇ ସତତ

ବଜାଏ ପୁଷ୍ପକୋରକ ଶଙ୍ଖ ସଘନେ

ପ୍ରତିହାରୀଙ୍କ ପରାଏ            ବାରତା ଜଣାଉଥାଏ

ନୃପ ଛାମୁରେ ଝିଙ୍କାରୀ ଝିଁ ଝିଁ ନିଃସ୍ୱନେ

ବେଳେବେଳେ ଭାଟଙ୍କ ମତି

ଭଟ ଭଟ ହେଉଥାନ୍ତି ଭେକ ପଙ୍କତି ।

 

ରାଜ୍ୟ ଦଣ୍ଡ ସିଂହାସନ            ତେଜି ଶ୍ରୀବତ୍ସ ରାଜନ

କରନ୍ତି ପ୍ରକୃତିରାଜ୍ୟେ ରାଜ୍ୟ ଏପରି

ଆତ୍ମ ବିସ୍ମରି କାନ୍ତରେ            ଖଟିଥାନ୍ତି ନିରନ୍ତରେ

ଲଳନାଲଲାମମଣି ଚିନ୍ତା ସୁନ୍ଦରୀ

ମାତ୍ର ଯାର ଅଦୃଷ୍ଟ ମନ୍ଦ

ତା ପକ୍ଷେ ସମ୍ଭବ କାହିଁ ଶାନ୍ତି ସମ୍ପଦ ?

 

ନିବେଦି ଅରଣ୍ୟଜାତ            ଫଳ ମୂଳ ନରନାଥ

ଇଷ୍ଟେ, ପ୍ରସାଦସ୍ୱରୂପ ଅଶନ କରି

ବୀଞ୍ଛି କୋମଳ ପତର            ତୃଣାକୀର୍ଣ୍ଣ ମହୀପର

ସହଧରମିଣୀ ସହ ଯାପି ଶର୍ବରୀ      

ସୁଲଳିତ ମୋହନ ରୂପ

ଶୀର୍ଣ୍ଣ କ୍ଷୀଣ କୃଷ୍ଣପକ୍ଷ ଶଶୀ ସ୍ୱରୂପ ।

 

ଏହିମତେ ବହୁ କାଳ            ଯାପିଲେ ବନେ ଭୂପାଳ

କ୍ରମେ କ୍ରମେ ଫଳମୂଳ ହେଲା ଦୁଷ୍ପ୍ରାପ୍ୟ

ନ ପାଇ ଖାଦ୍ୟ ନିରାଶେ            ଦିନେ ଦିନେ ଉପବାସେ

ରହନ୍ତି ପରାଣେ ଲଭି ଘୋର ସନ୍ତାପ

ମାତ୍ର ରହି ଅନଶନରେ

ଜୀବନ ଯାପିବା ନିକି ସମ୍ଭବେ ନରେ ?

 

ଯେଉଁ ଉଦରଜ୍ୱାଳାରେ            ପଶି ଚଣ୍ଡାଳ ଆଗାରେ

କରିଥିଲେ ଶ୍ୱାନମାଂସ ଅପହରଣ

ମହା-ଉଗ୍ରତପଶୀଳ                  ବ୍ରହ୍ମଋଷିଙ୍କ ପ୍ରବର

ଚଣ୍ଡ କଉଶିକ ଗାଧିରାଜନନ୍ଦନ

ସେହି ଯନ୍ତ୍ରଣାରେ ଭୂପତି

କାନନ ସାରା ବିଚରି ଖାଦ୍ୟ ଲୋଡ଼ନ୍ତି ।

 

ତିନି ଦିବସ ଅନ୍ତରେ            ଦିନେ ବିପିନ ଭିତରେ

ମତ୍ସ୍ୟଜୀବୀ କୃଷ୍ଣକାୟ ଧୀବରଗଣେ

କ୍ଷେପଣୀ ବହି ସ୍କନ୍ଧରେ            କର୍ଦ୍ଦମାକ୍ତ କଳେବରେ

ଫେରନ୍ତି ଗ୍ରାମାଭିମୁଖେ ବିଷର୍ଣ୍ଣମନେ

ଦେଖି ତାଙ୍କୁ ରାଜା ଶ୍ରୀବତ୍ସ

କଲେ କ୍ଷୁଧା ଆରତିରେ ଯାଚଞା ମତ୍ସ୍ୟ ।

 

ବୋଇଲେ ଧୀବରମାନେ            ନରପତି ବିଦ୍ୟମାନେ

ଜାଲ ଝାଡ଼ି ଦେଖାଇ ସଖେଦ ବଚନେ

‘‘ବିଲୋକନ୍ତୁ ରିକ୍ତହସ୍ତେ            ଫେରୁଛୁଁ ଆଜ ସମସ୍ତେ

ଯାତ୍ରା କରି ଗୃହରୁ କି ଅଶୁଭ କ୍ଷଣେ

ଆସିଥିଲୁ ହେଲା ବିଫଳ

ଅଦୃଷ୍ଟ ଦୋଷରୁ ଆମ୍ଭ ଶ୍ରମ ସକଳ ।’’

 

ଏହି ନିରାଶ ବଚନେ            ଶ୍ରୀବତ୍ସ ହତାଶ ମନେ

ଉତ୍ତରିଲେ ଚିତ୍ତେ ସ୍ୱୀୟ ଇଷ୍ଟ ସୁମରି

‘‘ତିନିଦିନ ଅନଶନେ            ଅଛୁଁ ଆମ୍ଭେ ବେନିଜନେ

ଧର୍ମକୁ ବିଚାରି ଭାଇ ! ସୁଦୟା କରି

କ୍ଷେପଣୀରେ ଏ ଜଳାଶୟ

ଥରେ ଲୋଡ଼ ମତ୍ସ୍ୟ ପ୍ରାପ୍ତ ହେବ ନିଶ୍ଚୟ ।’’

 

ଶ୍ରୀବତ୍ସ ରାଜା ବଚନେ            ଆଶା ପୋଷି ମନେ ମନେ

ଧୀବରେ ଅଦୂରବର୍ତ୍ତୀ ସଲିଳାଶୟେ

କ୍ଷେପୁଁ କ୍ଷେପଣୀ ପତିତ            ହେଲେ ମତ୍ସ୍ୟ ଅଗଣିତ

ନ ମିଳେ ଯା ବହୁଶ୍ରମେ ଅନ୍ୟ ସମୟେ ।

ଦେଖି ସେ ନରେଶେ ଉଲ୍ଲାସେ

ମତ୍ସ୍ୟ କେତେ ଗୋଟି ଦେଇ ଗମିଲେ ବାସେ ।

 

ମହିଷୀ ହସ୍ତେ ଭୂପତି            ସେ ମୀନ ଦେଇ କହନ୍ତି

‘‘ପ୍ରେୟସୀ, ହୋଇଛି ମୁହିଁ ବଡ଼ କ୍ଷୁଧାର୍ତ୍ତ,

ଦେଲେ ମୋତେ କେଉଁପରି            ଏ ମୀନ ଦଗଧ କରି

ଜଠର ଅନଳଜ୍ୱାଳା କରିବି ଶାନ୍ତ ।’’

ଉତ୍ତରିଲେ ପ୍ରାଣେଶ ଗିରେ

‘‘ଯେ ଆଜ୍ଞା ତୁମ୍ଭର’’       ବୋଲି ମହିଷୀ ଧୀରେ ।

 

ସ୍ନାନାର୍ଥେ ଗଲେ ଶ୍ରୀବତ୍ସ            ମହିଷୀ ନେଇ ସେ ମତ୍ସ୍ୟ

ଦଗ୍ଧ କଲେ ଜାଳି ଶୁଷ୍କ ପତ୍ର ଇନ୍ଧନ

ଅନଳ ଯୋଗେ ବୀଭତ୍ସ            ଭସ୍ମବିଲେପିତ ମତ୍ସ୍ୟ

ବିଲୋକି ମହିଷୀଙ୍କର ବ୍ୟାକୁଳ ମନ

ବହି ପଡ଼ଇ ଦର ଦରେ

ଇନ୍ଦୀବର-ନେତ୍ରୁଁ ଅଶ୍ରୁ ବକ୍ଷୋଜ ପରେ ।

 

ଭାଳନ୍ତି ସ୍ୱଗତେ ସତୀ      ‘‘ହାୟ ! କେମନ୍ତେ ନୃପତି

କରିବେ ଏହି ଦଗଧ ମାନ ଅଶନ !

ଯାହା ମଣୋହିରେ ନିତ୍ୟ            କ୍ଷୀର ଘୃତ ନବନୀତ

ପାୟସ ପିଷ୍ଟକ ସହ ଶତ ବ୍ୟଞ୍ଜନ

କରି ପାରୁ ନ ଥିଲା ତୁଷ୍ଟ

ତାଙ୍କୁ ଦଗ୍ଧ ମୀନ ଦେବି ଧିକ ଅଦୃଷ୍ଟ !’’

 

ଚିନ୍ତୁ ଚିତ୍ତେ ଚିନ୍ତା ସତୀ            ଚିତ୍ରପୁତ୍ତଳିକା ମତି

ରହି କ୍ଷଣେ ପୁଣି ମତି ସୁସ୍ଥିର କରି

ଭାଳନ୍ତି ‘‘ଯେବେ ଯେ ଗତି            ବିହିବେ ଆମ୍ଭର ପ୍ରତି

ଅଖିଳ ବ୍ରହ୍ମାଣ୍ଡଗତିଦାୟକ ହରି

ସହିବା ତା- ପ୍ରସନ୍ନମନେ

ଅବଶ୍ୟ କର୍ତ୍ତବ୍ୟ ଆମ୍ଭ ଭବ-ଭବନେ ।

 

କଲେ ଦଗ୍ଧ ମୀନାହାର            ଶନି-ଦୃଷ୍ଟି-ପ୍ରତିକାର

ହୁଏ ବୋଲି ଶୁଣିଛି ଦୈବଜ୍ଞ-ବଦନୁ’’

ଗମିଲେ ଭାଳି ଏପରି            ଭସ୍ମଯୁକ୍ତ ମତ୍ସ୍ୟ ଧରି

ସରସୀରେ ଧୋଇ ଆଣିବାକୁ ସୁତନୁ

ଏଣେ କ୍ଷୁଧାତୁର ନୃପତି,

ସ୍ନାନୁଁ ଫେରି ପ୍ରିୟାପଥ ଚାହିଁ ଅଛନ୍ତି ।      

 

ଦଗଧ-ମୀନ ସକଳେ            ମଜ୍ଜାଇ ସରସୀ-ଜଳେ

ମଞ୍ଜୁଳେଷଣା ଯତନେ କରୁଁ ଧଉତ,

ସହସା ଲଭି ଜୀବନ            କଲେ ମତ୍ସ୍ୟେ ପଳାୟନ

ଦେଖି ତା ମହିଷୀ ମଣି ଅତି ଅଦ୍ଭୂତ

କରକଞ୍ଜେ କପୋଳ ଥୋଇ

ବସିପଡ଼ିଲେ ଭୂତଳେ ଅବଶ ହୋଇ ।

 

କାଞ୍ଚନ-ପ୍ରତିମା ପରି            ନିଶ୍ଚଳେ ରାଜ-ସୁନ୍ଦରୀ

ସରୋଜାଳଙ୍କୃତ ସରୋବର-ସୀମାନ୍ତେ

ରହିଛି ନିଶ୍ଚଳେ ଅବା            ଚପଳାଙ୍ଗୀ କ୍ଷଣପ୍ରଭା

ତାରା-ବିମଣ୍ଡିତ ନୀଳ-ଗଗନ-ପ୍ରାନ୍ତେ;

ଅବା ରାହୁ କବଳୁ ଖସି

ପଡ଼ିଛି କମଳାକରେ ସରଗ-ଶଶୀ !

 

ଅବା କମଳ-ବାନ୍ଧବ-            ପ୍ରଭାପୂରେ ହୀନପ୍ରଭ

କମଳସଖୀ କମଳ-ବରଣୀ ଉଷା,

କିବା ମାନସର ତୀରେ            ମଉନେ ଅଛନ୍ତି ଧାରେ

ହର ପଦଧ୍ୟାୟି ହୈମବତୀ ସୁଦୃଶା !

ପଦ୍ମବନେ ପଦ୍ମସମ୍ଭବା,

ପଦ୍ମନାଭଙ୍କ ବିରହେ ବିଷଣ୍ଣ ଅବା ।

 

କି ଅବା କାଳିନ୍ଦୀକୂଳେ            ଶ୍ୟାମ-ବିରହେ ଆକୁଳେ

ମ୍ରିୟମାଣ ବୃଷଭାନୁ-ରାଜ-ଦୁହିତା,

ରାମ ବନବାସ ଯିବା            ଉଦନ୍ତେ କାତର କିବା

ଶ୍ରୀରାମ-ହୃଦୟ-ପ୍ରେମ-ପ୍ରତିମା ସୀତା ?

ସ୍ତୋକେ ଗ୍ରୀବା ପଡ଼ିଛି ଢଳି

ଶତଦଳଭାରେ ନତ ମୃଣାଳ ଭଳି ।

 

ସହସା ସରାଳୀସ୍ୱନେ            ଉଠି ସଚକିତ ମନେ

ଭାଳନ୍ତି ‘‘କି ବୋଲି ଯାଇ ଦେବି ବାରତା

‘ଦଗଧ ମୀନ ଜୀବନ            ଲଭି କଲା ପଳାୟନ’

ପରତେ ଯିବେ କି ନାଥ ଶୁଣି ଏ କଥା ?

ବିଚାରିବେ ପରା ସ୍ୱଗତେ

ମୀନ ଖାଇଗଲା ରାଣୀ କ୍ଷୁଧା-ଆରତେ ।’’

 

ଏହିପରି ନାନାମତେ            ଭାଳି ଭାଳି ହୃଦଗତେ

ଗଲେ ସତୀ ଯହିଁ କ୍ଷୁଧା-କାତର କାନ୍ତ

ସଜଳ ନୟନେ ଧୀରେ            ଲଳିତ କରୁଣ ଗିରେ

ନିବେଦିଲେ ଶ୍ରୀପୟରେ ସବୁ ବୃତ୍ତାନ୍ତ

ଶୁଣି ସେ ଘଟନା ଅଦ୍ଭୁତ

ସ୍ତମ୍ଭିତେ ରହିଲେ ରାୟେ ମଣି କିମ୍ଭୂତ !

 

ଏକାଳେ ଅମ୍ବରପଟେ            ରହି ଶନି ଅପ୍ରକଟେ

ଭାଷିଲେ ବଜ୍ରନିର୍ଘୋଷେ ‘‘ଶୁଣ ନୃପତି,

ଲକ୍ଷ୍ମୀ ବଡ଼ ମୁହିଁ ସାନ            ଏହି ଦତ୍ତ ଅପମାନ

ଫଳ ଶତଗୁଣ ଭୋଗ କର ସମ୍ପ୍ରତି,

ମତ୍ତ ହୋଇ ଐଶ୍ୱର୍ଯମଦେ,

ଲଜ୍ଜା ମୋତେ ଦେଲୁ ମୂଢ଼, ସଭାର ମଧ୍ୟେ ।

 

ପଣ୍ଡିତ ଧାର୍ମିକ ଜ୍ଞାନେ            ଅଇଲି ତୋ ସନ୍ନିଧାନେ

ତିଳେ ନ୍ୟାୟାନ୍ୟାୟ କଥା ଭାଳିଲୁ ନାହିଁ,

ଅସନ କରାଇ ଶ୍ରେଷ୍ଠ            କମଳାଙ୍କୁ କଲୁ ଜ୍ୟେଷ୍ଠ

ଏବେ ସେ କମଳା ବର ରହିଲା କାହିଁ ?

ସହସା ଲଭି ଜୀବନ କଲେ ମତ୍ସେ ପଳାୟନ

ଦେଖି ତା ମହିଷୀ ମଣି ଅତି ଅଦ୍ଭୁତ

 

କରକଞ୍ଜେ କପାଳେ ଥୋଇ

ବସିପଡ଼ିଲେ ଭୂତଳେ ଅବଶ ହୋଇ ।

କାଞ୍ଚନ-ପ୍ରତିମା ପରି ନିଶ୍ଚଳେ ରାଜ-ସୁନ୍ଦରୀ

ସରୋଜାଳଙ୍କୃତ ସରୋବର-ସୀମାନ୍ତେ

ରହିଛି ନିଶ୍ଚଳେ ଅବା ଚପଳାଙ୍ଗୀ କ୍ଷଣପ୍ରଭା

ତାରା-ବିମଣ୍ତିତ ନୀଳ-ଗଗନ-ପ୍ରାନ୍ତେ;

 

ଅବା ରାହୁ କବଳୁ ଖସି

ପଡ଼ିଛି କମଳାକରେ ସରଗ- ଶଶୀ !

ଅବା କମଳ-ବାନ୍ଧବ-      ପ୍ରଭାପୂରେ ହୀନପ୍ରଭ

କମଳସଖୀ କମଳ-ବରଣୀ ଉଷା,

କିବା ମାନସର ତୀରେ ମଉନେ ଅଛନ୍ତି ଧୀରେ

ହରି ପଦଧ୍ୟାୟି ହୈମବତୀ ସୁଦୃଶା !

 

ପଦ୍ମବନେ ପଦ୍ମସମ୍ଭବା,

ପଦ୍ମନାଭଙ୍କ ବିରହେ ବିଷଣ୍ଣ ଅବା ।

କି ଅବା କାଳିନ୍ଦୀକୂଳେ ଶ୍ୟାମ- ବିରହେ ଆକୁଳେ

ମ୍ରିୟମାଣା ବୃଷଭାନୁ-ରାଜ-ଦୁହିତା,

ରାମ ବନବାସ ଯିବା ଉଦନ୍ତେ କାତର କିବା

ଶ୍ରୀ ରାମ-ହୃଦୟ-ପ୍ରେମ-ପ୍ରତିମା ସୀତା ?

 

ସ୍ତୋକେ ଗ୍ରୀବା ପଡ଼ିଛି ଢଳି

ଶତଦଳଭାରେ ନତ ମୃଣାଳ ଭଳି ।

ସହସା ସରାଳୀସ୍ଵନେ ଉଠି ସଚକିତ ମନେ

ଭାଳନ୍ତି ‘‘ କି ବୋଲି ଯାଇ ଦେବି ବାରତା

ଦଗଧ ମୀନ ଜୀବନ ଲଭି କଲା ପଳାୟନ‘

ପରତେ ଯିବେ କି ନାଥ ଶୁଣି ଏ କଥା?

 

ବିଚାରିବେ ପରା ସ୍ଵଗତେ

ମୀନ ଖାଇଗଲା ରାଣୀ କ୍ଷୁଧା-ଆରତେ ।’’

ଏହିପରି ନାନାମତେ ଭାଳି ଭାଳି ହୃଦଗତେ

ଗଲେ ସତୀ ଯହିଁ କ୍ଷୁଧା-କାତର କାନ୍ତ

ସଜଳ ନୟନେ ଧୀରେ ଲଳିତ କରୁଣ ଗିରେ

ନିବେଦିଲେ ଶ୍ରୀପୟରେ ସବୁ ବୃତ୍ତାନ୍ତ

 

ଶୁଣି ସେ ଘଟନା ଅଦ୍ଭୁତ

ସ୍ତମ୍ଭିତେ ରହିଲେ ରାୟେ ମଣି କିମ୍ଭୂତ !

ଏକାଳେ ଅମ୍ବରପଟେ ରହି ଶନି ଅପ୍ରକଟେ

ଭାଷିଲେ ବ୍ରଜ ନିର୍ଘୋଷେ ‘‘ଶୁଣ ନୃପତି,

ଲକ୍ଷ୍ମୀ ବଡ଼ ମୁହିଁ ସାନ ଏହି ଦତ୍ତ ଅପମାନ

ଫଳ ଶତଗୁଣ ଭୋଗ କର ସମ୍ପ୍ରତି,

 

ମତ୍ତ ହୋଇ ଐଶ୍ଵର୍ଯ୍ୟମଦେ,

ଲଜ୍ଜା ମୋତେ ଦେଲ ମୂଢ଼, ସଭାର ମଧ୍ୟେ ।

ପଣ୍ତିତ ଧାର୍ମିକ ଜ୍ଞାନେ ଅଇଲ ତୋ ସନ୍ନିଧାନେ

ତିଳେ ନ୍ୟାୟାନ୍ୟାୟ କଥା ଭାଳିଲୁ ନାହିଁ,

ସନ କରାଇ ଶ୍ରେଷ୍ଠ କମଳାଙ୍କୁ କଲୁ ଜ୍ୟେଷ୍ଠ

ଏବେ ସେ କମଳା ବର ରହିଲା କାହିଁ?

 

ମୁହିଁ ଗ୍ରହରାଜ ସଉରି

ଖେଳିଲୁ ମୋହ ସଙ୍ଗତେ କୂଟ ଚାତୁରୀ ।

ସ୍ୱର୍ଗ ମର୍ତ୍ତ୍ୟ ରସାତଳେ            ମୋ ଗତି ସର୍ବତ୍ର ଚଳେ

ପୂଜନ୍ତି ମୋ ପଦ ତିନି ଭୂବନ ଜନେ,

ମୋହ କୋପେ ରାଜ୍ୟଚ୍ୟୁତ            ହୋଇ ଦଶରଥ-ପୁତ୍ର

ଭାଇ ଭାର୍ଯ୍ୟା ସହ ଗଲେ ଗହନ ବନେ ।

ମୋର କୋପେ ସତୀ-ଜନକ

ଯଜ୍ଞଧ୍ୱଂସ, କନ୍ୟାନାଶ, ଛାଗ ମସ୍ତକ ।

 

ମୋ ସଙ୍ଗେ ଦ୍ରୋହ ଅରଜି            ଅମରାବତୀ ବରଜି

ଭଡ଼ାଙ୍ଗ ହୋଇ ଲୁଚିଲା ଶଚୀ-ରମଣ

ଦାନବୀର ବଳିରାଜେ            ରଖାଇଲି ଦାନବ୍ୟାଜେ

ପାତାଳେ ଆବଦ୍ଧ କରି କାରା ଭବନ,

ମୋର ସଙ୍ଗେ ବିବାଦ କରି

ବଜ୍ରକୀଟଦଷ୍ଟ ହେଲେ ସ୍ୱୟଂ ଶ୍ରୀହରି ।

 

 

ପୃଥିବୀର ନର ତୁହି            ତୋ ବିଚାରେ କ୍ଷୁଦ୍ର ମୁହିଁ

ଦେଖିବି କିପରି ଲକ୍ଷ୍ମୀ ରଖିବେ ତୋତେ,

କରି ରାଜ୍ୟ-ପ୍ରଜାନାଶ            ଦେଇଛି ଅରଣ୍ୟବାସ

ସ୍ତ୍ରୀଭେଦ କରିବି ଶ୍ରେଷେ ଚିହ୍ନିବୁ ମୋତେ’’

ବରଷି ଏ ବଜ୍ରବଚନ,

ସ୍ତୋକେ ଦୃଶ୍ୟ ଦେଇ ଗଲେ କ୍ରୂରଲୋଚନ ।

 

ଭୀତେ ତ୍ରସ୍ତେ ରାଜା ରାଣୀ            ଶୁଣନ୍ତି ସେ ଦୈବୀ ବାଣୀ

ଚକିତନୟନେ ଚାହିଁ ଚାହିଁ ଆକାଶେ,

‘‘ସ୍ତ୍ରୀଭେଦ କରିବି ଶେଷେ’’ ଏ ବାକ୍ୟେ ଚିନ୍ତା ଆବେଗେ

ଥରି ଥରି ଚିନ୍ତାରାଣୀ ବିଷମ ତ୍ରାସେ,

ମୂର୍ଚ୍ଛିତେ ପଡ଼ିଲେ ଧରାରେ,

ବାତ୍ୟା-ଚ୍ଛିନ୍ନ ସ୍ୱର୍ଣ୍ଣ-ରମ୍ଭାତରୁ ପ୍ରକାରେ ।

----------

 

ପଞ୍ଚମ ସର୍ଗ

ରାଗ-ମଙ୍ଗଳଗୁଜ୍ଜରୀ

କରନ୍ତି ଶୁଶ୍ରୂଷା ରାଏ

ପ୍ରାଣ-ପ୍ରେୟସୀର

ଆଶ୍ୱାସେ ମହୀକି ଯଥା

ମଳୟ ସମୀର

ସରସୀରୁ ନୀର ଆଣି

ରାଣୀ-ମୁଖେ ସିଞ୍ଚି

ସଜଳ ସରୋଜଦଳେ

ଧୀରେ ଧୀରେ ବିଞ୍ଚି

 

 

 

 

ସଞ୍ଚାଳି କରପଲ୍ଲବ

ସ୍ନେହେ ଅପଘନେ

ଚେତା କରାଇଲେ ପ୍ରାଣ-

ପ୍ରିୟାଙ୍କୁ ଯତନେ

ଉଠି ଧୀରେ ଧୀରାହୀରା

ବସି ଅଶ୍ରୁଜଳେ

ନୀରବେ ପ୍ଳାବନ୍ତି ପତି

ପୟରଯୁଗଳେ

 

 

 

 

ଜଡ଼ିଛି ଚୂର୍ଣ୍ଣ କୁନ୍ତଳ

ସ୍ୱେଦାର୍ଦ୍ର ଆନନେ

ପଡ଼ିଛି ଶୈବାଳ କିବା

କମଳ ସୁମନେ

ଅଶ୍ରୁପୂର୍ଣ୍ଣ ଖଞ୍ଜରୀଟ

ନେତ୍ର ଢଳଢ଼ଳ

ଢଳେ ମୃଦୁ ହିଲ୍ଲୋଳେ କି

ସରେ ଶତଦଳ ?

 

 

 

 

ବଧୁଲି ଅଧର ପଡ଼ି

ଯାଇଅଛି ଫିକା !

କିବା ସେ ପାରାଜଡ଼ିତ

ପ୍ରବାଳ ଲତିକା !

କନକ ଚମ୍ପକ ଗଉ-

ରାଙ୍ଗୀ କୃଶୋଦରୀ

ଦିଶନ୍ତି ଦିବା ପାଣ୍ଡୁର

ଶଶିକଳା ସରି

କାରୁଣ୍ୟପ୍ରତିମା ଅବା

ପ୍ରତ୍ୟେକ୍ଷଚାରିଣୀ

କିବା ଖର ସୌର-କରେ

ମ୍ଳାନ କୁମୁଦିନୀ

ନବନୀତ ପିତୁଳୀକି

ଆଉଜାଇ ଉରେ

ଆଶ୍ୱାସି ରାଜା ଶ୍ରୀବତ୍ସ

ଭାଷନ୍ତି ମଧୁରେ-

‘‘ମୋ ରାଣ, ପରାଣଧନ !

ନ ହୁଅ ବିକଳ

ଭୁଞ୍ଜିବା ନିକର କର୍ମ-

ଅରଜିତ ଫଳ

ଅଦୃଷ୍ଟ-ଲିଖନ ପ୍ରିୟେ

ନ ହେବ ଅନ୍ୟଥା

ଘଟିଲାଣି ଦୈବବାଣୀ

ଆମ୍ଭଙ୍କୁ ସର୍ବଥା

ରାଜ୍ୟନାଶ ବନବାସ

ହେଲା ପଙ୍କଜାକ୍ଷି

ପରସ୍ପର ବିଚ୍ଛେଦ କି

ଆଉ ଅଛି ବାକୀ ?

କଲା ଦେବଦ୍ୱନ୍ଦେ ଯେଉଁ

କରମ ମଧ୍ୟସ୍ଥ

ଦିନୁ ଦିନୁ ଯେ କରମ

କଲା ଅଧୋଗତ;

ସେ କରମେ ଥିବ ଯେବେ

ଦୁଃସହ ବିରହ

ବିପଦ-ବନ୍ଧୁଙ୍କ ନାମେ

କରିବା ତା ସହ୍ୟ

କରଣ କାରଣ କର୍ତ୍ତା

ଦେବ ନାରାୟଣ

ତାଙ୍କରି ପୟରେ କରି

ସର୍ବସ୍ୱ ଅର୍ପଣ

 

 

 

 

କର୍ତ୍ତବ୍ୟପଥେ ହୃଦୟ

ହେଉ ଗୋ ଅଟଳ

ଏତିକି ମାଗୁଣି ବିଭୁ-

ପୟରେ କେବଳ ।’’

ପ୍ରିୟତମ ଦେବଙ୍କର

ପ୍ରୀତିପୂର୍ଣ୍ଣ ବାଣୀ

ଶୁଣି କିଞ୍ଚିତ ଅଶ୍ୱସ୍ତା

ହେଲେ ଚିନ୍ତାରାଣୀ

 

 

 

 

ନ ହୁଏ କି ଆଶ୍ୱାସିତ

ନୀହାର-ପତନେ

ମ୍ରିୟମାଣା କମଳିନୀ

ପ୍ରାତଃ ସମୀରଣେ ?

ପ୍ରେୟସୀ କପୋଳୁ ପୋଛି

ଦେଇ ଅଶ୍ରୁଧାର

ବୋଇଲେ ଖେଦଗମ୍ଭୀରେ

ନୃପଗୁଣାଧାର

 

 

 

 

‘‘ଜାଣିଲି ନ ମିଳେ ଫଳ

ଶନି-ମାୟାବଳେ

ସେ ମାୟାରେ ଦଗ୍ଧ ମୀନ

ପଳାଇଲା ଜଳେ

ଅରଣ୍ୟପଥରେ ଶନି

ସାଧିଲାଣି ବାଦ

ଏଥି ଅଧିଷ୍ଠାନ କଲେ

ଘଟିବ ପ୍ରମାଦ

 

 

 

 

ଚାଲ ପ୍ରିୟତମେ, ଯିବା

ନଗରାଭିମୁଖେ

ଜନପୂର୍ଣ୍ଣ ସ୍ଥାନରେ

ବଞ୍ଚିବା ଦୁଃଖେ ସୁଖେ ।’’

ଏଥୁଅନ୍ତେ ମହୀପତି

ବରଜି ଅରଣ୍ୟ

କଲେ ସମୀପସ୍ଥ ରାଜ-

ଧାନୀକି ଗମନ

 

 

 

 

ଦାରିଦ୍ର୍ୟ ହେତୁ ଅବଜ୍ଞା

ଲଭିବା ଭୟରେ

ନ ଗଲେ ଯହିଁ ସମ୍ଭ୍ରାନ୍ତ-

ବସତି ନଗରେ

ନଗର-ସୀମାନ୍ତେ କାଷ୍ଠ-

ଜୀବୀଙ୍କ ବସତି

ଭ୍ରମି ଭ୍ରମି ସେହି ସ୍ଥାନେ

ମିଳିଲେ ଭୂପତି

 

 

 

 

ନବାଗତ ଦମ୍ପତିଙ୍କି

ଦେଖି କୁତୂହଳେ

ବେଢ଼ି ଉଭା ହେଲେ ପଲ୍ଲୀ-

ନିବାସୀ ସକଳେ

ସୁଲଳିତ ପ୍ରଶାନ୍ତ

ମୂରତି ମନୋହର

ଶାଣେ ଶାର୍ଣ୍ଣ ହୀରକ କି

ନ ଦିଶେ ସୁନ୍ଦର ?

 

 

 

 

ଆବାଳ ବୃଦ୍ଧ ବନିତା

ସେ ରୂପ ଦର୍ଶନେ

ରହିଗଲେ ଅପଲକ

ଉତ୍‌ଫୁଲ୍ଲନୟନେ

ବୋଇଲେ ମଧୁରେ ତାଙ୍କୁ

ଶ୍ରୀବତ୍ସ ରାଜନ-

‘‘ବଡ଼ ହତଭାଗ୍ୟ ଭାଇ !

ଆମ୍ଭେ ବେନି ଜନ

 

 

 

 

ଦୈବଦୁର୍ବିପାକେ ପଡ଼ି

ଭ୍ରମି ବନେ ବନେ

ଆସିଛୁଁ ନଗରେ ତିନି

ଦିନ ଅନଶନେ

ତୁମ୍ଭେମାନେ ଗୃହଧର୍ମୀ

ପାରିବ କି ଭାଇ,

ଆମ୍ଭ ଅନ୍ନ-ସଂସ୍ଥାନର

ଉପାୟ ବତାଇ ?’’

 

 

 

 

 

 

 

 

ଉତ୍ତରିଲେ ନୃପ ବାକ୍ୟେ

କାଷ୍ଠଜୀବିଗଣେ

ଆହ୍ଳାଦେ ସାଦରେ

ସ୍ମିତ-ମଧୁର-ବଚନେ-

‘‘ଏ କି କଥା ମହାଶୟ !

ଦାତା ଚକ୍ରପାଣି

ନ ଦେବେ କି ଅନ୍ନ

ତୁମ୍ଭେ ମାତ୍ର ବେନି ପ୍ରାଣୀ ?

 

 

 

 

ଆମ୍ଭେ କାଷ୍ଠଜୀବୀ ଜାତି

ଆମ୍ଭର ଜୀବିକା

ସ୍ୱଚ୍ଛନ୍ଦେ ଚଳଇ କରି

କାଷ୍ଠ କୀଣାବିକା

କାଷ୍ଠ-ଆହରଣେ ପ୍ରତି

ପ୍ରାତେ ବନେ ଯାଉଁ

ଦୁଃଖ କି, ନ ଜାଣୁ,

ନିତି ଆଣୁ ନିତି ଖାଉଁ

 

 

 

 

ଆମ୍ଭ ସଙ୍ଗେ କାଷ୍ଠ ଯେବେ

ପ୍ରତ୍ୟହ ଆଣିବ

ସ୍ୱଚ୍ଛନ୍ଦେ ଜୀବିକା ଚାଳି

ଦୁଃଖ ନ ଜାଣିବ’’

ଅନଭିଜ୍ଞ କାଷ୍ଠଜୀବୀ-

ଙ୍କର ଶିଷ୍ଟ ବାଣୀ

ଶ୍ରବଣେ ପରମ ପ୍ରୀତ

ହେଲେ ରାଜା ରାଣୀ

 

 

 

 

ରହିଲେ ସାନନ୍ଦେ କାଷ୍ଠ-

ଜୀବୀଙ୍କ ପଲ୍ଲୀରେ

ସସ୍ତ୍ରୀକ ଶ୍ରୀବତ୍ସ ତୃଣ-

ନିର୍ମିତ କୁଟୀରେ

ମଗ୍ନପୋତସାଂଯାତ୍ରିକ

ଲଭିବାକୁ ବେଳା

ପରାଣ ଆତଙ୍କେ ନ ଆ-

ଶ୍ରେକି ତୃଣଭେଳା ?

 

 

 

 

 

 

 

 

ପ୍ରତ୍ୟହ ପ୍ରତ୍ୟୁଷୁଁ ରାଏ

ଯାଆନ୍ତି ଅରଣ୍ୟେ

କାଷ୍ଠଜୀବୀଙ୍କ ସଙ୍ଗତେ

କାଷ୍ଠ-ଆହରଣେ

ମଧ୍ୟାହ୍ନେ କାଷ୍ଠବିକ୍ରୟ

ସାରି ରସାପତି

ଆହାରୀୟ ଦ୍ରବ୍ୟ ନେଇ

କୁଟୀରେ ଫେରନ୍ତି

 

 

 

 

ଶ୍ରାନ୍ତ କ୍ଳାନ୍ତ ଘର୍ମ-ସିକ୍ତ

କାନ୍ତ କଳେବର

ଦେଖି ବକ୍ଷ ଫାଟି ଯାଉ-

ଥାଉ ରାଣୀଙ୍କର

ବଡ଼ ବଡ଼ କାଷ୍ଠବୋଝ

ବହି ଶିରୋଦେଶେ

ଆସନ୍ତି ଆନନ୍ଦେ କାଷ୍ଠ-

ଜୀବୀଏ ଅକ୍ଳେଶେ

 

 

 

 

ମାତ୍ର ଅତି କ୍ଷୁଦ୍ର ବୋଝ

ଘେନି ନରନାଥ

ନଗରେ ଫେରୁଁ ହୁଅନ୍ତି

ଅତି ପରିଶ୍ରାନ୍ତ

ଦିନେ ଦିନେ ନୃପ ବନେ

କରି ଅନ୍ୱେଷଣ

ସଂଗ୍ରହ କରି ଆଣନ୍ତି

ଚନ୍ଦନ ଇନ୍ଧନ

 

 

 

 

ଲଘୁ ହୁଏ କାଷ୍ଠବୋଝ

ଗୁରୁ ହୁଏ ମୂଲ୍ୟ

ହରଷେ ହୃଦୟପଦ୍ମ

ହୁଏ ଉତଫୁଲ୍ଲ

ବହୁବିଧ ଆହାରୀୟ

ଦ୍ରବ୍ୟ କୀଣି ଆଣି

ଭାଷନ୍ତି କୁଟୀରରେ ପ୍ରିୟା-

ପାଶେ ପ୍ରିୟବାଣୀ-

 

 

 

 

 

 

 

 

‘‘ବିପଦବନ୍ଧୁ ଆମ୍ଭର

କାଷ୍ଠଜୀବିଗଣ

କରିବା ଗୋ ଭୋଜନାର୍ଥେ

ତାଙ୍କୁ ନିମନ୍ତ୍ରଣ’’

ଶୁଣି ପଦ୍ମପଲାଶାକ୍ଷୀ

ପତିଙ୍କ ବଚନ

ପରମ ଆନନ୍ଦରସେ

ହୋଇ ନିମଗନ

 

 

 

 

ବିବିଧ ପିଠା ପାୟସ

ମିଷ୍ଟାନ୍ନ ବ୍ୟଞ୍ଜନ

ଅନାୟାସେ କରନ୍ତି ସେ

ସ୍ୱହସ୍ତେ ରନ୍ଧନ

ନିମନ୍ତ୍ରି ଯାବତ ପଲ୍ଲୀ

ନରନାରୀବୃନ୍ଦେ

କରନ୍ତି ପରିବେଷଣ

ସ୍ୱୟଂ ନୃପ ମୁଦେ

 

 

 

 

କଦନ୍ନଭୋଜୀଏ କରି

ବିବିଧ ବ୍ୟାଖ୍ୟାନ

ଅସଙ୍କୋଚେ ବ୍ୟଞ୍ଜନ

ପିଷ୍ଟକ ପରମାନ୍ନ,

ଭୁଞ୍ଜନ୍ତି ଆକଣ୍ଠ କରି

ପରମ ଉଲ୍ଲାସେ

ଶ୍ରୀବତ୍ସ-ଚିନ୍ତା-ହୃଦୟ

ହର୍ଷ-ଜଳେ ଭାସେ

 

 

 

 

କରି ଆପ୍ୟାୟିତ ପଲ୍ଲୀ-

ବାସୀଙ୍କି ଆହାରେ

କରନ୍ତି ବିଦାୟ ରାଏ

ଶ୍ରଦ୍ଧା ପୁରସ୍କାରେ

ଚିନ୍ତା ଦେବୀଙ୍କ ରନ୍ଧନ-

ବିଶାରଦ ପଣେ

ଧନ୍ୟ ଧନ୍ୟ ପଡ଼ୁଥାଏ

ପଲ୍ଲୀ ପୁରାଙ୍ଗନେ

 

 

 

 

 

 

 

 

ଦେଖି ମୁଗ୍ଧ ପଲ୍ଲୀବାସୀ

ଶ୍ରୀବତ୍ସ ଚିନ୍ତାର

ସାରଲ୍ୟ ସୌଜନ୍ୟ ଅମା-

ୟିକ ବ୍ୟବହାର

କିବା ବାଳ, ବୃଦ୍ଧ କିବା

ଯୁବକ ଯୁବତୀ

ସର୍ବେ ଅନୁରକ୍ତ ଚିନ୍ତା

ଶ୍ରୀବତ୍ସଙ୍କ ପ୍ରତି

 

 

 

 

ଯାପନ୍ତି ଜୀବନ ରାଜା-

ରାଣୀ ଏହି ରୂପେ

କାଷ୍ଠଜୀବୀ ବସତିରେ

କାଷ୍ଠଜୀବୀରୂପେ

ହାୟ ! ସସାଗରା ଧରି-

ତ୍ରୀର ଦଣ୍ଡଧାରୀ

କ୍ରୂର କର୍ମବଳେ ସିନା

ପଥର ଭିଖାରୀ !

---------

 

ଷଷ୍ଠ ସର୍ଗ

ରାଗ-ରସକୁଲ୍ୟା

କାଷ୍ଠଜୀବୀଙ୍କର ପଲ୍ଲୀପ୍ରାନ୍ତରେ

ବହେ ତରଙ୍ଗିଣୀ ଖରସ୍ରୋତରେ,

ବିବିଧ ପଣ୍ୟଦ୍ରବ୍ୟେ ଭରି ତରୀ

ଯାଆନ୍ତି ସେ ପଥେ ବାଣିଜ୍ୟ କରି

ନାନା ଦେଶୀ ସୌଦାଗର,

ଭ୍ରମି ଦେଶେ ଦେଶେ            କରିବା ସକାଶେ

ଧନ ଅର୍ଜନ ବିସ୍ତର ।

 

ଦୈବେ ଦିନେ ଏକ ବଣିକ-ତରୀ

ରହିଲା ପଠାରେ ଅଟକି କରି,

ତରୀ ଭାସିବାକୁ ଯେତେ ପ୍ରୟାସ

କଲେ ପ୍ରାଣପଣେ ସକଳ ଦାସ

ହେଲା ସକଳ ବିଫଳ,

ଦେଖି ତା ସାଧୁର            ସାହସ ଉଡ଼ିଲା

ବୁଡ଼ିଲା ଧଇର୍ଯ୍ୟ, ବଳ ।

 

 

ଏକାଳେ ଦୈବଜ୍ଞ ବିପ୍ରରୂପରେ

ସାଧୁପାଶେ ଶନି ମିଳି ସତ୍ୱରେ,

ଆଶିଷି ବୋଇଲେ ‘‘ହେ ମହାଜନ,

କିପାଇଁ ହେଉଛି ଚିନ୍ତିତ ମନ,

ମୁହିଁ ଦୈବଜ୍ଞ ବ୍ରାହ୍ମଣ,

କହେ ଲୋକଙ୍କର            ହିତାହିତ କଥା

ନିକର କରି ଗଣନ ।

 

ଜ୍ୟୋତିଷ ବିଦ୍ୟାରେ ତବ ବିପତ୍ତି

ଜାଣି ତବ ଉପକାରେ ସମ୍ପ୍ରତି

ଆସଛି କହିବାକୁ ପ୍ରତିକାର

ମୋର କଥାମତେ ଯଦ୍ୟପି ପାର,

ସେ କାର୍ଯ୍ୟ ସାଧନ କରି

ତେବେ ଅବିଳମ୍ବେ            ଅଳପ ଆୟାସେ

ଭାସିବ ତୁମ୍ଭର ତରୀ ।’’

 

ଶୁଣି ଛଦ୍ମରୂପୀ ବିପ୍ର ବଚନ

ହେଲା ଆଶାନ୍ୱିତ ସେ ମହାଜନ,

କି ଅବା ବାମନ ଧଇଲା ଚାନ୍ଦେ

ବାୟୁ କି ବନ୍ଧନ ହୋଇଲା ଫାନ୍ଦେ

ଅବା ଲଭିତା କୃପଣ,

ବିନା ପ୍ରୟାସରେ            ଅଯାଚିତ କରେ

ବିବିଧ ମଣି ରତନ ।

 

ପ୍ରଣମି ଦୈବଜ୍ଞେ ଭକତିଭରେ

କର ଯୋଡ଼ି ସାଧୁ କହେ କାତରେ-

‘‘ଦୟା ବହି ଏ ଦାସେ ବିପ୍ରବର !

ବିହିତ ଉପାୟ କହ ସତ୍ୱର,

ପଶିଲି ତବ ଶରଣ

କୃପା-ତରଣୀରେ ଶରଣାଗତକୁ

ସଙ୍କଟୁ କର ତାରଣ ।’’

 

ଅଶ୍ୱାସି ବଣିକେ ଛଦ୍ମ ବ୍ରାହ୍ମଣ

ଭାଷିଲେ ଧୀର ଗମ୍ଭୀର ବଚନ-

ଏ ଗ୍ରାମବାସୀ କାଷ୍ଠଜୀବିଗଣ

ନାରୀମାନଙ୍କୁ କରି ନିମନ୍ତ୍ରଣ

ଆଣି ଅର୍ଥ ପ୍ରଲୋଭନେ,

ଏକ ଏକ କରି            ଏ ଅଟକ ତରୀ

ପରଶାନ୍ତୁ ପ୍ରତି ଜଣେ ।

 

 

ତାଙ୍କ ମଧ୍ୟେ ଅଛି ଏକ ସୁନ୍ଦରୀ

ଶିଳା-ସ୍ତୁପ ମଧ୍ୟେ ହୀରକ ପରି

ମହା ପତିବ୍ରତା ସେହି ରମଣୀ

ଭାସିବ ପରଶେ ତାର ତରଣୀ

ଏ ମୋର ଗଣନା କଥା,

ପରୀକ୍ଷା କର ଯା            କହିଲି ତୁମ୍ଭଙ୍କୁ

ନ ହେବ କେବେ ଅନ୍ୟଥା ।’’

 

ଶ୍ରୀବତ୍ସ ଚିନ୍ତାର ଶାନ୍ତି ତରଣୀ

ମଜ୍ଜନ ବ୍ୟବସ୍ଥା କରାଇ ଶନି

କଲେ ପ୍ରସ୍ଥାନ, ଏଥୁ ଅନନ୍ତରେ

ସାଧୁ ଆଦେଶେ ସାଧୁ ଅନୁଚରେ

ଅର୍ଥେ ବଶୀଭୂତ କରି

ଏକେ ଏକେ ସର୍ବ            ପଲ୍ଲୀବାସିନୀଙ୍କୁ

ସ୍ପର୍ଶ କରାଇଲେ ତରୀ ।

 

ମାତ୍ର ରହିଲା ତରଣୀ ନିଶ୍ଚଳେ

ଦେଖି ସାଧୁ ପୁଚ୍ଛେ ଭୃତ୍ୟ ସକଳେ-

‘‘ଦୈବଜ୍ଞ-ବଚନ ନୁହଇ ମିଥ୍ୟା

ଆସିଛନ୍ତିଟି କି ସର୍ବ ବନିତା ?

କହ ମୋତେ ତଥ୍ୟବାଣୀ’’

ଶୁଣି ଭୀତେ ତ୍ରସ୍ତେ            ନିବେଦିଲେ ଭୃତ୍ୟେ

କପୋଳେ ନିବେଶି ପାଣି-

 

‘‘ଭୋ ପ୍ରଭୁ, ଆଉ ଅଛି ଏକ ନାରୀ

ଗଲା ତାର ପତି ତାକୁ ନିବାରି,

କାଷ୍ଠ ଆହରଣ କରି ଅରଣ୍ୟେ

ନ ଶୁଭିଲା ସେ ଧନ-ପ୍ରଲୋଭନେ

ଯେଣୁ ହିତାଶ ହୋଇଲୁଁ,

ଅନ୍ୟ ପଲ୍ଲୀନାରୀ-            ମାନଙ୍କୁ ସଙ୍ଗତେ

ଘେନି ସକଳେ ଫେରିଲୁଁ ।

 

ପୁଣି ସୌଦାଗର ମନେ ଭାଳଇ

‘‘ନିଶ୍ଚୟ ସେ ପତିବ୍ରତା ଅଟଇ,

ତା ପରଶେ ନିଶ୍ଚେଁ ଭାସିବ ତରୀ,

ମାତ୍ର ସେ କର୍ମ ନ ପାରିବେ କରି

କର୍ମଚାରୀଏ ମୋହର’’

ଏହା ପାଞ୍ଚି ଚିନ୍ତା            କୁଟୀର ଅନ୍ୱେଷି

ଗଲେ ସ୍ୱୟଂ ସୌଦାଗର ।

 

 

କୁଟୀର ଦୁଆରେ କୁଟିଳକେଶୀ

କର-କମଳେ କପୋଳ ନିବେଶି

ପତି ଆଗମନ ପଥକୁ ଚାହିଁ

ଚିନ୍ତା-ପାରାବରେ ମନ ମଜ୍ଜାଇ

ବସିଥିଲେ ମହାସତୀ

ଅଧୋବଦନରେ            ନିରବଲମ୍ବିନୀ

ଇନ୍ଧନ-ପିତୁଳା ମତି ।

 

ସହସା ସୌଦାଗର ତାଙ୍କ ପାଶେ

ପ୍ରବେଶି, ଗଳଲଗ୍ନୀକୃତବାସେ

ପ୍ରଣମି, ସାଷ୍ଟାଙ୍ଗେ ପଡ଼ି ପୟରେ

ସଜଳ ନୟନେ ଅତି କାତରେ

କହେ ଗଦଗଦ ବାଣୀ-

ଅଧମ ସୁତକୁ            ଦୟା କର ମାତଃ,

ଦୟାବତୀ ସତୀରାଣୀ ।’’*

* ସତୀମାନଙ୍କର ରାଣୀ

 

ଶୁଣି ସୌଦାଗର କରୁଣ କଥା

କାରୁଣ୍ୟପ୍ରତିମା ଲଭିଲେ ବ୍ୟଥା

ଚୁଚୁନ୍ଦ୍ରା ଦର୍ଶନେ ଭୁଜଙ୍ଗୀ ପରି

କର୍ତ୍ତବ୍ୟବିମୂଢ଼ା !      ରାଜସୁନ୍ଦରୀ-

ହୃଦୟ ହୋଇ ଆକୁଳ

ବିଷମ ସମସ୍ୟା-            ପାରାବାରେ ବୁଡ଼ି

ନ ପାଇଲେ ଥଳ କୂଳ ।

 

ଭାଳନ୍ତି ‘‘ନ ଯିବାକୁ ନଦୀତୀରେ

ନିଷେଧି ନାଥ ଗଲେ ଅଟବୀରେ

ପ୍ରାଣେଶଙ୍କର ଆଦେଶ ଲଙ୍ଘନ

କିପରି କରିବି ନ ବଳେ ମନ

ଏଣେ ଶରଣାଗତକୁ

ନ କଲେ ରକ୍ଷଣ            ହୋଇବ ସଞ୍ଚୟ

ଅଧର୍ମ ଚିରକାଳକୁ ।

 

ଶୁଣିଛି ମୁନି-ମୁଖେ ବେଦଶାସ୍ତ୍ରେ

ରଖିବ ପ୍ରାଣ ଦେଇ ଶରଣାର୍ତ୍ତେ,

ଯା କହିବେ ନାଥ ଶୁଣି ଏ କଥା

ସହିବି ସକଳ ନୁଆଇଁ ମଥା

ଧରି ତାଙ୍କ ଶ୍ରୀଚରଣ’’

ଏତେ ପାଞ୍ଚି ସତୀ            କଲେ ସାଧୁ ସହ

ତଟିନୀମୁଖେ ଗମନ ।

 

ସତୀ-ଗତି ଦେଖି ଶୂନ୍ୟ କୁଟୀର

କାନ୍ଦେ କି ନୀରବେ ହୋଇ ଅଧୀର !

ଗୋଟି ଗୋଟି ତୃଣ ଶିରୁ ଖସାଇ

ବାରଣ କରେ କି ନ ଯିବାପାଇଁ ।

 

ପାଳିତ ତରୁ ବଲ୍ଲରୀ

ବାୟୁବିକମ୍ପନ-            ଛଳେ କି ବାରନ୍ତି

ଶାଖା ସଞ୍ଚାଳନ କରି !

କାନ୍ଦନ୍ତି ଅବା ବସି ତାଙ୍କ ଚୂଳେ

କୁରର କୁରରୀ ଝୁରି ଆକୁଳେ !

କୁଟୀର ପ୍ରାଙ୍ଗଣେ ଅଲକ୍ଷ୍ୟେ ଥାଇ

ଦେଉଥାଏ କି ଚିନ୍ତାଙ୍କୁ ଚେତାଇ

ଗୃହଗୋଧା       ମୃଦୁନାଦେ

‘‘ଯାଆ ନା ଯାଆ ନା            ଫେରିଆସ ସତି,

ଗଲେ ପଡ଼ିବ ପ୍ରମାଦେ ।’’

କଣ୍ଟକ ବାଡ଼ କୁଟୀର ସମ୍ମୁଖେ

ଟାଣେ ଅବା ସତୀ ଅଞ୍ଚଳ ଦୁଃଖେ ।

 

ଉଡ଼ାଇ ରେଣୁ ତୁଲେ ତୃଣ ପତ୍ର

ରୋଧେ କି ବାତ ସତୀ-ଗତିପଥ ।

ମାତ୍ର ସେ ନିଷେଧବାଣୀ

ନ ମାନି ଅଲକ୍ଷ୍ୟେ            ସତୀଙ୍କି ସବଳେ

କର୍ମ ନେଇଗଲା ଟାଣି ।

 

ସୌଦାଗର ସଙ୍ଗେ ତଟିନୀତୀରେ

ପରବେଶୁ ଧୀରାରତନ ଧୀରେ,

ଗାମ୍ଭୀର୍ଯ୍ୟ-ଲଜ୍ଜା-ବିଜଡ଼ିତାନନ

ଦୃଢ଼ତାବ୍ୟଞ୍ଜକ ଚାରୁ ନୟନ

ପବିତ୍ର ଶାନ୍ତ ଚାହାଣୀ,

ବିଲୋକି ବିମୁଗ୍ଧେ            ଚିତ୍ରାର୍ପିତ ପ୍ରାୟେ

ରହିଗଲେ ସର୍ବ ପ୍ରାଣୀ ।

 

ଅନନ-ସରୋଜ ଆନତ କରି

ତଟିନୀନୀରେ ଧୀରେ ଅବତରି,

ତରଣୀ ପରଶୁଁ ସତୀ ତଡ଼ତି

ଭାସିଉଠିଲା ପୁଷ୍ପଗୁଚ୍ଛ ମତି,

ଦେଖି ତାହା ମହାଜନ

ସହ ସମବେତ            ନରନାରୀବ୍ରାତ

ହେଲେ ବିସ୍ମୟେ ମଗନ ।

 

 

ବିଚାରଇ ସାଧୁ ହୃଦୟଗତେ

‘‘ମହା ପତିବ୍ରତା ଅଟେ ଏ ସତେ !

ମାନବୀ ନୁହେଁ ଏ ନିଶ୍ଚୟ ଦେବୀ,

ଯେବେ ମୁଁ ଏହାକୁ ସଙ୍ଗତେ ନେବି

ଜଳପଥେ କିଛି ଭୟ

ନ ରହିବ ମୋର            ବିନା ବାଧାବିଘ୍ନେ

ତରିବ ତରୀ ନିଶ୍ଚୟ ।’’

 

ଏହା ଭାଳି ସାଧୁ ବଳତକାରେ

ସତୀଙ୍କି ଉଠାଇ ଦେଲା ନୌକାରେ

ତୋଳିଲା କି ଅବା ମଦାନ୍ଧ କରୀ

ସରୁଁ ସଜ ସରସିଜକୁ ଧରି

ଅବା ସ୍ୱର୍ଣ୍ଣବଲ୍ଲରୀକି,

ଆଶ୍ରିତ ପାଦପୁଁ            ନେଇଗଲା ବଳେ

ନିର୍ଦ୍ଦୟ ତସ୍କର ଝିଙ୍କି ?

 

କି ଅବା କରାଳ ଅହି କବଳେ

ଧଇଲା ବନବିହଙ୍ଗୀକି ବଳେ

ଅବା ଗଣବଣା ଏଣୀକି ଧରି

ଘେନିଯାଏ କାଳରୂପୀ କେଶରୀ

ଗ୍ରାସିଦେଲା ଆସି ଅବା

ଚାହୁଁ ଚାହୁଁ କାହୁଁ            ନିମେଷକେ ରାହୁ

ପୂର୍ଣ୍ଣ ଶରଦିନ୍ଦୁ ପ୍ରଭା ?

 

ଆହା କି କାରୁଣ୍ୟେ ରୋଦନ୍ତି ସତୀ

ସଞ୍ଚାଣ କବଳେ କୁରରୀ ମତି

ପଡ଼ି ସୌଦାଗର ଚରଣତଳେ

କାକୁତି ମିନତି ଯେତେହେଁ କଲେ

ନ ଶୁଣେ କଥା ତାଙ୍କର,

ସେ ଅର୍ଥପିଶାଚ-            ମଦାନ୍ଧ-ପାପିଷ୍ଠ-

ସ୍ୱାର୍ଥପର ସୌଦାଗର ।

 

ହରାଇ ଶ୍ରୀବତ୍ସ ସର୍ବ ସମ୍ପଦ

ପଦେ ପଦେ ଭୋଗି ଭୋଗି ବିପଦ

ବନେ ବନେ ବୁଲି ଦୀନ ବେଶରେ

ଶାନ୍ତିର ଆଧାର କରି ପାଶରେ

ରଖିଥିଲେ ସଯତନେ,

ଯେଉଁ ରାଜକୁଳ-            ସାଗରସମ୍ଭୂତା

ଅମୂଲ୍ୟ ନାରୀରତନେ,

ତାହାକୁ ଏବେ ନେଇ ବଳେ ଧରି

ଦୁର୍ବୃତ୍ତ ବଣିକ ହରଣ କରି

ତରଣୀଟୋପରେ ରଖିଲା ନେଇ

କରପଦେ ଲୌହଶୃଙ୍ଖଳ ଦେଇ

ପଳାଇଯିବା            ଶଙ୍କାରେ

‘ସତ୍ୱର ତରଣୀ            ବାହ ‘ବୋଲି ଖଳ

ଆଜ୍ଞା ଦେଲା କର୍ଣ୍ଣଧାରେ ।

 

ନ ଟଳନ୍ତେ ସୌଦାଗର ହୃଦୟ

ହୋଇ ସମ୍ପୂର୍ଣ୍ଣରୂପେ ନିରାଶ୍ରୟ

ଅତି କାତରକଣ୍ଠେ ମହାସତୀ

ବିରଞ୍ଚିନାଥେ ପ୍ରାର୍ଥନା କରନ୍ତି,

ଭାସି ଭାସି ଅଶ୍ରୁଜଳେ,

ଊର୍ଦ୍ଧ୍ୱେ ମୁଖ ତୋଳି            ତରୁଣୀମଉଳି-

ଚମ୍ପକଝରା ବିକଳେ-

‘‘ଭୋ ଦେବ ଦୀନବନ୍ଧୁ ଛାୟାପତି ।

 

ଭୋଗଇ ଏ ଅଭାଗିନୀ ସମ୍ପ୍ରତି

ଏ ଦୁର୍ଦ୍ଦାନ୍ତ-ହସ୍ତେ ଯେ ଅପମାନ

ସ୍ୱନେତ୍ରେ ଦେଖୁଅଛ ବିବସ୍ୱାନ ।

ଆଉ ଏ କରମେ ଯାହା

ଲିହିଅଛି ବିହି            ଦୟାମୟ ! ଏକା

ତୁମ୍ଭଙ୍କୁ ଗୋଚର ତାହା ।

କର୍ମ କରଷଣେ ଯାବତ ଦୁଃଖ

ଦେଇ ଏ ଦାସୀକି ଚଣ୍ଡମୟୂଖ ।

 

ସ୍ୱଧର୍ମ-ରକ୍ଷଣେ ସୁଦୟା କର

ସ୍ୱରୂପ ଯୌବନ ନେଇ ମୋହର

ଦିଅ ଜରାୟତ ଗାତ୍ର,

ଏ ଦେହ ପରଶ            କରିବାକୁ ହେଉ

ଅପରର ଘୃଣା ଜାତ ।’’

 

ସତୀ-ଆରତି ଜାଣିଲେ ମିହିର,

ହେଲା ସେହିକ୍ଷଣି ସତୀ ଶରୀର

ଗଳିତ ଧବଳ କୁଷ୍ଠ ମୂରତି,

ବୀଭତ୍ସ ଦୁର୍ଗନ୍ଧ ପ୍ରକଟେ ଅତି,

ତାହା ଦେଖି ଦେବୀ ଚିନ୍ତା

ରହିଲେ ଆଶ୍ୱସ୍ତା            ହୋଇ ତରଣୀରେ

କରି ପତିପଦ-ଚିନ୍ତା ।

 

ଶୁଣିଲେ ଧ୍ୟାନମଗ୍ନ । ଚିନ୍ତାରାଣୀ

ସହସା ହୋଇଲା କି ଦୈବୀବାଣୀ-

‘‘ଅଳ୍ପ ଦିନେ ସତୀ ! ଖଣ୍ଡିବ ରିଷ୍ଟ

ହୋଇବ ପୂର୍ଣ୍ଣ ସକଳ ଅଭୀଷ୍ଟ

ଥିବ ଏହି ରୂପ ଧରି,

ବିନା ଯନ୍ତ୍ରଣାରେ            ସେହି ପରିଯନ୍ତେ

ରଙ୍ଗଭୂମେ ନଟୀପରି ।’’*

 

* ନଟୀ ଦର୍ଶକମାନଙ୍କୁ ଦୃଶ୍ୟ ଦେଖାଏ, ମାତ୍ର ତାର କୌଣସି ବିକାର ନ ଥାଏ ।

 

ସ୍ୱର୍ଣ୍ଣ ପ୍ରତିମା ଚିନ୍ତାକୁ ନଦୀରେ

ବିସର୍ଜି ଫେରିଯିବାକୁ କୁଟୀରେ

ନ ବଳିଲା ପଲ୍ଲୀବାଳାଙ୍କ ଚିତ୍ତ

ହେଲା ହୃଦୟ ଶୋକେ ବ୍ୟାକୁଳିତ,

କିବା କଲିଜା ତାଙ୍କର

ସବଳେ ଛିଣ୍ଡାଇ            ନେଇ ଯାଇଅଛି

ସେ ନିର୍ମମ ସୌଦାଗର !

 

ଚିନ୍ତା ତାଙ୍କର ପ୍ରାଣୁଁ ପ୍ରିୟତର,

ଚିନ୍ତା ଲାଗି ତାଙ୍କ ପଲ୍ଲୀ ସୁନ୍ଦର,

ଚିନ୍ତାର ସରଳ ଲଳିତ ଭାଷେ

ଅପୂର୍ବ ପୁଲକସାଗରେ ଭାସେ,

ପଲ୍ଲୀ-ସୁନ୍ଦରୀଙ୍କ ପ୍ରାଣ

ସେ ଚିନ୍ତାକୁ ଏବେ            ହରାଇ ସରବେ

ଶୋକେ ହେଲେ ମୃହ୍ୟମାନ ।

ନୟନ ପୂର୍ଣ୍ଣ କରି ଅଶ୍ରୁଜଳେ

ନଦୀତୀରେ ଚାହିଁଥିଲେ ନିଶ୍ଚଳେ,

ସେ ଦୁରାଶୟ ସାଧୁ ତରୀ ପ୍ରତି

ଅତୃପ୍ତନୟନେ ସର୍ବ ଯୁବତୀ

ଅଦୃଶ୍ୟ ହେବାରୁ ତରୀ,

ପଲ୍ଲୀ-ଅଭିମୁଖେ            ଫେରିଲେ ସଶୋକେ

ଦୀର୍ଘଶ୍ୱାସ ପରିହରି ।

ଏଣେ ବନୁ କାଷ୍ଠ କରି ସଂଗ୍ରହ

ଫେରିଲେ ଶ୍ରୀବତ୍ସ ତୃଣ-ନିଳୟ,

ଗୁରୁ କାଷ୍ଠଭାରେ ହୋଇ ଆକ୍ରାନ୍ତ

ଅବଶ ମଳିନ ଶୁଷ୍କ ଘର୍ମାକ୍ତ,

ସୁଲଳିତ କଳେବର,

ଦିଶୁଥାଏ ଆହା            ରାହୁ ଗ୍ରାସିଥିବା

ଶଶୀ ଆକାର ମାତର ।

ନିକ୍ଷେପି ଇନ୍ଧନଭାର ପ୍ରାଙ୍ଗଣେ

ପ୍ରିୟେ ! ପ୍ରିୟେ !’ ବୋଲି ଡାକିଲେ କ୍ଷଣେ

ନ ପାଇ ଉତ୍ତର ବିସ୍ମିତଚିତ୍ତେ

କୁଟୀରଭିତରେ ପଶି ତ୍ୱରିତେ

ଦେଖିଲେ ନାହାନ୍ତି ସତୀ,

ସଚକିତ ଚିତ୍ତେ            ଖୋଜନ୍ତି ନରେଶ

କୁଟୀରର ଚଉକତି ।

ନ ପାଇ ପ୍ରତିବେଶୀଙ୍କ ଆବାସେ

ଯାଉଁ ନରନାଥ ପୁଚ୍ଛିବା ଆଶେ,

ନ ଦେଖନ୍ତେ ପଲ୍ଲୀ ନାରୀମାନଙ୍କୁ

ଲେଉଟି ଆସି ନିଜ କୁଟୀରକୁ

ଭାଳନ୍ତି ଭୂପଶେଖର,

‘‘ନଦୀତୀରେ ସର୍ବେ            ଯାଇଛନ୍ତି ପରା !

ଆସିବେ ଫେରି ଏଥର ।’’

ଏ କାଳେ ସକଳ ପଲ୍ଲୀବାସିନୀ

ହେଲେ ଆସି ପଲ୍ଲୀ ପାଶ୍ୱବର୍ତ୍ତିନୀ,

ଚିନ୍ତା-ଆଗମନ      ପ୍ରତୀକ୍ଷା କରି

ପଥେ ଚାହିଁଥିଲେ ନୃପକେଶରୀ,

ଦେଖି ତାଙ୍କୁ ସମ୍ମୁଖରେ

କୋମଳପରାଣ-            ରମଣୀଙ୍କ ଶୋକ-

ଉଚ୍ଛ୍ୱାସ ଉଠିଲା ଖରେ ।

 

ସରଳା ଅନଭିଜ୍ଞା ପଲ୍ଲୀ-ନାରୀ

ଗୁରୁ ଦୁଃଖାବେଗ ସହି ନ ପାରି

ଅଶ୍ରୁଜଳେ ପ୍ଳାବି କପୋଳ ଉରେ

ଗଦଗଦକଣ୍ଠେ ନୃପ-ଛାମୁରେ

କହିଲେ ଯେଉଁ ବୃତ୍ତାନ୍ତ

ସେ ବୃତ୍ତାନ୍ତ କଲା            କୃତାନ୍ତ ପରାଏ

ନୃପ-ଶିରେ ବଜ୍ରାଘାତ ।

 

ହେଠ ବଦନେ ଶ୍ରୀବତ୍ସ ନରେଶ

ଶିରେ ବେନି କର କରି ନିବେଶ

ବସି ପଡ଼ିଲେ ସ୍ଥଣୁ ପରକାରେ

ବସୁନ୍ଧରାପତି      ବସୁନ୍ଧରାରେ

ତୃଣକୁଟୀର ସମ୍ମୁଖେ

ଚିନ୍ତାରାଣୀ ଚିନ୍ତା-            କାଳିମା-ଜଡ଼ିତ

ଖେଦାର୍ତ୍ତ ଗମ୍ଭୀର ମୁଖେ ।

 

ଅମାୟିକ କାଷ୍ଠଜୀବୀଏ ଆସି

କହିଲେ କାତରେ ଯେତେ ଆଶ୍ୱାସି,

ନରପତି ଦୁଃଖେ ହୋଇ ଦୁଃଖିତ

ସାରଲ୍ୟ-ସହାନୁ ଭୂତି-ପୂରିତ

ସାନ୍ତ୍ୱନାଦାୟକ କଥା

ଶ୍ରବଣେ ତାଙ୍କର            ନ ଭେଦିଲା ତିଳେ

ବିଫଳ ହେଲା ସର୍ବଥା ।

 

ଆଜ ଫଳିଲା ଶନିର ବଚନ

ଆଜ ଗୃହଶୂନ୍ୟ ହେଲେ ରାଜନ

ଆଜ ତାଙ୍କ ନେତ୍ରେ ସାରା ସଂସାର

ବିଭୀଷିକାମୟ ମରୁ ଅନ୍ଧାର

ପରାଏ ହେଲା ପ୍ରତୀତ,

ରହି ଜଡ଼ ପ୍ରାୟ            ବହୁକ୍ଷଣ ଯାଏ

ପୁଣି ହେଲେ ପ୍ରକୃତିସ୍ଥ ।

 

କି ଭୀଷଣ ତାଙ୍କ ପ୍ରାଣର ଗତି

କେଶରିଣୀ ବିନେ କେଶରୀ ମତି

ଉଠି ଶୋକୋନ୍ମତ୍ତ ଶ୍ରୀବତ୍ସ ଖରେ

ଧାଇଁଲେ ତଟିନୀ-ତଟ-ମୁଖରେ

ହୋଇ ବାହ୍ୟଜ୍ଞାନଶୂନ୍ୟ

ନଦୀତୀରେ ‘ପ୍ରିୟେ,            ପ୍ରିୟେ’ ବୋଲି ଡାକି

କରନ୍ତି ଉଚ୍ଚେ କାରୁଣ୍ୟ ।

 

 

କାଷ୍ଠଜୀବୀମାନେ ଆସି ତାହାଙ୍କୁ

ପ୍ରବୋଧିଲେ ଯେତେ ଫେରାଇବାକୁ,

ନ ଶୁଣି କାହାରି ବଚନ କର୍ଣ୍ଣେ

ସମସ୍ତଙ୍କ ପାଶୁଁ ବ୍ୟାକୁଳ ମନେ

ବିଦାୟ ନେଇ ଅଧୀରେ

ପ୍ରିୟାଗତିପଥ            ଅନୁସରି ଗତି

କଲେ ନଦୀ ତୀରେ ତୀରେ

-----------

 

Unknown

ସପ୍ତମ ସର୍ଗ

ରାଗ-କାମୋଦୀ

ଶନି-କୋପରେ ଶେଷ            ହେଲା ସର୍ବସ୍ୱ, ଲେଶ

ନାହିଁ ଶ୍ରୀବତ୍ସ ପ୍ରାଣେ ମାୟା,

ନୈରାଶ୍ୟ ଉତ୍ତାପର            ତାପ ହରେ ତାଙ୍କର

ଯେ ପ୍ରେମ-ବଲ୍ଲରୀର ଛାୟା,            ସେ ବିପଦେ

ଛାୟା ପରାଏ ରହି ପାଶେ,

ବାନ୍ଧି ନିଗଡ଼େ ପ୍ରୀତିପାଶେ,

ବିହି ତା ଉତ୍‌ପାଟନ            କରି କଲା ହରଣ

ପ୍ରଚଣ୍ଡ ଦୁର୍ଯୋଗ ବତାସେ ।

 

ହରଷରସଶୂନ୍ୟ            ଦୁଃଖ-ବାଲୁକାପୂର୍ଣ୍ଣ

ଦୁଶ୍ଚିନ୍ତା ଅନଳେ ଉତ୍ତପ୍ତ

ରାଜା ଶ୍ରୀବତ୍ସଙ୍କର            ଭୀମ ମରୁ-ପ୍ରାନ୍ତର

ହୃଦୟ ମଧ୍ୟରେ ସତତ,            ସୁଧାସମ

ବହୁଥିଲେ ଯେ କଲ୍ଲୋଳିନୀ,

ମଞ୍ଜୁଳ-କଳ-ନିନାଦିନୀ

ରହିଲେ କେଉଁ ଦେଶେ            ଭିନ୍ନ ହୋଇ ଏବେ ସେ

ପ୍ରୀତି-ପ୍ରତିମା-ସ୍ୱରୂପିଣୀ ?

 

ସୌଭାଗ୍ୟ-ଲୀଳୋଦ୍ୟାନ            ବରଜି ନରରାଣ

ଯେବଣ ପୁଷ୍ପଟି ନୀରୋଳେ

ଘେନି ପଳାଇ ଆସି            ହୋଇ କାନନବାସୀ

ଦୁଃଖ ଭୁଲିଲେ ରଖି କୋଳେ, ସେ ବିଷାଦେ,

ତା ଗୁଣ ସଉରଭ ଘ୍ରାଣ,

ତା ପ୍ରୀତି-ମକରନ୍ଦ ପାନ

କରୁଥିଲେ ଉତ୍‌ଫୁଲ୍ଲେ            ଉଡ଼ାଇ ସେହି ଫୁଲେ

ନେଲା ବଣିକ ପବମାନ ।

 

ରାଜଭାଗ୍ୟ-ଗଗନ            ହେଲେହେଁ ସମାଚ୍ଛନ୍ନ

ଘୋରତମସେ ଗ୍ରହବଳେ

ଯାର ସାନ୍ତ୍ୱନା ବାଣୀ            ବିକଶୁଥାଏ ଆଣି

ଆଶା-ଆଲୋକ ମହୋଜ୍ଜ୍ୱଳେ,            ଅକସ୍ମାତେ

ସେ ରାଜ-ହୃଦମଣି-ହାରା

ଆଶା-ଆକାଶ ଧ୍ରୁବତାରା

ବାରିଦୁଁ ବିଦ୍ୟୁ ପରି            ଖସି କୁଟୀରୁ ତରୀ

ଗୋମୟକୂଢ଼େ ହେଲେ କାରା ।*

 

* ବିଦ୍ୟୁତ୍ ଗୋବରଖାତରେ ପଡ଼ିଗଲେ ଆଉ ଯାଇ ପାରେ ନାହିଁ ବୋଲି ପ୍ରବାଦ ଅଛି ।

 

ସ୍ଥାପି ମନ-ମନ୍ଦିରେ            ହୃଦୟ-ଖଟୁଳୀରେ

ସେ ପ୍ରୀତି-ପ୍ରତିମାର ରୂପ

ଅବଗାହି ଲୋତକେ            ପ୍ରୀତି-ପୁଷ୍ପ-ସ୍ତବକେ

ପୂଜି ପ୍ରେମ-ଅବେଶେ ଭୂପ,            ସେ ବିଷାଦେ

ରୋଦନ ଘଣ୍ଟାନାଦ ସହ

ନୈବେଦ୍ୟ ଦୀର୍ଘଶ୍ୱାସଚୟ

ଦେଇ ଗଭୀର ଦୁଃଖେ            ‘ହା ପ୍ରିୟେ’ ମନ୍ତ୍ର ମୁଖେ

ଜପି ଭ୍ରମନ୍ତି ଅହରହ ।

 

ଦୁଃଖ ଆବେଗବେଳେ            ଭାଳନ୍ତି ବେଳେ ବେଳେ

ଅଗାଧ ଜଳେ ଦେଇ ଝାସ

ସକଳ ଦୁଃଖ ତାପ            ଚିନ୍ତା ଶୋକ ସନ୍ତାପ

ଯନ୍ତ୍ରଣା କରିବେ ବିନାଶେ,            ମାତ୍ର କାହୁଁ

ଆଶାର କ୍ଷୀଣ ରଶ୍ମିରେଖା

ପୁଣି ରୋଧଇ ଦେଇ ଦେଖା

ଧର୍ମଭୀରୁ ମାନବ            ଭାଗ୍ୟେ ନିକି ସମ୍ଭବ

ଆତ୍ମହତ୍ୟା ପାତକ ଲେଖା ?

 

ବାନ୍ଧି ବନ୍ଧ ଆଶାରେ            ସୁଦିନ ପ୍ରତୀକ୍ଷାରେ

ଭ୍ରମନ୍ତି ରାଏ ଦେଶେ ଦେଶେ,

କ୍ରମାଗତରେ ପଥ            ବାହି ଯାଆନ୍ତି ମାତ୍ର

ନ ଥାଏ ମନେ ଲକ୍ଷ୍ୟ ଲେଶେ,            ନରବର

ପଦଯୁଗଳ ଅବା ଚଳେ

କି ଗୂଢ଼ ଶକତିର ବଳେ

ପାରନ୍ତି ନାହିଁ ଜାଣି            ଭାଗ୍ୟ ନେଉଛି ଟାଣି

କେଉଁ ଅଜଣା ରାଜ୍ୟେ ବଳେ !

 

ବହୁତ ଉପବନ            ଗିରି ନଦୀ ଗହନ

ନିର୍ଝର କନ୍ଦରା ପ୍ରାନ୍ତର

ଶସ୍ୟ ଶ୍ୟାମାୟମାନ            କ୍ଷେତ୍ର ଭୀମ ଶ୍ମଶାନ

ଜନପୂର୍ଣ୍ଣ ଗ୍ରାମ ନଗର,            ଭ୍ରମି ଭ୍ରମି

କୂପ ତଡ଼ାଗ ସରୋବର

ହୋଇ ଉତ୍ତୀର୍ଣ୍ଣ ବହୁତର

ହୋଇଲେ ଉପନୀତ            ଏକ କଳ୍ପନାତୀତ

କାନନ-ରାଜ୍ୟେ ନରବର ।

 

ଚିଦାନନ୍ଦ ନାମରେ            ନିବିଡ଼ ଅରଣ୍ୟରେ

ଯହିଁ ସୁରଭୀର ଆଶ୍ରମ,

କରେ ଯେ ବନଶୋଭା            ସୁରାସୁରଙ୍କୁ ଲୋଭା

ନ ପଶେ ଭୟେ ଯହିଁ ଯମ,            ଗଲେ ତହିଁ

ବିବିଧ ଚାରୁ କୁସୁମରେ

ଘେନି ବସନ୍ତ ଯେ ବନରେ

ବିହରେ ବାର ମାସ            ଲଭି ମହା ଉଲ୍ଲାସ

ଗୁଞ୍ଜରି ଭ୍ରମନ୍ତି ଭ୍ରମରେ ।

 

ଅପୂର୍ବ ମନୋହର            ସକଳ ସରୋବର

କନକ-କମଳେ ମଣ୍ଡିତ,

ସେ ସରସିଜୁଁ ଲଭି            ସୁମନୋଜ୍ଞ ସୁରଭି

ସଲିଳ-ଶୀତଳ ବାସିତ,            ସେହି ବନେ

ପଞ୍ଚମ ତାନ କୋକିଳାର

ଗୁଞ୍ଜନ ସ୍ୱନ ସରଘାର

ପକ୍ଷିକାକଳୀ ଡାଳେ            ଆଶ୍ରମପଦେ ଢାଳେ

ସହସ୍ର ବୀଣାର ଝଙ୍କାର ।

 

ସେ ବନେ ଯେତେ ଜନ୍ତୁ            ସର୍ବେ ଅଜାତଶତ୍ରୁ

ନିରତ ପରସ୍ପର ହିତେ

ଦିଅଇ ଶିଶୁ କରି-            ମୁଖେ ନେଇ କେଶରୀ

ନାରିକେଳ ପରମ ପ୍ରୀତେ,            ସେ ବନସ୍ତେ

ଖେଳାଏ ବାଳମୃଗେ କୋଳେ

ଶାର୍ଦ୍ଦୂଳୀ କିବା ସ୍ନେହଭୋଳେ

ଉତ୍‌ପୁଚ୍ଛେ ପୁଚ୍ଛ ଟେକି            ନାଚୁଁ ଉଲ୍ଲାସେ କେକୀ

ଅହି ତା ପଛେ ଲମ୍ବି ଦୋଳେ ।

 

ଦୂର ପର୍ବତୁଁ ଝରି            ହୀରକହାର ପରି

କାନନ-କମଳାର ବକ୍ଷେ,

ବହି ଯାଆନ୍ତି ଖରେ            କଳ କଳ ନାଦରେ

ତଟିନୀ ସହଚରୀ ଲକ୍ଷେ;            ସେହି ବନେ

ଅଗଣିତ      ଗିରି-ନନ୍ଦିନୀ

କୃଶ-ଅଙ୍ଗିନୀ      ନିର୍ଝରିଣୀ

ପରଶି ଯାର ଜଳେ            ପତ୍ର କୁସୁମ-ଫଳେ

ତରୁ ବ୍ରତତୀ ସ୍ତବକିନୀ ।

 

ସୁବିମଳ ଧବଳ            ଗୋବସ୍ରା ପଲ ପଲ

ଗୋମାତା ସୁରଭୀ-ସନ୍ତାନ

ହମ୍ବାରବେ କାନନ            କମ୍ପଇ ଘନଘନ

ଭକ୍ଷନ୍ତି ତୃଣାଙ୍କୁରମାନ,            ଭ୍ରମି ଭ୍ରମି

ମହା ପୁଣ୍ୟବାନ ନୃପତି

ସେ ବନେ ପ୍ରବେଶୁଁ ଝଟତି

ଧ୍ୟାନେ ହୋଇ ବିଦିତ      ହୋଇଲେ ଉପନୀତ

ନୃପ-ଆଗେ ଗୋମାତା ସତୀ ।

 

ହୋଇ ଅତି ସଦୟ            ଶ୍ରୀବତ୍ସେ ପରିଚୟ

ପୁଚ୍ଛିଲେ ସେ ସୁରଭୀ ମାତ,

ସକଳ ବିବରଣ            ସକରୁଣେ ରାଜନ

କହିଲେ କରି ଆଦ୍ୟ ପ୍ରାନ୍ତ,            ତାହା ଶୁଣି

ସଦୟେ ଦୟାମୟୀ ସତୀ

ଆଶ୍ୱାସି ମଧୁରେ ଭାଷନ୍ତି

‘‘ମୋର ଆଶ୍ରମେ ରହ            ଯାବତ ମନ୍ଦଗ୍ରହ

ଖଣ୍ଡନ ହୋଇବ ନୃପତି !

 

ଅସଙ୍କୋଚରେ କାଳ            ଯାପ ଅବନୀପାଳ;

ପୁଣି ଆସିଲେ ସୁସମୟ

ହେବ ବସୁଧାପତି            ଲଭିବ ଚିନ୍ତା ସତୀ,

ଏଠାରେ ନାହିଁ ଶନିଭୟ,            ମୋ ପ୍ରଭାବେ

ଏ ଅଟେ ଅଭୟଦ ସ୍ଥାନ

କରି ଯଥେଷ୍ଟ ଦୁଗ୍‌ଧ ପାନ

ରହ ଏଥି ନିଶ୍ଚିନ୍ତେ,            ନ ଯାଅ କଦାଚିତେ

ଏ ବନ ଛାଡ଼ି ‘ସାବଧାନ’ ।’’

 

ସୁରଭୀର ବଚନେ            ଶାନ୍ତି ଲଭି ଜୀବନେ

ରହିଲେ ତହିଁ ନରରାଣ,

ସୁରଭୀର ନନ୍ଦିନୀ            ପୟସ୍ୱିନୀ ନନ୍ଦିନୀ

କରାଏ ନୃପେ ଦୁଗ୍‌ଧପାନ            ନିତି ନିତି

ସ୍ୱଚ୍ଛନ୍ଦେ ଦୁଗ୍‌ଧ ପାନ କରି

ମେଘମାଳେ ଚାତକ ପରି

ସୂଦିନ ପ୍ରତୀକ୍ଷାରେ            ରହିଲେ ସେହିଠାରେ

ଚିନ୍ତା-ଚିନ୍ତା ହୃଦୟେ ଭରି ।

 

ନିଷ୍କର୍ମେ କର୍ମବୀର            ନ ବସି ନନ୍ଦିନୀର

ଦୁଗ୍‌ଧାପ୍ଳୁତ ମୃତ୍ତିକା ଧରି

ଇଷ୍ଟକ ଅଗଣନ            କରିଣ ସଂଗଠନ

ରଖନ୍ତି ଯୁଗ୍ମ ଯୁଗ୍ମ କରି,            କଉତୁକେ

ସେ ହୁଏ ସ୍ୱର୍ଣ୍ଣେ ପରିଣତି

ଲଭି କି ଅଲୌକିକ ଶକ୍ତି

ତା ଦେଖି ନରମଣି            ଚମତକାର ମଣି

ଆନନ୍ଦେ ଗଠନ କରନ୍ତି ।

 

ଶ୍ରୀବତ୍ସ ଭାଗ୍ୟଚକ୍ର            ପୂର୍ଣ୍ଣ ହୋଇଲା ବକ୍ର

ଶନିମାୟା ପ୍ରଭାବବଳେ

ହୋଇ ସେ ମତିଚ୍ଛନ୍ନ            କରୁଁ ଦିନେ ଭ୍ରମଣ

ପ୍ରିୟାନୁସନ୍ଧାନେ ବିକଳେ,            ଦୁର୍ଯ୍ୟୋଗକୁ

ଦେଖିଲେ ଦୈବେ ସମ୍ମୁଖରେ

ଏକ ବଣିକ ! ସରିତରେ

ଯାଏ ଆରୋହି ତରୀ            ତାକୁ ନୃପ-କେଶରୀ

ଡାକିଲେ ଅତି ଉଚ୍ଚସ୍ୱରେ ।

 

କିପାଇଁ ନରବର !            ହୋଇ ଏତେ କାତର

ଡାକ ଏ ଧୂର୍ତ୍ତ ସୌଦାଗରେ

ଯେ କରିଛି ହରଣ            ତବ ପରାଣଧନ

ଚିନ୍ତାରାଣୀଙ୍କି ନିର୍ଦ୍ଦୟରେ,            ରାକ୍ଷସ ସେ

ତାଠାରୁ      କିସ ଉପକାର

ଲଭିବ ଆହେ ଗୁଣାଧାର

ଜାଣେଁ କରମାୟତ୍ତେ            ଡାକ ଏଡ଼େ ଆରତେ

ସୌଦାଗରକୁ ବାରମ୍ବାର।

 

ଶ୍ରୀବତ୍ସ ଆବାହନ            ଶୁଣି ସେ ମହାଜନ

କୂଳକୁ ଆଣିଲା ତରଣୀ,

ବୋଇଲେ ତାକୁ ଧୀର      ନୃପ କାକୁସ୍ଥ ଗିରେ

ବିପଦବନ୍ଧୁ ପରି ମଣି,            ‘‘ମହାଜନ-

ଭାଇ ! ବଡ଼ ଦୁରବସ୍ଥାରେ

ପଡ଼ିଛି ମୁହିଁ ଏହିଠାରେ,

ହେଲେ ଦୟା ତୁମ୍ଭର            ଅନାୟାସେ ମୋହର

ଆସିବ ବଡ଼ ଉପକାରେ ।

 

ସ୍ୱର୍ଣ୍ଣ ଇଷ୍ଟକ କିଛି            ମୋର ପାଶେ ରହିଛି

ଯଦ୍ୟପି ହୋଇବ ସଦୟ

ତବ ସଙ୍ଗେ ଅକ୍ଳେଶେ            ବୁଲି ଦେଶେ ବିଦେଶେ

କରିବ ତା ସବୁ ବିକ୍ରୟ            ମହାଜନ !

ଲାଭ ଯା ହୋଇବ ଅବଶ୍ୟ

ଲଭିବ ତବ ପ୍ରାପ୍ୟ ଅଂଶ ।’’

ଶୁଣି ଭୂପ-ଭାରତୀ            ସାଦରେ ସନମତି

ଦେଲା ହୋଇ ଅତି ହରଷ ।

 

ବହି ଆଣିଲେ ସ୍ୱର୍ଣ୍ଣ-            ଇଷ୍ଟକ ଭୃତ୍ୟଗଣ

ନାବକୁ ସାଧୁ ଆଜ୍ଞା ପାଇ ।

ତରଣୀରେ ତଦନ୍ତେ            ନରନାଥ ସଙ୍ଗତେ

ବସିଲେ ଭୃତ୍ୟମାନେ ଯାଇ,            ତହୁଁ ଖରେ

ବାହିଲେ ତରୀ କର୍ଣ୍ଣଧାର

ଏ ଅନ୍ତେ ସାଧୁ ଦୁରାଚାର

ସେ ସୁବର୍ଣ୍ଣ ହରଣେ            ପାଞ୍ଚଇ ମନେ ମନେ

ନୃପେ କରିବାକୁ ସଂହାର ।

 

ଅର୍ଥଲୋଭେ ପ୍ରମତ୍ତ            ହୋଇ ସେ ଦର୍ପୋଦ୍ଧତ

ଶ୍ରୀବତ୍ସେ ନିକ୍ଷେପିଲା ଜଳେ

ମରଣ ସ୍ଥିର ଜାଣି            ସୁମରି ଚକ୍ରପାଣି

ଉଚ୍ଚାରିଲେ ପ୍ରାଣ ବିକଳେ,            କାନ୍ଦି କାନ୍ଦି

ଚିନ୍ତାର ନାମ ନରପତି,

ସେ କଣ୍ଠସ୍ୱର ଚିନ୍ତା ସତୀ

ଶୁଣି ଉଚ୍ଚେ ରୋଦନ            କରନ୍ତି ଘନଘନ

ପିଞ୍ଜରାବଦ୍ଧ ସିଂହୀ ମତି ।

 

ଆୟତ୍ତ ତିଳେ ନାହିଁ            ଚାହିଁ ଦେବାର ପାଇଁ

ପ୍ରାଣବଲ୍ଲଭେ ପ୍ରାଣ ଭରି

ମାତ୍ର ହେଉଛି ମନ            ତରୀରୁ ଉଲ୍ଲମ୍ପନ

ଦେଇ ପଡ଼ି ସଲିଳୋପରି,            କାନ୍ତ ସହ

ଅନନ୍ତ ବାରିପ୍ରବାହରେ

ବିସର୍ଜି ଅନନ୍ତ ଦୁଃଖରେ

ଏକାନ୍ତେ ମିଶିଯାଇ            ଭାସିଯିବାର ପାଇଁ

କାଳର କରାଳ ସ୍ରୋତରେ ।

 

ହାୟ ରେ କ୍ରୁର ବିହି !            ଏହା କି ଥିଲୁ ଲିହି

ରାଜଦମ୍ପତି ଭାଲପଟ୍ଟେ

ସର୍ବସ୍ୱ ପରିହରି            ବନ-ବିହଙ୍ଗ ପରି

ଭ୍ରମିଲେହେଁ ଦୁଃସହ କଷ୍ଟେ,            ମନ୍ଦ ଧାତା,

କରାଇ ଭିନ୍ନ ପରସ୍ପରେ

ଦହିଲୁ ବିରହ ଅନଳେ

ତଥାପି ତୋର ସାଧ            ପୂରିଲା ନାହିଁ ବାଦ

ସାଧିଲୁ ଏ ଅଗାଧ ଜଳେ !

 

କରମ ଅନୁସାରେ            ଦେଲେହେଁ ଏ ସଂସାରେ

ପ୍ରାଣୀଙ୍କି ଦୁଃଖ ସୁଖ ହରି,

ଚରିତ୍ର ସଂଗଠନେ            ରଖନ୍ତି ଅନୁକ୍ଷଣେ

ମଙ୍ଗଳମୟ କରେ ଧରି;            ଅଲକ୍ଷିତେ

‘‘ମୃଦ* ଭାଣ୍ଡେ କରି ପ୍ରହାର

ଗଠନ କରୁଁ ଯେ ପ୍ରକାର

ଭାଣ୍ଡ ରକ୍ଷଣ ଅର୍ଥେ            ଧରିଥାଏ ଜାଗ୍ରତେ

ଅଭ୍ୟନ୍ତରରୁ କୁମ୍ଭକାର ।

*ମାଟି

 

ଭୋଗିଲେହେଁ ସମ୍ପ୍ରତି            ଶ୍ରୀବତ୍ସ ନରପତି

ପୂର୍ବ ଅର୍ଜିତ କର୍ମଫଳେ

ଶତ ଶତ ଯନ୍ତ୍ରଣା            ଶତ ଶତ ଲାଞ୍ଛନା

ଦୁଃଖ ଦୁର୍ଭାଗ୍ୟ ଭୂମଣ୍ଡଳେ,            ଗ୍ରହବଳେ

ମାତ୍ର ଭକତବନ୍ଧୁଙ୍କର

ପରମଭକ୍ତ ନରବର

ଭକତ-ଆରତିରେ            ଟଳି ପଡ଼ିଲା ଖରେ

କରୁଣାସନ ତାହାଙ୍କର ।

 

ଯେ କାଳେ ତଟିନୀରେ            ପଡ଼ି ଆବର୍ତ୍ତନୀରେ

ହେଲେ ଶ୍ରୀବତ୍ସ ମଗ୍ନପ୍ରାୟ

ଶ୍ରୀଭଗବାନଙ୍କର            କୃପା ଆସି ସତ୍ୱର

ଧଇଲା ତାଙ୍କୁ ପୁଷ୍ପ ପ୍ରାୟ,            ଅକସ୍ମାତ

ଲଭି ବିଭୁର କୃପାରାଶି

ଗଲେ ଶ୍ରୀବତ୍ସ ଭାସି ଭାସି

ମୀନ ନକ୍ର ମକରେ            ସଂକୁଳ କଲ୍ଲୋଳରେ

ଭାସେ ଯେସନ ତୁଳାରାଶି ।

 

ଭାସଗଲେ ସେ ବଳେ            ଭୀଷଣ ବନ୍ୟାଜଳେ

ସୌତିପୁରମୁଖେ ଅଜ୍ଞାନେ,

ଲାଗିଲେ ଅବଶେଷେ            ଶ୍ରୀବତ୍ସ ସେହି ଦେଶେ

*ରମ୍ଭାବତୀର ପୁଷ୍ପୋଦ୍ୟାନେ,            ମୃତପ୍ରାୟ

ଖସି ଆସନ୍ତେ ବନ୍ୟାନୀର,

ହେଲା ଚେତନା ନୃପତିର;

ଉଠି ଚକିତମନେ            କୁସୁମ ଉପବନେ

ବସିଲେ ହୋଇ ସେ ସୁସ୍ଥିର ।

 

* ସୌତିପୁର ରାଜପୁଷ୍ପୋଦ୍ୟାନର ମାଲୁଣୀ

 

କରି ପୁଷ୍ପ ଚୟନ            ଉଦ୍ୟାନେ ଆଗମନ

କରୁଁ ସେ ମାଳିକ-ବନିତା

ବିଲୋକି ନରେଶ୍ୱରେ            ରହିଲା ସ୍ତମ୍ଭିତରେ

ହୋଇ ଅତି ଆଶ୍ଚର୍ଯ୍ୟାନ୍ୱିତା,            ମାଳୀବାଳୀ

ଅପୂର୍ବ ଲାବଣ୍ୟ ବିଗ୍ରହ

ଦିବ୍ୟ-ପ୍ରଭାରେ ଦୀପ୍ତିମୟ

ଦେଖି ବିନୟେ ଧୀରେ            ପୁଚ୍ଛିଲା ନୃପତିରେ

ବିସ୍ମୟାପ୍ଳୁତେ ପରିଚୟ

 

କହିଲେ ନରନାଥ            ସ୍ୱୀୟ ଆତ୍ମ-ବୃତ୍ତାନ୍ତ

ମାଳିନୀ ଆଗେ ସବିଷାଦେ;

ଶ୍ରବଣେ ଆଚମ୍ବିତା            ହୋଇ ମାଳୀ-ବନିତା

ବୋଇଲା ଆଶ୍ୱାସି ଆହ୍ଲାଦେ,            ନରନାଥେ

‘‘ବତ୍ସ ! ନାହିଁ ଏଥର ଭୟ

ଖଣ୍ଡିଲା ତବ ଦୁଃସମୟ,

ତେଣୁ ଅଗାଧଜଳେ            ପଡ଼ି ବଞ୍ଚିଲ ବଳେ

ଦୁର୍ଜ୍ଜୟ ମୃତ୍ୟୁ କରି ଜୟ ।

ମୋର ଆଳୟେ ବତ୍ସ !            ସ୍ୱଚ୍ଛନ୍ଦେ ଦିନ ବଞ୍ଚ

କିପାଁ ଭ୍ରମିବ ଅକାରଣ

ଫେରିଲେ ସୁସମୟ            ସର୍ବ ନଷ୍ଟ ବିଷୟ

ପୁନଶ୍ଚ ଦେବେ ନାରାୟଣ-            ଏହିଠାରେ

ବସିଥିଲେ ସେ ବଳେ ପ୍ରାପ୍ୟ

ହୋଇ ପାରେ ସକଳ ବାପ ।

ଏ ଅଭାଗିନୀ ମନ            ଦେଖି ତୁମ୍ଭ ବଦନ

ଭୁଲିବ ପତି ପୁତ୍ର ତାପ ।’’

ମାଳୀ-ବାଳୀ ବଚନେ            ଶ୍ରୀବତ୍ସ ହୃଷ୍ଟମନେ

କଲେ ତା ପୁରେ ଅବସ୍ଥାନ,

ଯୋଗାଇ ଦିଏ ନିତ୍ୟେ            ମାଳିନୀ ହରଷିତେ

ଆହାରୀୟ ସାମଗ୍ରୀମାନ,            ସେ ବିଷାଦେ

ସ୍ୱହସ୍ତେ କରି ସେ ରନ୍ଧନ

ପରାଣ ରକ୍ଷଣେ ଅଶନ

କରି ମାତ୍ର କିଞ୍ଚିତେ            ଚିନ୍ତାକୁ ଚିନ୍ତି ଚିତ୍ତେ

ସଶୋକେ ଯାପନ୍ତି ଜୀବନ ।

--------

 

ଅଷ୍ଟମ ସର୍ଗ

ରାଗ-ବଙ୍ଗଳାଶ୍ରୀ

ଧର୍ମ-ପରାୟଣ            ରାଜା ବାହୁଦେବ

ସୌତିପୁର-ଅଧିପତି

ଏକମାତ୍ର କନ୍ୟା            ରୂପେ ଗୁଣେ ଧନ୍ୟ।

ନାମ ଅଟେ ଭଦ୍ରାବତୀ ।

 

କ୍ରୀଡ଼ା-ରାଜହଂସୀ            ରାଜୀବ-ନେତ୍ରୀକି

ରାଜପୁର-ପଦ୍ମାକରେ

ଜୀବର ଜୀବନ            ପରି ରଖିଥାନ୍ତି

ତାତ ଜନନୀ ଅଙ୍କରେ ।

 

ଆବାଲ୍ୟୁଁ ସୁନ୍ଦରୀ            ପୂଜେ ହରଗୌରୀ

ବିମଳ ଭକତି ମନେ,

ଗୌରୀ ଆରାଧନା            ବିନୁ ବରାନନା

ବିଶ୍ୱସାରା ତୁଚ୍ଛ ମଣେ ।

 

କ୍ରମେ ପଦାର୍ପଣ            କଲା ଯଉବନ-

ବସନ୍ତ ଶୋଭାଙ୍ଗୀ ଅଙ୍ଗେ

ଖେଳିଲା ଲାବଣ୍ୟ-            ମଳୟ ଅନିଳ

ସୁଷମା-ସୁମନ ସଙ୍ଗେ ।

ପ୍ରୀତିପବିତ୍ରତା            ସାରଲ୍ୟ କରୁଣା

ଭକ୍ତି ନିଷ୍ଠା ପରିମଳ

କଲା ଶୋଭାବତୀ-            ଶୋଭା-କୁଞ୍ଜପନ୍ତି

ବୟଃ କ୍ରମେ ସୁବିମଳ ।

ଯେବେ ସ୍ନାନ ସାରି            କ୍ଷୀରୋଦ ଶାଢ଼ୀଟି

ପିନ୍ଧି ଉଦ୍ୟାନେ ସେ ଚଳେ,

ଦେବ ଅରଚନେ            କୁସୁମ ଚୟନେ

ଆଲୁଳାୟିତ କୁନ୍ତଳେ

ଦିଶଇ ଶିଶିର-            ସ୍ନାତା ସରୋଜିନୀ

ଉଠିଲା ପରି ପଲ୍ଲବି

ପ୍ରଭାତର ମୃଦୁ            ଶୀକର ସମୀରେ

ଅରୁଣାଲିଙ୍ଗନ ଲଭି ।

ମନେ ହୁଏ ଦେଖି            ସତେ କି ଉପେକ୍ଷି

ନାରାୟଣ ବକ୍ଷସ୍ଥଳ

କ୍ଷୀରୋଦସମ୍ଭବା            ବିଜେ କରିଛନ୍ତି

ମଣ୍ଡିବାକୁ ଧରାତଳ ?

 

ଶ୍ରୀବତ୍ସ ରାଜାର            ଯଶଃ-ସୁଧାକର

ଜ୍ୟୋତ୍ସାମୃତ କରି ପାନ

ଜୀବଞ୍ଜୀବନେତ୍ରୀ            ଜୀବଞ୍ଜୀବ ମତି

କରୁଥାଏ ସଦା ଧ୍ୟାନ ।

 

ନାନା ଉପହାରେ            ହରଗଉରୀରେ

ପୂଜଇ ମଞ୍ଜୁଭାଷିଣୀ

ରାଜା ଶ୍ରୀବତ୍ସଙ୍କୁ            ପତିତ୍ୱେ ମାନସେ

ମନାସି ବରବର୍ଣ୍ଣିନୀ ।

 

ମୂର୍ତ୍ତିମତୀ ଭକ୍ତି-            ଠାରୁ ପୂଜା-ସ୍ତୁତି

ଲଭି ଦେବୀ ଭଗବତୀ

ସରୂପେ ବାଞ୍ଛିତ-            ବର ଦେଲେ ପ୍ରୀତ

ହୋଇ ଭଦ୍ରାବତୀ ପ୍ରତି ।

 

ଦେବୀ ପ୍ରସନ୍ନତା-            ବର ରାଗଲତା

ଲଭନ୍ତେ ହରଷୋତ୍‌ଫୁଲ୍ଲେ

ଅପୂର୍ବ ପ୍ରତିଭା            ଫୁଟି ଉଠିଲା ତା

ଶ୍ରୀମୁଖ-କମଳ-ଫୁଲେ ।

 

ଦିନୁ ଦିନୁ କାନ୍ତି            ବିକଶିଲା ଶୁକ୍ଳ-

ପକ୍ଷ ଶଶିକଳା ପରି

ରାଜା ରାଣୀଙ୍କର            ନୟନେ ସେ ଶୋଭା

ଦେଲା ଦିବ୍ୟ-ପ୍ରଭା ଭରି ।

 

ସୌତିପୁରେଶ୍ୱର            ଦେଖି ତନୟାର

ପରିଣୟଯୋଗ୍ୟ ବୟଃ

ସ୍ୱୟମ୍ବର ଲାଗି            କଲେ ଆୟୋଜନ

ହୋଇ ପ୍ରୀତ ଅତିଶୟ ।

 

ରାଜନ୍ୟବରଗେ            କଲେ ନିମନ୍ତ୍ରଣ

ପତ୍ର ସହ ପେଷି ଚାର

ନିମନ୍ତ୍ରିତ ଜନ            ବାସ ଲାଗି ହେଲା

ନିର୍ମିତ ବସ୍ତ୍ର-ଆଗାର ।

 

ହେଲା ବିନିର୍ମିତ            ହେବାକୁ ଶମିତ

ଛାୟାବଲ୍ଲଭ ଆତପ

ନଗରୋପକଣ୍ଠୁ            ସିଂହଦ୍ୱାର ଯାଏ

ସୁନ୍ଦର ଛାୟାମଣ୍ଡପ ।

 

 

ରାଜପଥ ବେନି-            ପାର୍ଶ୍ୱେ ସଂସ୍ଥାପିତ

ହେଲା ପୂର୍ଣ୍ଣକୁମ୍ଭମାନ

ସପଲ୍ଲବ ପୁଷ୍ପ-            ସ୍ତବକ ହୋଇଲା

ପ୍ରତିଦ୍ୱାରେ ଲମ୍ୱମାନ ।

 

ବିବିଧ ବରଣ            ଚନ୍ଦ୍ରାତପାବଳୀ

ବିଚିତ୍ର ଚିତ୍ରେ ଚିତ୍ରିତ

ଚୂତଡ଼ାଳି ସହ            ଛାୟାମଣ୍ଡପର

ନିମ୍ନେ ହେଲା ବିଲମ୍ୱିତ ।

 

ହୋଇ ଆରୋପିତ            ରମ୍ଭାତରୁ ପଥେ

ପଡ଼ିଲା ଚନ୍ଦନଛରା

ମଙ୍ଗଳ ବାଦ୍ୟରେ            ପୁର ଉଛୁଳିଲା

ସିନ୍ଧୁ-ଗରଜନ ପରା ।

 

ମାତିଲେ ବିବିଧ            ଆନନ୍ଦ ଉତ୍ସବେ

ନାଗରିକ ନାଗରିକା

ମଙ୍ଗଳ ସଙ୍ଗୀତ            ଗାଇ କଲେ ନୃତ୍ୟ

ସିଂହଦୁଆରେ ଗଣିକା ।

 

 

ଭକ୍ଷ୍ୟ ଭୋଜ୍ୟ ଚର୍ବ୍ୟ      ଚୋଷ୍ୟ ଲେହ୍ୟ ପେୟ

ଯହିଁ ତହିଁ ଅଛି ପଡ଼ି

ଖାଇବାକୁ ପେଟ            କାହିଁ ବା କାହାର,

କାହିଁ କେତେ ଯାଏ ସଢ଼ି ।

 

ଯଥାକାଳେ ସୌତି-            ପୁରେ ଆସିଗଲେ

ସର୍ବ ନିମନ୍ତ୍ରିତ ରାଜା

ସଙ୍ଗତରେ ଘେନି            ଚତୁରଙ୍ଗ ବଳ

ବଜାଇ ବିବିଧ ବାଜା ।

 

ନିରୂପିତ ଦିନେ            ସ୍ୱୟମ୍ୱର ସଭା

ମଣ୍ଡିଲେ ନୃପତିଗଣ

ସତୃଷ୍ଣନୟନେ            କନ୍ୟା-ଆଗମନ-

ମାର୍ଗେ ଚାହିଁ ଘନ ଘନ ।

 

ନିମନ୍ତ୍ରିତ ଜନେ            ବସିଗଲେ ସଭା-

ମଣ୍ଡଳେ ପାଇ ଆସନ

ଦେଖଣାହାରୀଏ            ଦେଖନ୍ତି ପ୍ରାଚୀର

ପରାଏ କରି ବେଷ୍ଟନ ।

 

 

କେବା ଉଚ୍ଚଭୂମେ            କେବା ତରୁଡ଼ାଳେ

କେହୁ ଅବା ତରୁତଳେ

ସଶ୍ରଦ୍ଧ ନୟନେ            ସ୍ୱୟମ୍ୱରସଭା

ଦେଖୁଥାନ୍ତି କୁତୂହଳେ ।

 

ରାଜା ବାହୁଦେବ            ଉତ୍ସବାଧିବାସ

ଅଗ୍ନିପୂଜା ସମାପନ

କରି ଯଥାକାଳେ            ଶୁଭ ମୁହୂର୍ତ୍ତରେ

ସଭାକୁ କଲେ ଗମନ ।

 

ଅଗଣିତ ଜନେ            ପରିପୂର୍ଣ୍ଣ ସେହି

ସ୍ୱୟମ୍ୱରସଭାସ୍ଥଳ

ନିସ୍ତବ୍ଧ ନୀରବ            ଗମ୍ଭୀରତାପୂର୍ଣ୍ଣ

ହୋଇ ରହିଛି କେବଳ ।

 

ଭଦ୍ରାବତୀ ଆଗ ।            ମନ ପ୍ରତୀକ୍ଷାରେ

ରହିଅଛନ୍ତି ସଭିଏଁ

ଉଷା ଆଗମନ-            ପଥ ଅନୁସରି

ଥାଆନ୍ତି ଯଥା ଅଳିଏ ।

 

 

ଅକସ୍ମାତେ ସେହି            ନୀରବତା ଭାଙ୍ଗି

ବାଜିଉଠିଲା ସଘନ

ମାଙ୍ଗଳିକ ଶଙ୍ଖ            ମହୁରୀ ସହିତେ

ହୁଳହୁଳି ଅଗଣନ ।

 

ସହସା ସଜନୀ-            ଗଣେ ପରିବୃତା

ହୋଇ ବାହୁରାଜ-ସୁତ ।

ବରମାଲ୍ୟ ଧରି            କର-କମଳରେ

ସଭା କଲା ଅଳଙ୍କୃତା ।

 

ସ୍ୱର୍ଣ୍ଣ ରତ୍ନମୟୀ      ବିଦ୍ୟୁଦ୍‌ବରଣାର

ଭୁବନମୋହନ ରୂପ

ବିଲୋକି ବିମୁଗ୍‌ଧେ            ଚିତ୍ରାର୍ପିତ ପରି

ରହିଗଲେ ସର୍ବଭୂପ ।

 

ମଜ୍ଜିଲା ମାନସ            ଦେବଦୁର୍ଲ୍ଲଭାଙ୍ଗୀ

ସଉନ୍ଦର୍ଯ୍ୟ-ସରେ ଯାଇ

ଲୁବ୍‌ଧ ନେତ୍ର-ଭୃଙ୍ଗ            ସେ ଶୋଭା କମଳ-

କାନନୁ ଫେରିଲା ନାହିଁ ।

 

 

ଯହିଁ ଯା ନୟନ            ହୋଇଲା ପତନ

ସେହିଠାରେ ଗଲା ଲାଖି,

ବରଣମାଳାକୁ            ଗଳେ ପିନ୍ଧିବାକୁ

ପରାଣ ରହିଲା ଟାକି ।

 

ବିସ୍ଫାରିତ ପିପା-            ସିତ ଅପଲକ

ନୟନେ ଅବା ସମସ୍ତେ

ସେହି ନବନୀତ-            ତୁଳା ପିତୁଳା କି

ଗିଳି ପକାଇବେ ସତେ !

 

ଭେଳକି ଲାଗିଲା            ପରି ରାଜଗଣ

ହେଲେ ବେଳୁଁ ବେଳ ଛନ୍ନ

ସମସ୍ତଙ୍କୁ ଦିଶେ            ଅବା ତାଙ୍କ ପାଶେ

କନ୍ୟା କରଇ ଗମନ !

 

ଛାତିକି ଫୁଲାଇ            ସଭା ମଧ୍ୟେ କେତେ

ସୁଭଗମ୍ମନ୍ୟ ନୃପତି

ଭାଳନ୍ତି ସ୍ୱଗତେ            ‘ବରମାଲ୍ୟ ମୋତେ

ଦେବ ନିଶ୍ଚେଁ ଭଦ୍ରାବତୀ ।’

 

 

କି କହିବି ତାଙ୍କ            ବେଶ ପରିପାଟୀ

କି କହିବି ତାଙ୍କ ଠାଣି ?

କି କହିବି ତାଙ୍କ            କଥାର ମାଧୁର୍ଯ୍ୟ

ଭଙ୍ଗୀ ଚାତୁର୍ଯ୍ୟ ଚାହାଣି ?

 

କିପାଁ ଅକାରଣେ            କର ରାଜଗଣେ ।

ଚିତ୍ତେ ଏତେ ଉତ୍କଳିକା ?

ନୁହେଁ ଆଶା-ଜଳ            ତବ ପକ୍ଷେ କନ୍ୟା

ଦୁରାଶା-ମୃଗତୃଷ୍ଣିକା ।

 

ଶ୍ରୀବତ୍ସ ରାଜାର            ପ୍ରୀତିଭକ୍ତି-ଋଣ

ପରିଶୋଧ ଇଚ୍ଛା କରି

ନାରାୟଣୀ ଅଂଶେ            ହୋଇଅଛି ଜାତ

ମର୍ତ୍ତ୍ୟେ ଅମର୍ତ୍ତ୍ୟସୁନ୍ଦରୀ !

 

ମାତ୍ର ବରମାଲ୍ୟ            କରେ ଧରି ଉଭା

ସଭା ମଧ୍ୟେ ଭଦ୍ରାବତୀ

ନୀରବେ ନିଷ୍ପନ୍ଦେ            ଅଧୋବଦନରେ

ଆଲେଖ୍ୟ-ପିତୁଳା ମତି ।

 

 

ଶ୍ରୀବତ୍ସ ନୃପତି            ନାମ ଶୁଣି ମାତ୍ର

ମନେ ମନେ ଅଛି ବରି

ଆଜି ସ୍ୱୟମ୍ୱର-            ସଭାରେ ଶ୍ରୀବତ୍ସେ

ଚିହ୍ନିବ ବାଳୀ କିପରି ?

 

କେ ଚିହ୍ନାଇଦେବ            ରାଜନ୍ୟମଣ୍ଡଳୀ-

କରକାରେ ସେ ହୀରକେ ?

କିପରି ବରଣ-            ମାଲ୍ୟ ଲମ୍ୱାଇବ

ସେ ରାଜକିଶୋର ବକ୍ଷେ ?

 

କାତରହୃଦୟେ            କାରୁଣ୍ୟପ୍ରତିମା

ସଜଳନେତ୍ରେ ଆରତେ

ବରଦାତ୍ରୀ ଦେବୀ            ଜଗଜ୍ଜନନୀଙ୍କି

ଡାକଇ ଅନ୍ତରଗତେ,-

 

‘‘ମାତଃ ଜଗଦମ୍ୱେ !            ମୋର ନେତ୍ରେ ଏବେ

ଚତୁର୍ଦ୍ଦିଗ ଅନ୍ଧକାର

କୃପାମୟି ! କୃପା-            ଦତ୍ତ ବର ଦେଇ

ଲଜ୍ଜା ରଖ ତନୟାର ।’’

 

 

ଅଲକ୍ଷିତେ ଉଭା            ହେଲେ ଜଗନ୍ମାତ

କୁମାରୀ ଆରତି ଜାଣି,

ସହସା ଅନ୍ୟର            ଅଗୋଚରେ ହେଲା

ଅଶରୀରୀ ଶୂନ୍ୟବାଣୀ,-

 

‘‘ନୀପତରୁତଳେ            ବସିଛନ୍ତି ବତ୍ସେ !

ତୋର ପରାଣଈଶ୍ୱର

ଯାର ଲାଗି ହର-            ଗୌରୀ ଆରାଧନା

କଲୁ ଦ୍ୱାଦଶ ବତ୍ସର ।’’

 

ଚମକିତେ ଚାହିଁ            ଦେଉ ଚନ୍ଦ୍ରାନନୀ

ନୀପତରୁବରତଳେ

ପ୍ରଭାମୟ ଦିବ୍ୟ            ରୂପେ ନେତ୍ର ତାର

ଝଲସିଉଠିଲା ବଳେ ।

 

ଯେରୂପେ ବନଜ-            ଆନନୀ-ଆନନେ

ଲାଜ-ପାଟଳ ଉକୁଟି

କରିଲା ଶରତ-            ବାଳାତପ ବୋଳା

ସରୋଜ-ସୁଷମା ଲୁଟି ।

 

 

ଖେଳିଗଲା ବଳେ            ବିଦ୍ୟୁତ ଚଞ୍ଚଳେ

ଚରଣୁ ଚିକୁର ଯାଏ

ସରଗ-ସୁଲଭ            କି ଅପୂର୍ବ ଭାବ

ସୁରତରଙ୍ଗିଣୀ ପ୍ରାୟେ !

 

ମାଳିନୀ ବଦନୁ            ଶୁଣି ରାଜକନ୍ୟା-

ସ୍ୱୟମ୍ୱରର ସନ୍ଦେଶ

କୌତୂହଳବଶେ            ଆସିଥିଲେ ଦେଖି

ତହିଁ ଶ୍ରୀବତ୍ସ ନରେଶ ।

 

ଦୀନ ହୀନ ବେଶେ            ବସିଛନ୍ତି ରାଏ

ନୀପତରୁବର ତଳେ

ଦେହୁଁ ସ୍ୱର୍ଣ୍ଣପ୍ରଭା            ସ୍ଫୁରି ହରିତାଳ

ପରି ଚୌଦିଗ ଉଜ୍ଜ୍ୱଳେ ।

 

ଗୁଚ୍ଛ ଗୁଚ୍ଛ ହୋଇ            ଗ୍ରୀବା ମୁଖ ଚୁମ୍ୱି

ପଡ଼ିଛି କୁଞ୍ଚିତ କେଶ

ଦିଶେ ଯଥା କଳା-            କାଦମ୍ୱନୀମାଳା

ବଳୟିତ ନକ୍ଷତ୍ରେଶ ।

 

 

ଲଳିତ ମଧୁର            ସିଂହସଂହନନେ

ଗାମ୍ଭୀର୍ଯ୍ୟପୂରିତ ଠାଣି

ଉଜ୍ଜ୍ୱଳ ନିର୍ମଳ            ପ୍ରଶାନ୍ତ ନୟନେ

ପବିତ୍ର ଜ୍ୟୋତି ଚାହାଣି,

 

ବିଲୋକି ବିମୁଗ୍‌ଧା            ନୃପତି-ନନ୍ଦିନୀ

ଲାଜବ୍ୟାଜେ ମନ୍ଦେ ମନ୍ଦେ

ସଭାରୁ ବାହାରି            ମାଲ୍ୟ ଚନ୍ଦନାଦି

ଦେଇ ନରପତି-ପଦେ

 

ପ୍ରଣମି ସଲଜ୍ଜେ            ବିନମ୍ରେ ରହିଲା

କର କୋରକିତ କରି

ବରିଲେ କି ଅବା            ବସନ୍ତ-ରାଜଙ୍କୁ

ପ୍ରକୃତି-ରାଣୀ ସୁନ୍ଦରୀ !

 

କି ଅବା ବରିଲେ            ତାରା-ହୀରାହାରେ

ଶରଦୀୟ ପୌର୍ଣ୍ଣମାସୀ

ଶରତ ଶଶାଙ୍କେ            ଚନ୍ଦ୍ରିକା ସଜନୀ

ଗହଣ ଗହଳେ ଆସି !

 

 

ମହା ମହାରାଜ            ଚକ୍ରବର୍ତ୍ତିଗଣେ

ଉପେକ୍ଷା କରି କୁମାରୀ

ବରନ୍ତେ ପତିତ୍ୱେ            ସଭାର ବାହାରେ

ମଳିନବେଶୀ ଭିକାରୀ

 

ସ୍ୱୟମ୍ୱରସଭା            ସାଗର ଉଛୁଳି

ପଡ଼ିଲା ହାସ୍ୟ-ତରଙ୍ଗେ

କତେ ଘୃଣାପୂର୍ଣ୍ଣ            ଉପହାସ ତହିଁ

ଖେଳିଗଲା କେତେ ରଙ୍ଗେ !

 

ବିବିଧ ବିଦ୍ରୂପ            କଥୋପକଥନ

ହୋଇଗଲା ଚାହୁଁ ଚାହୁଁ

ରାଜା ବାହୁଦେବ            ବଦନ ଚନ୍ଦ୍ରକୁ

ଗ୍ରାସିଲା ବିଷାଦ-ରାହୁ ।

 

ୟ ଆବେଗେ            ଆସନୁ ଉତ୍ଥିତ

ହୋଇ କେତେ କେତେ ରାଏ

ବକ୍ର ନୟନେ ସେ            ନବ ଦମ୍ପତିଙ୍କି

ଚାହାନ୍ତି ଖଟ୍ଟାଶ ପ୍ରାୟେ ।

 

 

ମାତ୍ର ସଭାଜନ            ତହୁଁ ଶତଗୁଣ

ଶ୍ରୀବତ୍ସ ଆଶ୍ଚର୍ଯ୍ୟାନ୍ୱିତ

କରିବାକୁ ଭଦ୍ରା-            ବତୀକି ଗ୍ରହଣ

ନିରତିଶୟ କୁଣ୍ଠିତ ।

 

ସର୍ବ ମନଃ ପ୍ରାଣ            କରିଛି ତାଙ୍କର

ଚିନ୍ତାରାଣୀ ଅଧିକାର

ଚିନ୍ତାରାଣୀ ଚିନ୍ତା            ନୃତ୍ୟ କରୁଅଛି

ସ୍ମୃତିପଟେ ଚମତ୍କାର ।

 

ଚିନ୍ତାଗତ ପ୍ରାଣ            ଚିନ୍ତାଗତ ମନ

କର୍ତ୍ତବ୍ୟବିମୂଢ଼ ଭୂପ

ବସିଛନ୍ତି ସ୍ତବ୍‌ଧେ            ଗମ୍ଭୀର ବଦନେ

ନୀରବେ ସ୍ଥାଣୁସ୍ୱରୂପ ।

 

ଏକାଳେ ଶ୍ରୀବତ୍ସେ            ହେଲା ଦୈବବାଣୀ

‘‘ବତ୍ସ ! ନ ହୋଇ ବିଷଣ୍ଣ

ମୋର ଆଜ୍ଞମତେ            କନ୍ୟାରତନକୁ

ସାଦରେ କର ଗ୍ରହଣ ।

 

 

ଆସିଲାଣି ତବ            ସୁଦିନ ଅଚିରେ

ଏହି ଭଦ୍ରାବତୀ ବଳେ

ତବ ପ୍ରାଣାଧିକା            ଚିନ୍ତା ମହିଷୀର

ଉଦ୍ଧାର ହୋଇବ ବଳେ ।

 

ଯେତେବେଳେ ରାୟେ,      ହେଲ ଗୃହତ୍ୟାଗୀ

ନିଶୀଥେ ଚିନ୍ତା ସହିତେ

କାୟା ଛାୟା ପରି            ସଙ୍ଗେ ଥିବି ବୋଲି

ବର ଦେଇଥିଲି ପ୍ରୀତେ ।

 

ସେହି ବାକ୍ୟେ ମୋର      ସଫଳ କରଣେ

ସ୍ୱଅଂଶେ ଭଦ୍ରାବତୀକି

ସତତ ତୁମ୍ଭର            ପାଶେ ରହିବାକୁ

ପେଶିଅଛି ଧରିତ୍ରୀକି ।’’

 

ଏହା କମଳାର            ଦୈବୀ ବାଣୀ ବୋଲି

ନିଃସନ୍ଦେହେ ରାଏ ଜାଣି

ସାଦରେ ଗ୍ରହଣ            କଲେ ପତ୍ନୀରୂପେ

ବାହୁରାଜ- ଜେମାପାଣି ।

 

 

ଭଗବତୀ କରୁ-            ଣାରୁ ଭଦ୍ରାବତୀ

ଲଭିଲା ବାଞ୍ଛିତ ପତି

ମାତ୍ର ନ ଜାଣିଲେ            ସେ କଥାର ଗୂଢ଼-

ମରମ ଇତର ବ୍ୟକ୍ତି ।

 

ନିମନ୍ତ୍ରିତ ରାଜା-            ମାନେ ଲଭି ଏଥି

ଘୋରତର ଅପମାନ

ମନେ ମନେ ତର୍ଜ୍ଜି            କୋପେ ରକ୍ତମୁଖେ

ସଭାରୁ କଲେ ପ୍ରସ୍ଥାନ ।

 

ରାଜା ବାହୁଦେବ            କ୍ରୋଧ-ଲଜ୍ଜା-ଘୃଣା-

ଜଡ଼ିତ ବିଷଣ୍ଣମୁଖେ

ଅନ୍ତଃପୁରେ ଯାଇ            ଗଭୀର ଆକ୍ଷେପେ

କହିଲେ ରାଣୀ ସମ୍ମୁଖେ,

 

‘‘ଏହା କି ଦଇବ            ଲେଖିଥିଲା ପ୍ରିୟେ !

ଭଦ୍ରାବତୀ ଭାଲଦେଶେ

ଏ ଉଜ୍ଜ୍ୱଳ ରାଜ-            ବଂଶେ ଦେବା ପାଇଁ

କଳଙ୍କ-କାଳିମା ଶେଷେ !

 

 

ନିମନ୍ତ୍ରିତ ରାଜା-            ମାନଙ୍କୁ ଉପେକ୍ଷି

ଅନ୍ତ୍ୟଜେ କଲା ବରଣ

ଏ ଦୁଃସହ ଅପ-            ମାନୁ ଶ୍ରେୟସ୍କର

ସହସ୍ର ଗୁଣେ ମରଣ ।’’

 

ପ୍ରବୋଧି ମହିଷୀ            ବୋଇଲେ ମଧୁରେ

‘‘ଶାନ୍ତ ହୁଅ ମହାରାଜ !

ବିଧିର ନିର୍ବନ୍ଧ            ନ ହେବ ଅନ୍ୟଥା

ଚିନ୍ତା କରି କିସ କାର୍ଯ୍ୟ ?

 

ଘଟିବ ଅବଶ୍ୟ            ଯା କରିବେ ଇଚ୍ଛା

ଇଚ୍ଛାମୟ ବିଶ୍ୱପିତା

ତୁମ୍ଭେ ଆମ୍ଭେ ଯାହା            ପାଞ୍ଚିବା ମାନସେ

ସେ ସବୁ କେବଳ ମିଥ୍ୟା ।

 

ଜନମ ମରଣ            ବିବାହ ପ୍ରାଣେଶ

ନ ହୁଏ କାହା ଆୟତ୍ତେ

ସେହି ହରି ଏହି            ବୁଦ୍ଧି ଦେଇଛନ୍ତି

ଭଦ୍ରାବତୀ ହୃଦଗତେ ।

 

 

ତୁମ୍ଭେ ସିନା ନାଥ !            ଜନ୍ମ ଦେଇଥିଲ

କରମ ତ ଅନିବାର୍ଯ୍ୟ-

ଆଶୀର୍ବାଦ କର            କର୍ମଲବ୍ଧ ବର

ହେଉ ତାକୁ ଶୁଭେ ଧାର୍ଯ୍ୟ ।

 

ମାତ୍ର ରାଜକ୍ରୋଧ            ଶାନ୍ତି ନ ଲଭିଲା

ମହିଷୀ ପ୍ରବୋଧ ଗରେ

କ୍ରୋଧଭରେ ରାଏ            କଠୋର ଆଦେଶେ

ବିହିଲେ ଡାକି ମନ୍ତ୍ରୀରେ-

 

‘‘ଅନ୍ତଃପୁରେ ଭଦ୍ରା-            ବତୀ ରହିବାର

ନାହିଁ ଆଉ ପ୍ରୟୋଜନ

ସଭାର ମଧ୍ୟରେ            କରିଛି ଅଭାଗ

ମସ୍ତକ ମୋର ମୁଣ୍ଡନ;

 

ପୁରୀର ବାହାରେ            ଦିଅ ତାକୁ ବାସ

ପତି ସହ ରହିଥାଉ

ଅନ୍ତ୍ୟଜେ ବରିଛି            ସେ କୁଳପାଂଶୁଳା

ମୁଖ ନ ଚାହିଁବି ଆଉ ।’’

 

 

ରାଜାଦେଶ ମତେ            ବାହାର ପ୍ରାଙ୍ଗଣେ

ହେଲା ଜେମାପାଇଁ ବାସ

ପରମ ପ୍ରଫୁଲ୍ଲେ            ପତି ସହ ତହିଁ

କଲା ଭଦ୍ରାବତୀ ବାସ ।

 

ଗଲେ ମହାଦେଈ            ଭଦ୍ରାବତୀ ପାଶେ

ବହିଃପ୍ରାଙ୍ଗଣ ଭବନେ

ଦେଖିଲେ ବସିଛି            ଭଦ୍ରାବତୀ ପତି-

ପାଶେ ବିନମ୍ର ବଦନେ ।

 

କନ୍ୟାର ମୁଖଶ୍ରୀ            ବିଲୋକି ମହିଷୀ

ମଣିଲେ ଆଶ୍ଚର୍ଯ୍ୟ ଅତି

ଜାଣିଲେ ଜେମାର            ନାହିଁ ତିଳେ କ୍ଷୋଭ

ଲଭିଲେହେଁ ଦୀନପତି ।

 

ପିତୃଦତ୍ତ ଅପ-            ମାନ ଲୋକନିନ୍ଦା

ତା ମନ ପରଶି ନାହିଁ

ସ୍ନେହମୟ ଭାଷେ            ବୋଇଲେ ମହିଷୀ

କନ୍ୟାକୁ କୋଳେ ବସାଇ,

 

 

‘‘ରହିଥାଅ ଏହି            ଗୃହେ ମାଆ ମୋର

ନ କରି ମନ ବିମୁଖ

ଅଳ୍ପ ଦିନ ଗତ୍‌            ହୋଇଲେ ମାଆ ଲୋ

ପାଇବୁ ବିପୁଳ ସୁଖ ।

 

ବରିଛୁ ଯାହାଙ୍କୁ            ପତିରୂପେ ସେହି

ନୁହନ୍ତି ପ୍ରାକୃତ ଜନ,

ପ୍ରାକୃତ ପକ୍ଷେ କି            ସମ୍ଭବେ କେବେ ମା ।

ଏ ରୂପ ଶୋଭା-ସମ୍ପନ୍ନ ?

 

ତୋରୀ ଆରାଧନା            ଫଳ କେବେ ଧନ ।

ହୋଇବ ନାହିଁ ଅନ୍ୟଥା

କିଛିଦିନ ପରେ            ରାଜରାଣୀ ହେବୁ

କହିଲି ସ୍ୱରୂପ କଥା ।’’

 

ରାଜାର କଠୋର            ବ୍ୟବହାରେ ହେବେ

ଜେମା, ଜାମାତା ବ୍ୟଥିତ

ଏହି ଆଶଙ୍କାରେ            ମିଷ୍ଟବାକ୍ୟେ ରାଣୀ

ସାନ୍ତ୍ୱନା ଦିଅନ୍ତି ନିତ୍ୟ ।

 

 

ମାତ୍ର ଶାନ୍ତି ନାହିଁ            ଶ୍ରୀବତ୍ସ ହୃଦୟେ

ଲଭି ଲଳନାରତନ

ବାରିଜ-ମୋହେ କି            ଚୂତ-ମୁକୁଳକୁ

ଭୁଲଇ ଭ୍ରମର ମନ ?

 

ପୁଣି ଦୀନହୀନ-            ବେଶେ ହୀନମାନେ

ଶ୍ୱଶୁରସଦନେ ବାସ

ରାଜ୍ୟେଶ୍ୱର ରାଜା            ପକ୍ଷେ ନୁହଇ କି

ମରଣୁ ବଳି ଆୟାସ ?

 

ଅଗାଧ ସରିତ-            ସ୍ରୋତେ ନିକ୍ଷେପିଲା

ସୌଦାଗର ତାଙ୍କୁ ଯେବେ

ସେକାଳେ ଚିନ୍ତାର            ଯେଉଁ ଆର୍ତ୍ତସ୍ୱର

କର୍ଣ୍ଣେ ଲାଗିଅଛି ଏବେ ।

 

ଚିନ୍ତା-ଚିନ୍ତା ସହ            ବାହୁଦେବଙ୍କର

ଘୃଣାବ୍ୟଞ୍ଜକ ବଚନ

ମରମେ ମରମେ            ରାଜା ଶ୍ରୀବତ୍ସଙ୍କୁ

କରୁଥାଏ ଉତ୍ପୀଡ଼ନ ।

 

 

ଯେତେହେଁ ସାନ୍ତ୍ୱନା            ଦିଏ ଭଦ୍ରାବତୀ

କାକୁସ୍ଥ କରୁଣ ଭାଷେ

ମାତ୍ର ରାଜା ସଦା            ଚିନ୍ତିତମାନସ

ଚିନ୍ତାକୁ ଲଭିବା ଆଶେ ।

 

ଦିନେ ଖେଦଭରେ            କହିଲେ ମଧୁରେ

ଭଦ୍ରାବତୀକି ରାଜନ

‘‘ହେଲେହେଁ ଅନ୍ୟର            ଧନେ ରାଜଭୋଗ

ତୃଣୁ ତାହା ଅକିଞ୍ଚନ ।

 

ମିଳୁଥିଲେ ମଧ୍ୟ            ସ୍ୱୀୟ ଉପାର୍ଜ୍ଜନେ

ଦିନମାନେ ଶାକଅନ୍ନ

ତାହା ତୃପ୍ତିପ୍ରଦ,            ଯେଣୁ ସେ ଅଟଇ

ସ୍ୱାଧୀନତା-ଲବ୍ଧ ଧନ ।

 

ହୋଇ ଏହିପରି            ଇତର ପ୍ରତ୍ୟାଶୀ

ପୁଣି ସଦା କର୍ମଶୂନ୍ୟ

ଯାପିବାରୁ ଦିନ            ଆଳସ୍ୟେ ସତତ

ହୁଅଇ ମାନସ କ୍ଷୁଣ୍ଣ ।

 

 

ତୁମ୍ଭ ପିତାଙ୍କର            ଅଧୀନସ୍ଥ କ୍ଷୀର-

ସରିତ ଘାଟେ ସତତ

ବାଣିଜ୍ୟ ବ୍ୟାପାରେ            କରନ୍ତି ଯାବତ

ସୌଦାଗର ଯାତାୟାତ;

 

ପିତାଙ୍କୁ ଜଣାଇ            ତାଙ୍କଠାରୁ ମୋତେ

ଶୁଳ୍କ ଆଦାୟର ଭାର

ଦେଇ ପାର ଯେବେ            ହୋଇବ ପ୍ରେୟସି !

ମୋର ବଡ଼ ଉପକାର ।’’

 

ପତିଙ୍କ ବଚନେ            ଭଦ୍ରାବତୀ ପ୍ରାଣେ

ଲଭି ମର୍ମାନ୍ତିକ ବ୍ୟଥା

ସଜଳ ନୟନେ            ଜନନୀ ଚରଣେ

ନିବେଦିଲା ସେହି କଥା ।

 

ମହିଷୀ ବଦନୁ            ଶୁଣି ବାହୁଦେବ

ଭଦ୍ରାବତୀର ମିନତି

ଗମ୍ଭୀର ବଦନେ            ଦୀର୍ଘଶ୍ୱାସ ତେଜି

କଲେ କ୍ଷୁଣ୍ଣେ ସନମତି ।

 

 

ରହିଲେ ଶ୍ରୀବତ୍ସ            କ୍ଷୀରତରଙ୍ଗିଣୀ

ଘାଟେ ଶୁଳ୍କଗ୍ରାହୀ ବେଶେ

ବହୁ ଅନୁଚର            ରହିଲେ ତାଙ୍କର

ସଙ୍ଗେ ବାହୁଦେବାଦେଶେ

 

ଥାଇ ମଧ୍ୟ ରାଏ            କ୍ଷୀରତରଙ୍ଗିଣୀ

ଘାଟେ ହୋଇ ଶୁଳ୍‌କଗ୍ରାହୀ

ଚିନ୍ତାସଙ୍ଗ ଲଭି            ଅଚିନ୍ତା ହେବାକୁ

ଥାଆନ୍ତି ସତୃଷ୍ଣେ ଚାହିଁ ।

-----------

 

ନବମ ସର୍ଗ

ନଟବାଣୀ ବୃତ୍ତ

ନିତି ନିତି ଅନୁ-

ସରି ଚିନ୍ତାପଥ

ହତାଶେ ଶ୍ରୀବତ୍ସ

ଭାଳନ୍ତି ସ୍ୱଗତ-

‘‘ସତେ କି ଅନ୍ୟଥା

ହେବ ଦୈବୀବାଣୀ ?

ସତେ କି ଫେରିବେ

ନାହିଁ ଚିନ୍ତାରାଣୀ ?

 

 

 

 

ସତେ କି ସ୍ୱପନ

ହେବ ଚିନ୍ତାମୁଖ ?

ସତେ କି ଫିଟିବ

ନାହିଁ ହୃଦଦୁଃଖ ?’’

ଏସନ ନୈରାଶ୍ୟେ

ଭାଳୁ ଭାଳୁ ରାଏ

ରହିଗଲେ ସ୍ଥିର

ଅଚଳ ପରାଏ

 

 

 

 

ନଇରାଶ୍ୟ-ପ୍ରେତ

ଭୀମରୂପେ ଆସି

ନୃପଙ୍କର ବାହ୍ୟ

ଜ୍ଞାନ ଦେଲା ଗ୍ରାସି

ଆତ୍ମବିସ୍ମୃତି ସେ

ଲଭି ଶୋକଭରେ

ପୁଣି ପ୍ରକୃତିସ୍ଥ

ହୋଇ କ୍ଷଣ ପରେ;

 

 

 

 

ବିଚାରନ୍ତି ମନେ,

‘‘ଦୈବ ଅନୁକୂଳେ

ଲଭିଲୋ ଚିନ୍ତାକୁ

କ୍ଷୀରନଦୀକୂଳେ,

କି ଭାଳିବେ ସତେ

ସପତ୍ନୀ ଦର୍ଶନେ !

ମୋ ପ୍ରୀତି ଲାଘବ

ମଣିବେ କି ମନେ ?

ପ୍ରୀତି ନୟନରେ

ସତେ ସପତ୍ନୀକି

ପରାଣପ୍ରେୟସୀ

ପାରିବେ କି ଦେଖି ?

ଯେବଣ ସାରଲ୍ୟ

ସ୍ନେହଭାବ ପୂରି

ଦେଇଛି ଭଦ୍ରାର

ଚରିତ୍ରେ ମାଧୁରୀ

ସେହି କୋମଳତା

ଚିନ୍ତାସହ ବାସ-

ପାଇଲେ ରହିବ

ବୋଲି କି ବିଶ୍ୱାସ ?’’

ବିବିଧ କଳ୍ପନା

ଜଳ୍ପନା ଏପରି

କରି ନରପତି

ଯାପୁଁ ବିଭାବରୀ

ନିଶା ଶେଷ ଯାମେ

ଦେଖିଲେ ସ୍ୱପନ

ଚିନ୍ତାଗତପ୍ରାଣ

ଶ୍ରୀବତ୍ସ ରାଜନ

ଧରି ତାଙ୍କ ପଦ-

ଯୁଗ ଚିନ୍ତାରାଣୀ

କହନ୍ତି ସଜଳ

ନେତ୍ରେ ମଞ୍ଜୁବାଣୀ-

‘‘କିପାଁ ପ୍ରାଣନାଥ !

ହେଉଛ କାତର

ପଦତଳେ ଦାସୀ

ରହିଛି ତୁମ୍ଭର’’

ଚମକି ଜାଗ୍ରତ

ହେଲେ ନରପତି

ଦେଖିଲେ ପୟର

ଚାପେ ଭଦ୍ରାବତୀ

 

 

 

 

ତଳ୍ପ ତେଜି ଖରେ

ସାରି ପ୍ରାତଃକୃତ୍ୟ

ଗମିଲେ ସେ କ୍ଷୀର-

ନଦୀତୀରେ ଦ୍ରୁତ

ନୈରାଶ୍ୟ ନିଷ୍ପ୍ରଭ

ଶ୍ରୀବତ୍ସ ହୃଦୟ

ଚିନ୍ତା-ପ୍ରାପ୍ତ୍ୟାଶାରେ

ଆଜି ଦୀପ୍ତିମୟ

 

 

 

 

ସେ କଳ୍ପିତ ସୁଖ

ଆବେଗେ ହୃଦୟ

ତାଳେ ତାଳେ ସ୍ଫୀତ

ହୁଏ ଅତିଶୟ

ବିହଙ୍ଗ-କାକଳି

ଶୁଣୁ ଆଚମ୍ୱିତେ

ଚିନ୍ତା ଡାକ ମଣି

ଚାହାନ୍ତି ଚକିତେ

 

 

 

 

ପୁଣି ଅଗ୍ରସର

ହେଉଁ ତରତରେ

ଚିନ୍ତାରୂପ ଦିଶି-

ଯାଏ ଥରେ ଥରେ

ନଦୀ ହେଉଥାଏ

ନିକଟ ଯେତିକି

ଉତ୍କଣ୍ଠିତ ହୁଏ

ପରାଣ ତେତିକି

 

 

 

 

ନିର୍ବାଣ-ଉନ୍ମୁଖ

ପ୍ରଦୀପ ପ୍ରଖରେ

ଅନ୍ତିମେ ଯେସନ

ଜଳି ଉଠେ ଥରେ;

ତଥା ଚିନ୍ତାକାନ୍ତ

ଚିନ୍ତାକୁଳ ମନ

ହୁଅଇ ବେଳକୁ

ବେଳ ଛନ୍ନ ଛନ୍ନ

 

 

 

 

ପ୍ରବେଶୁଁ ଶ୍ରୀବତ୍ସ

ତଟିନୀତଟରେ

ଦେଖିଲେ ଅଟକ

କରି ଅନୁଚରେ

ଶୁଳ୍‌କପାଇଁ ଏକ

ବଣିକର ତରୀ

ଅଛନ୍ତି ଅପେକ୍ଷା

ଶ୍ରୀବତ୍ସଙ୍କୁ କରି

 

 

 

 

ଚିହ୍ନି ସେ ବଣିକେ

ଶ୍ରୀବତ୍ସ ନୃପତି

ବିହିଲେ ଆଦେଶ

ଭୃତ୍ୟବର୍ଗ ପ୍ରତି-

‘‘ସୁବର୍ଣ୍ଣ ଇଷ୍ଟକ

ଅଛି ବହୁତର

ଏ ଦୁଷ୍ଟତରୀରେ

ଆଣ ତା ସତ୍ୱର ।’’

 

 

 

 

ଆଜ୍ଞା ପାଇ ବହି

ଆଣି ଭୃତ୍ୟମାନେ

ସେ ଇଷ୍ଟକ ଦେଲେ

ନୃପ ସନ୍ନିଧାନେ

ଦେଖି ସୌଦାଗର

ବାହୁଦେବ ପାଶେ

କଲା ଅଭିଯୋଗ

ସକରୁଣ ଭାଷେ-

 

 

 

 

‘‘ତବ କର୍ମଚାରୀ

ବିନା ଦୋଷେ ଆଜ

ଲୁଣ୍ଠନ କଲା ମୋ

ତରୀ ମହାରାଜ !

ବିଦେଶୀ ବଣିକ

ପ୍ରତି ଅତ୍ୟାଚାର

ଶ୍ରୀଛାମୁରେ ହେଉ

ବିହିତ ବିଚାର ।’’

 

 

 

 

 

 

 

 

ଶ୍ରୀବତ୍ସେ ନୃପତି

ଡକାଇ ତତ୍‌କ୍ଷଣ

ପୁଚ୍ଛନ୍ତେ ତରଣୀ

ଲୁଣ୍ଠିବା କାରଣ;

ବୋଇଲେ ଶ୍ରୀବତ୍ସ,

‘‘ଶୁଣ ନରବର

ସାଧୁ ନୁହଇ ଏ

ଧୂର୍ତ୍ତ ସୌଦାଗର

 

 

 

 

ପ୍ରମାଣ ସ୍ୱରୂପ

କହୁଛି ମୁଁ ଯାହା

ଦେଖନ୍ତୁ ପରୀକ୍ଷା

କରି ବାରେ ତାହା

ଏ ସ୍ୱର୍ଣ୍ଣ ଇଷ୍ଟକ

ଯୁଗ୍ମସ୍ଥାନୁ ଧରି

ଯେବେ ସାଧୁ ପାରେ

ବେନି ଗୋଟି କରି

 

 

 

 

ତେବେ ତ ପ୍ରମାଣ

ପାଇବେ ସକଳ

କାହାର ଇଷ୍ଟକ

କେ କରିଛି ଛଳ ।’’

ଶ୍ରୀବତ୍ସ ବଚନେ

ବାହୁ ନରପତି

ବିହିଲେ ଆଦେଶ

ସୌଦାଗର ପ୍ରତି-

 

 

 

 

‘‘ଏ ସ୍ୱର୍ଣ୍ଣ ଇଷ୍ଟକେ

କର ବେନି ଖଣ୍ଡ

ନତୁବା ପାଇବ

ସମୁଚିତ ଦଣ୍ଡ ।’’

ନୃପାଦେଶେ ଦର୍ପେ

ଭାଷେ ସୌଦାଗର

‘‘ଏହି ଛାର କଥା

କେତେ ବା ମାତର ?’’

 

 

 

 

 

 

 

 

ଏଅନ୍ତେ ବଣିକ

କୁଠାରେକ ଧରି

ସେ ସ୍ୱର୍ଣ୍ଣର ସନ୍ଧି-

ସ୍ଥାନ ଲକ୍ଷ୍ୟକରି;

ବହୁତ ଆଘାତ

କଲା ବାରମ୍ୱାର

ମାତ୍ର ସବୁ ଶ୍ରମ

ବୃଥା ହେଲା ତାର

 

 

 

 

ସର୍ବାଙ୍ଗ ସାଧୁର

ହୋଇଲା ଘର୍ମାକ୍ତ

ଅବଶେଷେ ବସି-

ଗଲା ହୋଇ ଶ୍ରାନ୍ତ

ତଦନ୍ତେ ଶ୍ରୀବତ୍ସ

ସେ ଇଷ୍ଟକ ଧରି

ଇଷ୍ଟଦେବତାଙ୍କୁ

ହୃଦୟେ ସୁମରି

 

 

 

 

ବେନିଭାଗ କଲେ

ଯୁଗ୍ମ ଅଂଶୁ ତାର,

ଦେଖି ବାହୁଦେବ

ମଣି ଚମତ୍କାର

ଉଠି ସସମ୍ଭ୍ରମେ

ଧରି ବେନି କରେ

ଭାଷିଲେ ଶ୍ରୀବତ୍ସେ

ବିସ୍ମୟେ କାତରେ-

 

 

 

 

‘‘କହ ବତ୍ସ ! ତୁମ୍ଭେ

କିଏ ଗୁଣଧର

ଦେବ ଯକ୍ଷ ନାଗ

ଗନ୍ଧର୍ବ କି ନର?

ନେବାକୁ କି ଅବା

ମୋର ନନ୍ଦିନୀକି

ମାୟାରୂପେ ଆସି-

ଅଛ ମେଦିନୀକି ?

 

 

 

 

 

 

 

 

ଜାଣୁଛି ମୋ କନ୍ୟା

ମହାଭାଗ୍ୟବତୀ

ଯେଣୁ ଲଭିଅଛି

ଦେବୋପମ ପତି

ଏ ବୃଦ୍ଧକୁ ଆଉ

ନ କରି ବଞ୍ଚନ

ସତ୍ୟ ପରିଚୟ

ଦିଅ ବାପଧନ !’’

 

 

 

 

ବୋଇଲେ ବିନୟେ

ଶ୍ରୀବତ୍ସ ରାଜନ

‘‘କରନ୍ତୁ ଶ୍ରବଣ

ମୋର ବିବରଣ

ନ କର ଚିନ୍ତା ମୁଁ

ନୁହେଁ ନୀଚ ଜନ

ପ୍ରାଗ୍‌ଜ୍ୟୋତିଷାଧିପ

ଶ୍ରୀବତ୍ସ ରାଜନ

 

 

 

 

ବିଧିର ନିର୍ବନ୍ଧେ

ଭଦ୍ରାବତୀ-କର

ଗ୍ରହଣ କରିଛି

ସୌତିପୁରେଶ୍ୱର !’’

ଶ୍ରୀବତ୍ସ-ପୀୟୂଷ-

ବଚନ ଶ୍ରବଣେ

ବିମୁଗ୍‌ଧେ ରହିଲେ

ବାହୁରାଜା କ୍ଷଣେ;

 

 

 

 

ଆନନ୍ଦ ଅଧୀରେ

ବୃଦ୍ଧ ରାଜାଙ୍କର

ବହିଗଲା ଗଣ୍ଡେ

ଅଶ୍ରୁ ଦରଦର

ଗଦ ଗଦ ଭାଷେ

ବାହୁ ନରପତି

ବୋଇଲେ ସଖେଦେ

ଜାମାତାଙ୍କ ପ୍ରତି-

 

 

 

 

 

 

 

 

‘‘ନ ଜାଣି ନ ଶୁଣି

ତୁମ୍ଭଙ୍କୁ ଇତର

ମଣି ଅପମାନ

ଦେଇଛି ବିସ୍ତର

ଅଜ୍ଞାନ-ଅର୍ଜିତ

ଦୋଷେ ମାରଜନ

ସ୍ୱୀୟ କ୍ଷମାଗୁଣେ

କରନ୍ତୁ ରାଜନ !

 

 

 

 

ସୁକ୍ଷଣେ ଭଦ୍ରା ମୋ

ପୁରେ ଜନମିଲା

ତା ସୁକୃତେ ତବ

ଦର୍ଶନ ମିଳିଲା

ଧନ୍ୟ ହରଗୌରୀ

ସେବି ଭଦ୍ରାବତୀ

ବରିଲା ପତିତ୍ୱେ

ରାଜଚକ୍ରବର୍ତ୍ତୀ

 

 

 

 

ପୂର୍ବ ଜନ୍ମାର୍ଜିତ

ପୁଣ୍ୟ ତାର ଥିଲା

ତେଣୁ ଗୃହେ ବସି

ତୁମ୍ଭଙ୍କୁ ଲଭିଲା

ତାର ପୁଣ୍ୟବଳେ

ହେଲି ମୁଁ କୃତାର୍ଥ

ତୁମ୍ଭଙ୍କୁ ଜାମାତା-

ରୂପେ ହୋଇ ପ୍ରାପ୍ତ

 

 

 

 

ହେଉଥିଲା ପ୍ରାଣ

ସତତ ବିକଳ

ସୁଧା ସିଞ୍ଚି ଆଜ

କଲ ସୁଶୀତଳ’’

କହୁ ବହୁ ହୃଦ-

ଆବେଗେ ରାଜନ

କରି ଜାମାତାଙ୍କୁ

ହୃଦୟେ ଧାରଣ

 

 

 

 

 

 

 

 

କରିଦେଲେ ଅଭି-

ଷିକ୍ତ ଅଶ୍ରୁକଣେ

ପ୍ରୀତି-ସିଂହାସନେ

ସାର୍ବଭୌମ ପଣେ

ବୋଇଲେ ଶ୍ରୀବତ୍ସ

ମଧୁର ବଚନେ

‘‘ବୃଥା ଅନୁତପ୍ତ

ହେଉଅଛ ମନେ

 

 

 

 

ନ କର ଶୋଚନା

ଗତ ବିଷୟର

ଜାଣି କରିଛ କି

ମୋତେ ହତାଦର ?

ତବ କନ୍ୟାଗୁଣେ

ପରମ ଆନନ୍ଦେ

ଅଛି ମୁଁ ରାଜନ !

ତବ ଦତ୍ତ ସଦ୍ମେ

 

 

 

 

ମୋର କର୍ମଦୋଷୁ

ଭୁଞ୍ଜଇ ମୁଁ ଦୁଃଖ

ସେଥିପାଇଁ ରାଏ !

ନ ହୁଅ ବିମୁଖ ।’’

ଏଅନ୍ତେ ତାଙ୍କର

ପୂର୍ବ କଥାମାନ

କଲେ ବାହୁଦେବ

ଅଗ୍ରତେ ବ୍ୟାଖ୍ୟାନ

 

 

 

 

ଲକ୍ଷ୍ମୀ ଶନିଙ୍କର

ଦ୍ୱନ୍ଦ୍ୱର ବିଷୟ

ଶନି କୋପାନଳେ

ରାଜ୍ୟ ପ୍ରଜାକ୍ଷୟ;

ନିଶୀଥେ ମହିଷୀ

ସହ ପଳାୟନ

ନାବିକ ସ୍ୱରୂପେ

ଶନିର ବଞ୍ଚନ;

 

 

 

 

 

 

 

 

ପଳାଇବା ଦଗ୍‌ଧ

ମୀନ ସରସୀରେ

ରହିବାର କାଷ୍ଠ-

ଜୀବୀଙ୍କ ପଲ୍ଲୀରେ,

କଲା ଯେଉଁପରି

କୁଟୀରୁଁ ହରଣ

ମହିଷୀ ଚିନ୍ତାକୁ

ଖଳ ମହାଜନ;

 

 

 

 

ସୁବର୍ଣ୍ଣ ଇଷ୍ଟକ

ଲୋଭେ ଯେ ପ୍ରକାରେ

ନିକ୍ଷେପିଲା ତାଙ୍କୁ

ଭୀମ ଆପଗାରେ;

ଯେଉଁପରି ଭାସି

ଆସି ଅବଶେଷେ

ରହିଲେ ମାଳିନୀ

ଗୃହେ ଛଦ୍ମବେଶେ;

 

 

 

 

ଏ ଆଦି ତାଙ୍କର

ଜୀବନୀ ଯାବତ

କହି ସବିସ୍ତାରେ

ଶ୍ରୀବତ୍ସ ସମସ୍ତ

ବୋଇଲେ ସକ୍ରୋଧେ,

‘‘ଅଦ୍ୟାପି ନୌକାରେ

ଏ ଦୁର୍ବୃତ୍ତ ବନ୍ଦୀ

କରିଛି ଚିନ୍ତାରେ ।’’

 

 

 

 

ଶୁଣି ଜାମାତାଙ୍କ

କରୁଣ ଭାରତୀ

ରାଜା ବାହୁଦେବ

କ୍ରୋଧଭରେ ଅତି

ରଖାଇଲେ ଆଜ୍ଞା

ଦେଇ ଅନୁଚରେ

କାରାରେ ବନ୍ଧନ

କରି ସୌଦାଗରେ

 

 

 

 

 

 

 

 

ଏ ଅନ୍ତେ ନୃପତି

ପାତ୍ର ମନ୍ତ୍ରୀ ତୁଲେ

ଯାଇ ଧାତିକାରେ

କ୍ଷୀରନଦୀ କୂଳେ

ପ୍ରବେଶି ସତ୍ୱରେ

ତରଣୀ ଭିତରେ

ବିଲୋକି ଚିନ୍ତାରେ

ରହିଲେ ତ୍ରସ୍ତରେ

 

 

 

 

ନିଗଡ଼ ବନ୍ଧନ

ଯନ୍ତ୍ରଣାରେ ସତୀ

ଶବ ପରି ସ୍ଥିରେ

ପଡ଼ି ରହିଛନ୍ତି

ଦେଖି ବାହୁଦେବ

ବ୍ୟାକୁଳିତ ମନେ

ବୋଇଲେ ଚିନ୍ତାଙ୍କୁ

ସ୍ନେହ ସମ୍ବୋଧନେ,

 

 

 

 

‘‘ଉଠ ମାଆ ମୋର

ଉଠ ସତୀରାଶି !

ତୁମ୍ଭର ଦୁର୍ଦ୍ଦଶା-

ନିଶା ପାହିଲାଣି

ତୁମ୍ଭ ପଥ ଚାହିଁ

ଚିନ୍ତାକୁଳ ମନେ

ଅଛନ୍ତି ଶ୍ରୀବତ୍ସ

ରାଜା ମୋ ସଦନେ

 

 

 

 

ଆସ ମା ! ଆସ ମା !

ଆଜ ସୁପ୍ରଭାତ

କର ପ୍ରିୟତମ

ଶ୍ରୀବତ୍ସେ ସାକ୍ଷାତ ।’’

ଘର୍ମାନ୍ତେ ଚାତକୀ

କଲା କି ଶ୍ରବଣ

ନବ ଜଳଧର

ବିଜୟ ନିଃସ୍ୱନ ?

 

 

 

 

 

 

 

 

ବାତ୍ସଲ୍ୟପୂରିତ

ସୁଧାମୟ ବାଣୀ

ବାହୁଦେବଙ୍କର

ଶୁଣି ଚିନ୍ତାରାଣୀ

ଉଠି ଆସୁଥିଲା

ହୃଦୁଁ ଶୋକୋଚ୍ଛ୍ୱାସ

ରୋଧିଲେ କରି ତା

ବହୁତ ପ୍ରୟାସ

 

 

 

 

ଉତ୍ତରିଲେ କ୍ଷୀଣ

କଣ୍ଠେ ସକାତରେ

ସକରୁଣ ଭାଷେ

ବାହୁ ନରବରେ-

‘‘କିଏ ତୁମ୍ଭେ ଦେବ !

ଶ୍ରୀଗୁରୁ କୃପାରେ

ବିପଦ-ବାନ୍ଧବ

ଆସିଲ ଏଠାରେ ?

 

 

 

 

କରନ୍ତୁ ମୋହର

ଦଶା ବିଲୋକନ

ହୋଇଅଛି କର

ଚରଣ ବନ୍ଧନ

ପିତୃତୁଲ୍ୟ ଆସି

ସୁଧାମୟ ଗିରେ

ଦେଲ ନବ ପ୍ରାଣ

ଯେବେ ଦୁଃଖିନୀରେ

 

 

 

 

କରନ୍ତୁ ସଦୟେ

ବନ୍ଧନ ମୋଚନ

କରେଁ ପ୍ରିୟତମ

ଚରଣ ଦର୍ଶନ ।’’

ପରଶି ଦେବାକୁ

ସତୀ ଅପଘନ

ଥିଲେ ମଧ୍ୟ ରାଏ

ସକୁଣ୍ଠିତ ମନ

 

 

 

 

 

 

 

 

ଅଗତ୍ୟା ସ୍ୱହସ୍ତେ

ଫେଡ଼ିଲେ ବନ୍ଧନ

ଉଠିଲେ ସଧୀରେ

ରମଣୀରତନ

ଦେଖି ସତୀଙ୍କର

ବ୍ୟାଧିଯୁକ୍ତ କାୟେ

ପୁଚ୍ଛିଲେ କାରଣ

ସବିସ୍ମୟେ ରାଏ

 

 

 

 

କହି ଚିନ୍ତାରାଣୀ

ବ୍ୟାଧିର କାରଣ

ଭାସ୍କରଙ୍କୁ ଚିତ୍ତେ

କରୁଁ ସୁମରଣ;

ଗଲା ସେହିକ୍ଷଣି

ବ୍ୟାଧି ଅପସରି

ଶୌକ୍ତିକ-ନିର୍ମୁକ୍ତ

ମୌକ୍ତିକର ପରି;

 

 

 

 

ଝଲସି ଉଠିଲା

ଲାବଣ୍ୟବିଗ୍ରହ

ଦେଖି ଚମକିତ

ନୃପତି ହୃଦୟ

ବିସ୍ମୟାଭିଭୂତ

ସୌତିପୁରପତି

ଆନନ୍ଦଗଦ୍‌ଗଦେ

ସତୀଙ୍କି କହନ୍ତି-

 

 

 

 

‘‘ଧନ୍ୟ ଧନ୍ୟ ସତୀ !

ପତିଅନୁରକ୍ତା

ଧନ୍ୟ ପୁଣ୍ୟଶୀଳେ !

ସାଧ୍ୱୀ ପ୍ରତିବ୍ରତା !

ଧନ୍ୟ ନାରୀ-କୁଳ-

ସୀମନ୍ତ-ରତନ !

ସ୍ମରିବେ ତୁମ୍ଭର

ଯଶଃ ତ୍ରିଭୁବନ ।’’

 

 

 

 

 

 

 

 

ନେବାକୁ ଚିନ୍ତାକୁ

ଚତୁର୍ଦୋଳ ପାଇଁ

ଦିଅନ୍ତେ ଭୃତ୍ୟଙ୍କୁ

ଆଜ୍ଞା ନରସାଇଁ,

ଶୁଣି ଚିନ୍ତାରାଣୀ

ବୋଇଲେ ବିନୟେ

‘‘ଭୋ ତାତ ! ଯାନରେ

ଚଢ଼ି ଏ ସମୟେ

 

 

 

 

ପ୍ରଭୁପାଶେ ଯିବା

ନୁହଇ ଯୁକତି

ପଦବ୍ରଜେ ଯାଏଁ

ଦିଅ ଅନୁମତି

ସତୀର ଇଚ୍ଛାରେ

ବାଧା ଦେବା ପାଇଁ

ବାହୁଦେବଙ୍କର

ଚିତ୍ତ ହେଲା ନାହିଁ

 

 

 

 

ଆଗେ ବାହୁଦେବ

ପଛେ ରାଣୀ ଚିନ୍ତା

ପଦବ୍ରଜେ ଗଲେ

ମନେ ବହି ଚିନ୍ତା

ବାଲମୀକି ପଛେ

ମୈଥିଳୀ ଯେପରି

ଯାଇଥିଲେ ରାମ

ଦରଶନ କରି

 

 

 

 

ନବର ତୋରଣ

ମୁଖେ ହେଉଁ ସତୀ

ଜନନୀ ସହିତେ

ଆସି ଭଦ୍ରାବତୀ

ଅଭ୍ୟର୍ଥନା କରି

ନେଲେ ହଂସପୁରେ

ପ୍ରାଗ୍‌ଜ୍ୟୋତିଷାଧିପ

ଶ୍ରୀବତ୍ସ ଛାମୁରେ

 

 

 

 

 

 

 

 

ବିପଦ-ତମର

ଭୀମ ପ୍ରଭଞ୍ଜନେ

ଘୂରି ଘୂରି ଏତେ

କାଳ ବେନି ଜନେ

ହେଲେ ଆସି ସୌତି-

ପୁରେ ସମ୍ମିଳିତ

ହେଲା ପୁଣି ଚାରି

ଚକ୍ଷୁ ଏକତ୍ରିତ

 

 

 

 

ଏ ଘୋର ବିରହ-

ନିଶା ଅବସାନେ

ବେନିଙ୍କୁ ବେନିଏ

ଦେଖି ମୃହ୍ୟମାନେ

ରହିଲେ ହରଷ-

ପୁଷ୍ପ ବିମଣ୍ଡିତେ

ପାଦପ-ବଲ୍ଲରୀ

ପରାଏ ସ୍ତମ୍ବିତେ

 

 

 

 

ପ୍ରେମସିନ୍ଧୁ ପ୍ରୀତି-

ତଟିନୀ କଲ୍ଲୋଳେ

ମାନସ ମଗନ

ହେଲା ଭାବଭୋଳେ

ଆବର୍ତ୍ତେ ସେ ସ୍ରୋତ

ବହନ୍ତେ ଉଜାଣି

ବେନିଙ୍କ ବଦନୁ

ନ ସ୍ଫୁରିଲା ବାଣୀ

 

 

 

 

ମାତ୍ର ଚିନ୍ତା ନେତ୍ରେ

ଉଛୁଳୁଁ ସେ ଉତ୍ସ

ବାହୁ ତରଙ୍ଗକୁ

ବିସ୍ତାରି ଶ୍ରୀବତ୍ସ;

ପ୍ରେମଭରେ ଲଭି

ଆତ୍ମ-ବିସ୍ମରଣ

କଲେ ପ୍ରେୟସୀଙ୍କି

ବକ୍ଷରେ ଧାରଣ

 

 

 

 

 

 

 

 

ସହି ଝଞ୍ଜାନିଳ

କରକା ପତନ

ଦୁର୍ଦ୍ଦିନେ ହେଲେ କି

ଏବେ ସମ୍ମିଳନ !

ବିମଳ ଶରତ

ଋତୁ ତୁଲେ ଆସି

ପ୍ରକୃତି ହୃଦୟ-

ବେଦନା ଉଶ୍ୱାସି ?

 

 

 

 

ସିନ୍ଧୁ ଅଙ୍ଗେ ଅବା

ସୁରତରଙ୍ଗିଣୀ

ଢାଳିଦେଲେ ଅଙ୍ଗ-

ପତିତୋଦ୍ଧାରିଣୀ ?

କି ଅବା ମିଳିଲେ

ରୋହିଣୀ ଚନ୍ଦ୍ରମା

କି ଆଉ ଦୁର୍ବାସା

ଶାପଚ୍ୟୁତା ରମା

 

 

 

 

ହୋଇ ସମୂଦ୍ଭୂତା

କ୍ଷୀରୋଦ-ମନ୍ଥନେ

ହେଲେ ସମ୍ମିଳିତ

ଦେବ ନାରାୟଣେ ?

ପ୍ରେମମୟ ପତି

ବକ୍ଷରେ ଲପନ

ରଖି ପ୍ରୀତିମୟ

କରନ୍ତି ରୋଦନ

 

 

 

 

ଦେଖି ଭଦ୍ରାବତୀ

ସପତ୍ନୀ-ରୋଦନ

କରି ନ ପାରିଲେ

ଅଶ୍ରୁ ସମ୍ବରଣ

ଉଭା ହୋଇ ତାଙ୍କ

ପାଶେ ମୈତ୍ରୀ ମତି

ଅଶ୍ରୁସିକ୍ତ ମୁଖେ

ବ୍ୟଜନ ଚାଳନ୍ତି

 

 

 

 

 

 

 

 

ଆଜ ଭଦ୍ରାବତୀ

ସପତ୍ନୀ ଦର୍ଶନେ

ହୋଇ ଅହ୍ଲାଦିତ

କାୟବାକ୍ୟେ ମନେ

ଚିନ୍ତାରାଣୀ ପରି-

ଚର୍ଯ୍ୟାରେ ନିରତ

ହୋଇଛନ୍ତି ଛାୟା

ପରି ଅବିରତ

 

 

 

 

ପ୍ରୀତିମୟୀ ପ୍ରୀତି-

ପୂର୍ଣ୍ଣ ବ୍ୟବହାରେ

କରିଦେଲା ମୁଗ୍ଧା

ସପତ୍ନୀ ଚିନ୍ତାରେ

ପତିଙ୍କ ବଦନୁ

ତାର ପରିଚୟ

ଲଭି ଚିନ୍ତା ପ୍ରୀତା

ହୋଇ ଅତିଶୟ

 

 

 

 

ଅତି ସ୍ନେହ ସମା-

ଦରେ ସପତ୍ନୀକି

ଗ୍ରହଣ କଲେ ସେ

ଯେସନେ ଭଗ୍ନୀକି ?

କ୍ଷଣକେ ଉପୁଜି-

ଗଲା ପରସ୍ପରେ

ଅକୃତ୍ରିମ ପ୍ରୀତି

ପ୍ରଗାଢ଼ଭାବରେ

 

 

 

 

ଯେତେବେଳେ ହୋଇ

ପ୍ରେମ ଉନ୍ମାଦିନୀ

ସର୍ବ ବାଧା ବିଘ୍ନ

ଲଙ୍ଘି ତରଙ୍ଗିଣୀ

ଧାଇଁ ଆସେ ସିନ୍ଧୁ-

ମୁଖେ କଳନାଦେ

କଳକଲ୍ଲୋଳିନୀ

ପ୍ରାଣର ଆହ୍ଲାଦେ

 

 

 

 

 

 

 

 

ଦେଖିଲେ ସମ୍ମୁଖେ

ତଟିନୀ ସଖୀକି

ହୃଦୟ ଆବେଗ

ପାରଇ ରଖି କି ?

ମିଶିଯାଇ ତାର

ସଙ୍ଗେ ପ୍ରେମଭୋଳେ

ମିଶି ନ ଯାଏ କି

ସାଗରକଲ୍ଲୋଳେ ?

 

 

 

 

ନିଶିକାନ୍ତେ ନିଶି

ଦେଖି ସନ୍ଧ୍ୟା ପାଶେ

କେମନ୍ତ ଆନନ୍ଦ-

ଜ୍ୟୋତ୍ସାପୂରେ ଭାସେ

ଅକଳଙ୍କ ଶଶୀ

ଶ୍ରୀବତ୍ସ ନୃପତି

ସଙ୍ଗେ ସ୍ୱାତୀ ଚିତ୍ରା

ଚିନ୍ତା ଭଦ୍ରାବତୀ;

 

 

 

 

ଫୁଟିଲେ ହୃଦୟ-

ବୃନ୍ତେ ଶ୍ରୀବତ୍ସର

ଯୁଗଳ କୁସୁମ

କିବା ମନୋହର

ବାହୁଦେବ ରାଣୀ

ବାତ୍ସଲ୍ୟର ସହ

ସପତଣୀ ପ୍ରୀତି

ଦାମ୍ପତ୍ୟ ପ୍ରଣୟ;

 

 

 

 

ଅମାସ୍ୱାତୀ ଶନି

ପରାଏ ପ୍ରଚୁରେ

କରେ ମହୋତ୍ସବ-

ଝଡ଼ି ରାଜପୁରେ

ସେ ଝଡ଼ି ଅନ୍ଧାରେ

ଗତ ଦୁଃଖମାନ

ହୃଦୟ-ଗଗନୁ

ହେଲା ଅବମାନ

 

 

 

 

 

 

 

 

ନବ ନବ ଭାବ-

ରସର ହିଲ୍ଲୋଳେ

ମନମୀନ କ୍ରୀଡ଼ା

କଲା ସୁଖଭୋଳେ

କେବେ ଦିନ ଯାଇ

ହେଲା ନିଶି ଶେଷ

ସେ ଝଡ଼ିରେ ଜଣା

ନ ପଡ଼ିଲା ଲେଶ

 

 

 

 

ପର ଦିନ ପ୍ରାତେ

ବାହୁ ନରପତି

ଜାମାତା ସହିତେ

ଘେନି ପାତ୍ର ମନ୍ତ୍ରୀ

ସଭାରେ ବିଜୟ

କଲେ ସିଂହାସନେ

ଯଥା ତାରାମେଳେ

ଚନ୍ଦ୍ରମା ଗଗନେ

 

 

 

 

ଅକସ୍ମାତ କରି

ସଭା ଆଲୋକିତ

ଜ୍ୟୋତିର୍ମୟ ଦିବ୍ୟ

ରୂପେ ଉପନୀତ-

ହେଲେ ସଭାମଧ୍ୟେ

ଗ୍ରହରାଜ ଶନି

ଦେଖି ତାଙ୍କୁ ସର୍ବେ

ଚମତ୍କାର ମଣି;

 

 

 

 

ଶଶବ୍ୟସ୍ତେ ଉଠି

କରକୋରକିତେ

ଉଭା ହେଲେ ଭୀତେ

ତ୍ରସ୍ତେ ସଚକିତେ

ଶ୍ରୀବତ୍ସେ ସସ୍ମିତେ

କରି ସମ୍ବୋଧନ

ବୋଇଲେ ମଧୁରେ

ଭାସ୍କରନନ୍ଦନ-

 

 

 

 

 

 

 

 

‘‘ମହାରାଜ ! ତବ

କର୍ମଭୋଗମାନ

ଏତେ ଦିନେ ଆସି

ହେଲା ଅବସାନ

ନିର୍ଭୟେ ଏଥର

ସ୍ୱରାଜ୍ୟେ ଗମନ

କରି ରାଜ୍ୟ ପ୍ରଜା

କରନ୍ତୁ ପାଳନ

 

 

 

 

ପରମ ଧାର୍ମିକ

ତୁମ୍ଭେ ଦଣ୍ଡଧାରି

ମାତ୍ର କର୍ମୀଧୀନ

ସର୍ବ ନରନାରୀ

ଜନ୍ମଜନ୍ମାର୍ଜ୍ଜିତ

କରମର ଫଳେ

ତୁମ୍ଭଙ୍କୁ ଏ ଦୁଃଖ

ଭୋଗ ହେଲା ବଳେ

 

 

 

 

ଜାଣିବେ ମୋହର

ତିଳେ ଦୋଷ ନାହିଁ

କର୍ମଫଳ ଭୋଗ

କରାଇବା ପାଇଁ

ପ୍ରେରିଥିଲେ ମୋତେ

ବିଧାତା ପୁରୁଷ

ତେଣୁ ତବ ପ୍ରତି

ହୋଇଲି ପରୁଷ

 

 

 

 

ଯା ହେବାର ହୋଇ-

ଗଲା କର୍ମଫଳେ

ମାତ୍ର ମୋର ବଳେ

ହେବ ଧରାତଳେ

ତବ ନାମ ସ୍ମର-

ଣୀୟ ଚିରକାଳ

ଯାବତ ଚନ୍ଦ୍ରାର୍କ

ଥିବେ ମହୀପାଳ !

 

 

 

 

 

 

 

 

ତବ ନାମ ନିତ୍ୟ

ନେବେ ଯେଉଁ ବ୍ୟକ୍ତି

ଖଣ୍ଡିବ ତାଙ୍କର

ସକଳ ବିପତ୍ତି ।’’

କହି ଅନ୍ତର୍ହିତ

ହେଲେ ଶନି ଖରେ

ଶ୍ରୀବତ୍ସ ନୃପତି

ଏଥୁ ଅନନ୍ତରେ

 

 

 

 

ସପତ ଦିବସ

ଶ୍ୱଶୁର ଆବାସେ

ବିବିଧ ଉତ୍ସବେ

ଯାପି ମହୋଲ୍ଲାସେ

ଚିନ୍ତା ଭଦ୍ରାବତୀ

ବେନି ରାଣୀ ସହ

କରି ମନୋହର

ସ୍ୟନ୍ଦନେ ବିଜୟ

 

 

 

 

ପ୍ରାଗ୍‌ଜ୍ୟୋତିଷପୁରେ

କଲେ ଆଗମନ

ଦେଖି ଜୟନାଦ

କଲେ ପ୍ରଜାଗଣ

ନ ଦେଖି ଆଗମ

ନୃପ-ଚନ୍ଦ୍ରମାର

ଘୋଟିଥିଲା ପୁରେ

ନୈରାଶ୍ୟ ଅନ୍ଧାର

 

 

 

 

ଚତୁର୍ଦ୍ଦଶ ବର-

ଷାନ୍ତେ ଯେଉଁପରି

ରାମ ଆଗମନେ

ସାକେତ ନଗରୀ

ତଥା ସୁଖ-ଜ୍ୟୋତ୍ସ୍ନା

ରାଜ-ଚନ୍ଦ୍ରୋଦୟେ

ଢାଳିଲା ହରଷ-

ସୁଧା ସର୍ବାଳୟେ

 

 

 

 

 

 

 

 

ବିକଶିଲା ପ୍ରଜା-

ମାନସ କୁମୁଦ

ନୟନ-ଚକୋର

ହେଲା ଅତି ମୂଦ

ହେଲା ରାଜ୍ୟ ଅଷ୍ଟ

ଅଇଶ୍ୱର୍ଯ୍ୟେ ପୂର୍ଣ୍ଣ

ହେଲେ ପ୍ରଜାପୁଞ୍ଜ

ଶୋକଦୁଃଖଶୂନ୍ୟ

 

 

 

 

ଦିଶିଲା ସୁନ୍ଦର

ଶସ୍ୟେ ବସୁମତୀ

ହସିଲା କି ଅବା

ଲଭି ନିଜ ପତି ?

ରାଜପୁର-ସିନ୍ଧୁ

ମହାକୋଳାହଳେ

ଉଛୁଳି ପଡ଼ିଲା

ହରଷେ ବିହ୍ୱଳେ

 

 

 

 

ଘେନି ଅଙ୍କେ ପୁଣ୍ୟ-

ବାନ ନରପତି

ପୁଣ୍ୟ ଅଙ୍କେ ପ୍ରୀତି

ପବିତ୍ରତା ମତି;

ଅବା ଶିବ ଅଙ୍କେ

ଗଙ୍ଗା ଗୌରୀ ପରି

ଚିନ୍ତା ଭଦ୍ରାବତୀ

ବେନି ପାଟେଶ୍ୱରୀ

ପରମ ଆନନ୍ଦେ

ଯାପିଲେ ଜୀବନ

ସଫଳ ହୋଇଲା

କମଳା ବଚନ

 

-ସମାପ୍ତ-